ଦଙ୍ଗା ପାଇଁ ପୁଣି ଉଦ୍ୟମ

ଭିଏଚ୍‌ପିର ତ୍ରିରଙ୍ଗା ଯାତ୍ରା ଉପରେ କଟକଣା, କେନ୍ଦ୍ରକୁ ରିପୋର୍ଟ ଦେଲେ ୟୁପି ସରକାର

ଲକ୍ଷ୍ନୌ: ତିରଙ୍ଗା ଯାତ୍ରାକୁ ନେଇ ଉତ୍ତର ପ୍ରଦେଶର କାସଗଂଜରେ ଚାଲିଥିବା ହିଂସା ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଦୁଇ ସଂପ୍ରଦାୟ ମଧ୍ୟରେ ଉତ୍ତେଜନା ଏବେ ବି ବଳବତ୍ତର ରହିଛି। ଦଙ୍ଗା ପାଇଁ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଷଡ଼ଯନ୍ତ୍ର ଚଳାଇଥିବାରୁ କେତେବେଳେ କିଭଳି ସ୍ଥିତି ସୃଷ୍ଟିହେବ କହିହେଉନାହିଁ। ଆଜି ରାଜ୍ୟର ଅନ୍ୟ ଦୁଇ ସହର ଆଗ୍ରା ଓ ଫିରୋଜବାଦରେ ମଧ୍ୟ ତିରଙ୍ଗା ଯାତ୍ରାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉଭୟ ସହରରେ ତିରାଙ୍ଗା ଯାତ୍ରାକୁ ପୁଲିସ ପ୍ରଶାସନ ବେଆଇନ ଘୋଷଣା କରି ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅନ୍ୟପକ୍ଷରେ ଗତ ଜାନୁଆରି ୨୬ ତାରିଖ ଜନରାଜ୍ୟ ଦିବସରେ ହୋଇଥିବା ହିଂସାରେ ପ୍ରାଣ ହରାଇଥିବା ୨୩ ବର୍ଷୀୟ ଅଭିଷେକ ଗୁପ୍ତା ଓରଫ ଚନ୍ଦନ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଲିମ ଜାଭେଦ୍‌କୁ ଆଜି ପୁଲିସ ଗିରଫ କରିଛି। ପୁଲିସ ଗତ ଶନିବାର ରାତିରେ ସଲିମ୍‌ର ଘରେ ଚଢ଼ଉ ସମୟରେ ବନ୍ଧୁକ ସହ କିଛି ବିସ୍ଫୋରକ ଜବତ କରିଥିଲା। ମୁଖ୍ୟ ଅଭିଯୁକ୍ତ ସଲିମ ସମେତ ତା’ର ଦୁଇ ଭାଇ ଓ୍ଵାସିମ୍‌ ଏବଂ ନସିମ୍‌ ଏବଂ ଅନ୍ୟ ୧୭ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଅନ୍ୟ ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରିବାଲାଗି ପୁଲିସ ଉଦ୍ୟମ ଜାରି ରଖିଥିବା ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଅଜୟ ଆନନ୍ଦ କହିଛନ୍ତି। ଆଜି କାସଗଞ୍ଜ ଜିଲ୍ଲାକୁ ଯାଉଥିବା କିଛି କଂଗ୍ରେସ ପ୍ରତିନିଧିଙ୍କୁ ଜିଲ୍ଲା ସୀମାର ଏଟାହ ମିରହାଚି ଅଞ୍ଚଳରେ ଅଟକାଇ ଦିଆଯାଇଛି। ସମ୍ବେଦନଶୀଳ ଅଞ୍ଚଳରେ ସେମାନଙ୍କର ପ୍ରବେଶ ଦ୍ୱାରା ସମସ୍ୟା ଅଧିକ ବଢ଼ିବ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ବୋଲି ଦର୍ଶାଇ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଆରପି ସିଂହ କଂଗ୍ରେସ ପ୍ରତିନିଧିଙ୍କୁ ଗସ୍ତ ଅନୁମତି ଦେଇନାହାନ୍ତି। ଆଜି ଆଗ୍ରା ଏବଂ ଫିରୋଜାବାଦରେ ବିଶ୍ୱ ହିନ୍ଦୁ ପରିଷଦର ତ୍ରିରଙ୍ଗା ଯାତ୍ରାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ସରକାରଙ୍କ ପାଇଁ ନୂଆ ସଙ୍କଟ ସୃଷ୍ଟି ହୋଇଛି । ପୁଲିସ ପ୍ରଶାସନ ବିଶ୍ୱ ହିନ୍ଦୁ ପରିଷଦର ତିରଙ୍ଗା ଯାତ୍ରାକୁ ବେଆଇନ ଦର୍ଶାଇ ଏହାକୁ ବଳପୂର୍ବକ ବନ୍ଦ କରିଛି। ଏଭଳି ଯାତ୍ରା ଆଳରେ ସାଂପ୍ରଦାୟିକ ହିଂସା ସୃଷ୍ଟି ଉଦ୍ୟମ ହେଉଥିବା ଅଭିଯୋଗ ପରେ ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଛି। ଉଭୟ ସହରରେ ଧାରା ୧୪୪ ଲାଗୁ କରାଯିବା ସହ ସ୍ପର୍ଶକାତର ଅଂଚଳଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ସକାଳୁ ଉଭୟ ସହରରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଂଗ ଦଳର ହଜାର ହଜାର ସମର୍ଥକ ତ୍ରିରଙ୍ଗା ଯାତ୍ରା ବାହାର କରିଥିଲେ। କାସଗଂଜ ତ୍ରିରଙ୍ଗା ଯାତ୍ରାରେ ଗୁଳିକାଣ୍ଡ ଯୋଗୁଁ ନିହତ ହୋଇଥିବା ଚନ୍ଦନ ଗୁପ୍ତାକୁ ନ୍ୟାୟ ପ୍ରଦାନ କରାଯିବା ଦାବିରେ ଏହି ଯାତ୍ରା ଆରମ୍ଭ କରାଯାଇଛି ବୋଲି ବିଏଚ୍‌ପି ନେତାମାନେ କହିଛନ୍ତି।

କାସଗଂଜ ହିଂସାକାଣ୍ଡର ତାତି ଥମିବାକୁ ବସିଥିବାବେଳେ ଏହାକୁ ନେଇ ରାଜନୀତି କିନ୍ତୁ ଜୋର୍‌ ଧରିଛି। ବିରୋଧୀ ଦଳଗୁିଡ଼କ ୟୁପି ସରକାରଙ୍କୁ ହିଂସା ପାଇଁ ଦାୟୀ କରିଛନ୍ତି। ରାଜ୍ୟପାଳ ରାମ ନାଏକ ମଧ୍ୟ କାସଗଂଜ ହିଂସାକାଣ୍ଡକୁ ରାଜ୍ୟ ପାଇଁ କଳଙ୍କ ବୋଲି କହିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହିଂସାସୃଷ୍ଟିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କହିଥିଲେ। ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷାବ୍ୟବସ୍ଥା କଡ଼ାକଡ଼ି ରହିଛି। କାସଗଂଜ ହିଂସା ସଂପର୍କିତ ସବିଶେଷ ରିପୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର