ଦେଶରେ ଆଉ ୨ ଓମିକ୍ରନ୍‌ ଆକ୍ରାନ୍ତ

କର୍ଣ୍ଣାଟକ ପରେ ଗୁଜରାଟ ଓ ମହାରାଷ୍ଟ୍ରରେ ସଂକ୍ରମିତ ଠାବ

ନୂଆଦିଲ୍ଲୀ: ଦେଶରେ ଆଜି ତୃତୀୟ ଓ ଚତୁର୍ଥ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି। ଗୁଜରାଟରେ ତୃତୀୟ ମାମଲା ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ଚତୁର୍ଥ ମାମଲା ଚିହ୍ନଟ ହୋଇଛି। ୩ ରାଜ୍ୟରେ ଓମିକ୍ରନ୍‌ ଆକ୍ରାନ୍ତ ଠାବ ହେବା ପରେ ଅଧିକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ନିକଟରେ ଜିମ୍ବାୱେରୁ ଫେରିଥିବା ଗୁଜରାଟର ଜାମନଗରର ଜଣେ ବ‌ାସିନ୍ଦା ଓମିକ୍ରନ୍‌ ପ୍ରଜାତିରେ ଆକ୍ରାନ୍ତ ହୋଇଛନ୍ତି। ଏହି ବ୍ୟକ୍ତିଙ୍କ ବୟସ ୭୨।

ସେ କରୋନା ସଂକ୍ରମିତ ହେବାପରେ ତାଙ୍କ ନମୁନା ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯାଇଥିଲା ଏବଂ ଆଜି ସେ ଓମିକ୍ରନ ପ୍ରଜାତି ଦ୍ବାରା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଗୁଜରାଟର ସ୍ବାସ୍ଥ୍ୟ କମିସନର ଜୟ ପ୍ରକାଶ ଶିବହାରେ କହିଛନ୍ତି ଯେ, ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଯେଉଁ ସ୍ଥାନରେ ରହୁଛନ୍ତି ତାହାକୁ ଏକ ମାଇକ୍ରୋ କଣ୍ଟେନମେଣ୍ଟ୍‌ ଜୋନ୍‌ରେ ପରିଣତ କରାଯାଇଛି।

ଗୁଜରାଟ ଅଧିକାରୀମାନେ ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରୁଛନ୍ତି। ସେହିଭଳି ମୁମ୍ବାଇରୁ ଦକ୍ଷିଣ ଆଫ୍ରିକା ଏବଂ ଦୁବାଇ ଗସ୍ତରେ ଯାଇଥିବା ଜଣେ ବ୍ୟକ୍ତିଙ୍କଠାରେ ଓମିକ୍ରନ୍‌ ପ୍ରଜାତି ଚିହ୍ନଟ ହୋଇଛି। ପୂର୍ବରୁ କର୍ଣ୍ଣାଟକରେ ଦେଶରେ ପ୍ରଥମ ୨ଟି ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଥିଲା। ଦକ୍ଷିଣ ଆଫ୍ରିକାର ଜଣେ ୬୬ ବର୍ଷୀୟ ବ୍ୟକ୍ତି ଓମିକ୍ରନ୍‌ ଆକ୍ରାନ୍ତ ହୋଇଥିଲେ ଏବଂ ବେଙ୍ଗାଲୁରୁର ଜଣେ ୪୬ ବର୍ଷୀୟ ଡାକ୍ତର ମଧ୍ୟ ଓମିକ୍ରନ୍‌ ଆକ୍ରାନ୍ତ ହୋଇଛନ୍ତି। ତେବେ ଦକ୍ଷିଣ ଆଫ୍ରିକାର ୬୬ ବର୍ଷୀୟ ବ୍ୟକ୍ତି ଜଣଙ୍କ ତାଙ୍କ ରିପୋର୍ଟ ଆସିବା ଆଗରୁ ଦୁବାଇ ଚାଲିଯାଇଛନ୍ତି।

ଗୁଜରାଟରେ ଓମିକ୍ରନ୍‌ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣଙ୍କ ସମ୍ପୂର୍ଣ୍ଣ ଟିକା ନେଇ ସାରିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୧୦ ଜଣ ବ୍ୟକ୍ତିଙ୍କୁ କ୍ବାରାଣ୍ଟିନ୍‌ରେ ରଖାଯାଇଛି ଏବଂ ସେମାନଙ୍କ ଟେଷ୍ଟ୍‌ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଉଲ୍ଲେଖଯୋଗ୍ୟ, ଓମିକ୍ରନ୍‌ ପାଇଁ ଦେଶରେ କରୋନା କଟକଣା କଡ଼ାକଡ଼ି କରାଯାଇଛି। କର୍ଣ୍ଣାଟକରେ ଓମିକ୍ରନ୍‌ ପ୍ରଜାତି ଚିହ୍ନଟ ହେବାପରେ କର୍ଣ୍ଣାଟକ ସରକାର ରାଜ୍ୟରେ କରୋନା କଟକଣା ଅଧିକ କଡ଼ାକଡ଼ି କରିଛନ୍ତି। ମହାରାଷ୍ଟ୍ର ସରକାର ମଧ୍ୟ ଏବେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ଉପରେ ଗୁରୁତ୍ବାରୋପ କରିଛନ୍ତି।

ସମ୍ବନ୍ଧିତ ଖବର