ଲୋକସଭାରେ ପୁଣି ଗୃହୀତ ହେଲା ତିନି ତଲାକ୍‌ ବିଲ୍‌

ନୂଆଦିଲ୍ଲୀ: ତିନି ତଲାକକୁ ଅପରାଧ ଶ୍ରେଣୀଭୁକ୍ତ କରିବା ପାଇଁ ମୁସ୍‌ଲିମ୍‌ ମହିଳା ବିବାହ ସୁରକ୍ଷା ଅଧିକାର ବିଲ୍‌ (ତିନି ତଲାକ୍‌ ) ଆଜି ଲୋକସଭାରେ ପୁଣି ଗୃହୀତ ହୋଇଛି। ତିନି ତଲାକକୁ ବେଆଇନ ଦର୍ଶାଇ ଏଥିପାଇଁ ୩ ବର୍ଷ ଜେଲ୍‌ ଦଣ୍ଡ ଏବଂ ଜୋରିମାନା ପ୍ରାବଧାନ କରାଯାଇଛି। ଆଜି ବିଲ୍‌ ଆଗତ ହେବାପରେ ଏହାକୁ ନେଇ ଗୃହରେ ସରଗରମ ବିତର୍କ ହୋଇଥିଲା। ବିଲ୍‌କୁ କଂଗ୍ରେସ, ବିଏସ୍‌ପି, ଡିଏମ୍‌କେ, ଏନ୍‌ସିପି ସମେତ ଅନେକ ଦଳ ବିରୋଧ କରିଥିବା ବେଳେ ଟିଏମ୍‌ସି ଏବଂ ଏନ୍‌ଡିଏର ସହଯୋଗୀ ଜେଡିୟୁ ମଧ୍ୟ ବିଲ୍‌କୁ ବିରୋଧ କରି କକ୍ଷତ୍ୟାଗ କରିଥିଲେ। ଏହି ବିଲ୍‌ ଗତ ଲୋକସଭାରେ ମଧ୍ୟ ଗୃହୀତ ହୋଇଥିଲା କିନ୍ତୁ ରାଜ୍ୟସଭାରେ ସରକାରଙ୍କ ସଂଖ୍ୟାଗରିଷ୍ଠତା ନଥିବାରୁ ସେଠାରେ ଏହା ଅଟକି ଯାଇଥିଲା। ଏହି ତିନି ତଲାକ୍‌ ବିଲ୍‌କୁ ରାଜ୍ୟ ସଭାରେ ଗୃହୀତ କରାଇବା ସରକାରଙ୍କ ପାଇଁ ଏକ ବହୁତ ବଡ଼ ଚ୍ୟାଲେଂଜ ହୋଇଛି। ରାଜ୍ୟସଭାରେ ଏନ୍‌ଡିଏ ନିକଟରେ ସଂଖ୍ୟା ଗରିଷ୍ଠତା ନଥିବା ବେଳେ ବିଲ୍‌କୁ ସହଯୋଗୀ ଜେଡିୟୁର ବିରୋଧ ଅଧିକ ସମସ୍ୟା ସୃଷ୍ଟି କରିଛି। ଲୋକସଭାରେ ଏହି ବିଲ୍‌କୁ ପୁନଃ ଆଗତ କରିବା ସପକ୍ଷରେ ୩୦୩ ଏବଂ ବିରୋଧରେ ୮୨ ଭୋଟ୍‌ ପଡ଼ିଥିଲା। ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ ଯେ ଲିଙ୍ଗଗତ ସମାନତା ଏବଂ ନ୍ୟାୟ କ୍ଷେତ୍ରରେ ସରକାର କୌଣସି ସାଲିସ୍‌ କରିବେ ନାହିଁ। ଅପରାଧ କଲେ ଯେ କୌଣସି ବ୍ୟକ୍ତି ଜେଲ୍‌ ଯିବ ଏବଂ ଏହାକୁ ନେଇ ଅନାବଶ୍ୟକ ପ୍ରଶ୍ନ ଉଠାଇବା ଉଚିତ ନୁହେଁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର