ପୁଣି ବିବାଦରେ ସିଦ୍ଧୁ

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟ ଖେଳାଳି ତଥା ପଂଜାବର କଂଗ୍ରେସ ସରକାରଙ୍କ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କୁ ବିବାଦ ଛାଡ଼ୁନାହିଁ। ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଅନାଗ୍ରହ ସତ୍ତ୍ବେ ପାକିସ୍ତାନ ଗସ୍ତରେ ଯାଇଥିବା ସିଦ୍ଧୁ ଏବେ ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ଗୋପାଳ ସିଂହ ଚାୱଲାଙ୍କ ସହିତ ଫଟୋ ଉଠାଇ ବିବାଦକୁ ଆସିଛନ୍ତି। ନିଜେ ଚାୱଲା ଏହି ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଚାୱଲା ଜଣେ ଖଲିସ୍ତାନ ସମର୍ଥକ ନେତା ହୋଇଥିବାବେଳେ ନିକଟରେ ନିରଂକାରୀ ଭବନରେ ହୋଇଥିବା ଆକ୍ରମଣରେ ତାଙ୍କର ଭୂମିକା ମଧ୍ୟ ସନ୍ଦେହରେ ରହିଛି। ପାକିସ୍ତାନ ସରକାରଙ୍କ ପକ୍ଷରୁ କରତାରପୁର କରିଡର ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଚାୱଲାଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଚାୱଲା ପାକିସ୍ତାନ ଶିଖ ଗୁରୁଦ୍ବାର ପ୍ରବନ୍ଧକ ସମିତିର ମହାସଚିବ ଅଛନ୍ତି। ଅନ୍ୟପକ୍ଷରେ ଏହି ଫଟୋ ସୋସିଆଲ ମିଡିଆରେ ପଦାକୁ ଆସିବାର କିଛି ସମୟ ପରେ ସିଦ୍ଧୁ ଅଟ୍ଟାରି ୱାଘା ସୀମାରେ ସିଦ୍ଧୁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌କୁ କରତାରପୁର କରିଡର ନିର୍ମାଣ ପାଇଁ ପ୍ରଶଂସା କରିଥିବାବେଳେ ଚାୱଲା କିଏ ତାହା ଜାଣନ୍ତି ନାହିଁ ବୋଲି କହିଥିଲେ। ସେ କହିଥିଲେ ସେଠାରେ ୫ ହଜାରୁ ୧୦ ହଜାର ଫଟୋ ଉଠାଯାଇଥିଲା। ଗୋପାଳ ଚାୱଲା କିଏ ବୋଲି ସେ ଜାଣି ନଥିବା କହିଛନ୍ତି।

ସମ୍ବନ୍ଧିତ ଖବର