ପୁଣି ମିଛ କହିଲେ ଟ୍ରମ୍ପ୍‌ ‘ପ୍ରଧାନମନ୍ତ୍ରୀ ଆଦୌ କଥା ହୋଇନାହାନ୍ତି’

ନୂଆଦିଲ୍ଲୀ: ଚୀନ୍‌ ସହ ସୀମା ବିବାଦ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତିତ ଅଛନ୍ତି ଏବଂ ତାଙ୍କ ସହ ଏ ପ୍ରସଙ୍ଗରେ ଟେଲିଫୋନ୍‌ କଥାବାର୍ତ୍ତାରୁ ଏହା ଜଣାପଡ଼ୁଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଟ୍ରମ୍ପ୍‌ଙ୍କ ସହିତ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଆଦୌ କଥା ହୋଇନାହାନ୍ତି ବୋଲି ଭାରତ ସ୍ପଷ୍ଟ କରିଛି। ପ୍ରଧାନମନ୍ତ୍ରୀ ସୀମା ବିବାଦ କିମ୍ବା ଅନ୍ୟ କୌଣସି ପ୍ରସଙ୍ଗରେ ଟ୍ରମ୍ପ୍‌ଙ୍କ ସହ ନିକଟରେ ଆଦୌ କଥା ହୋଇନାହାନ୍ତି ।

ଉଭୟଙ୍କ ମଧ୍ୟରେ ଶେଷ କଥାବାର୍ତ୍ତା ୪ ଏପ୍ରିଲରେ ହୋଇଥିଲା ଏବଂ ଏହା କେବଳ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ଯୋଗାଣ ପ୍ରସଙ୍ଗରେ ଥିଲା ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଚୀନ୍-ଭାରତ ସୀମା ବିବାଦ ନେଇ ମଧ୍ୟସ୍ଥତା କରିବାକୁ ଟ୍ରମ୍ପ ଆଗ୍ରହ ଦେଖାଇଥିଲେ ମଧ୍ୟ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିଛି ଏବଂ ଚୀନ୍‌ ସହ ସିଧାସଳଖ କଥାବାର୍ତ୍ତା ଚାଲିଥିବାରୁ ଏଥିରେ କୌଣସି ମଧ୍ୟସ୍ଥିଙ୍କ ଆବଶ୍ୟକତା ନାହିଁ ବୋଲି ବିଦେଶ ମନ୍ତ୍ରାଳୟ ସ୍ପଷ୍ଟ କରିଦେଇଛି।

ସମ୍ବନ୍ଧିତ ଖବର