ନୂଆଦିଲ୍ଲୀ: ଗୁଜରାଟର ମେହସାଣାା ବିସନଗର ଅଦାଲତ ରାଜ୍ୟର ପଟିଦାର ସଂପ୍ରଦାୟ ନେତା ହାର୍ଦ୍ଦିକ ପଟେଲଙ୍କ ବିରୋଧରେ ଆଜି ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିଛନ୍ତି। ୨୦୧୫ରେ ପଟିଦାର ସଂରକ୍ଷଣ ଆନ୍ଦୋଳନ ସମୟରେ ବ୍ୟାପକ ହିଂସା ଘଟିଥିବା ବେଳେ ମହେସାଣା ବିଧାୟକଙ୍କ କାର୍ଯ୍ୟାଳୟକୁ ଆନ୍ଦୋଳନକାରୀମାନେ ଛାରଖାର କରିଦେଇଥିଲେ। ଏହି ମାମଲାରେ ହାର୍ଦ୍ଦିକ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ତାଙ୍କୁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଦୁଇଥର ସମନ ଜାରି ହୋଇଥିଲା। ତେବେ ହାର୍ଦ୍ଦିକ କୋର୍ଟରେ ହାଜର ନହେବା ଏବଂ ଏଥିପାଇଁ ଯୁକ୍ତିଯୁକ୍ତ କାରଣ ନ ଦର୍ଶାଇବାରୁ ଆଜି ତାଙ୍କ ବିରୋଧରେ କୋର୍ଟ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗୁଜରାଟ ନିର୍ବାଚନ ପୂର୍ବରୁ ଏହି ଗିରଫ ପରଓ୍ଵାନା ଜାରି ହେବା ପରେ ଏବେ ଏହାକୁ ନେଇ ରାଜନୀତି ସରଗରମ ହେବା ସମ୍ଭାବନା ରହିଛି । ୨୦୧୫ରେ ପଟିଦାର ଆନ୍ଦୋଳନ ସମୟରେ ବିଜେପି ବିଧାୟକ ଋଷିକେଶ ପଟେଲଙ୍କ ଅଫିସ୍ରେ ହୋଇଥିବା ଆକ୍ରମଣ ମାମଲାରେ ହାର୍ଦ୍ଦିକ ପଟେଲ ଏବଂ ଲାଜୀ ପଟେଲଙ୍କ ବିରୋଧରେ ଏହି ଆରେଣ୍ଟ ଓ୍ଵାରେଣ୍ଟ ଜାରି ହୋଇଛି । ପଟିଦାର ସଂରକ୍ଷଣ ଆନ୍ଦୋଳନର ଗଡ଼ ଭାବେ ମେହସାଣା ବିବେଚିତ ହୋଇଥିବା ବେଳେ ଏଠାରେ ଅନେକ ବିଜେପି ନେତା ଓ ତାଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ୍ କରି ହିଂସା ହୋଇଥିଲା। ଗିରଫ ପରଓ୍ଵାନା ଜାରି ପରେ ହାର୍ଦ୍ଦିକ ସମର୍ଥକ ମହଲରେ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ବିରୋଧ କରି ସେମାନେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।