ନୂଆଦିଲ୍ଲୀ: ୩,୬୦୦ କୋଟି ଟଙ୍କାର ଅଗସ୍ତା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର କାରବାର ମାମଲାର ଅନ୍ୟତମ ଅଭିଯୁକ୍ତ ଖ୍ରୀଷ୍ଟିଆନ୍ ମାଇକେଲ୍ ଏବେ ସିବିଆଇ ପଞ୍ଝାରେ। ସିବିଆଇ ତାଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେଇ ତାଙ୍କ ମୁହଁରୁ ସତ ଓଗାଳିବା ପାଇଁ ଦିନରାତି ଜେରା କରୁଛି। ତାଙ୍କୁ ପ୍ରାୟ ୪୦ ଘଣ୍ଟା ଧରି ଜେରା କରାଯାଇଛି। ସିବିଆଇର ଜେରା ବେଳେ ମାଇକେଲ୍ ଲାଞ୍ଚ ନେଇଥିବା କଥା ସିଧାସିଧା ସ୍ବୀକାର କରୁନାହାନ୍ତି। ସେ ହାତେଇଥିବା ଅର୍ଥକୁ ଲାଞ୍ଚ ନୁହେଁ, ବରଂ ପରାମର୍ଶଦାତା ଦେୟ (କନ୍ସଲ୍ଟାଣ୍ଟ ଫି) ବୋଲି ଦର୍ଶାଇଛନ୍ତି। ସିବିଆଇ ଯେତେ ଚେଷ୍ଟା କଲେ ବି ତାଙ୍କ ମୁହଁରୁ ସେମିତି ଠୋସ୍ ତଥ୍ୟ ହାସଲ କରିପାରୁନାହିଁ। ଜେରା ବେଳେ ମାଇକେଲ୍ ୟୁପିଏ ନେତା ଅଥବା ପ୍ରତିରକ୍ଷା ମନ୍ତ୍ରାଳୟ ଠାରୁ ଟଙ୍କା ନେଇଥିବା କଥାକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ ସେ ୟୁପିଏ ସରକାରଙ୍କଠାରୁ କୌଣସି ଟଙ୍କା ନେଇନାହାନ୍ତି। କେବଳ କମ୍ପାନି ଅଗସ୍ତା ୱେଷ୍ଟଲାଣ୍ଡଠାରୁ ନିଜ ଉପଦେଷ୍ଟା ଦେୟ ନେଇଛନ୍ତି। ଅଗସ୍ତା ୱେଷ୍ଟଲାଣ୍ଡଠାରୁ ଭାରତର କେଉଁ ନେତା ବା ଅଧିକାରୀ ଲାଞ୍ଚ ନେଇଛନ୍ତି, ସେ ବାବଦରେ ମାଇକେଲ୍ ସିଧା ଜବାବ ଦେଇନାହାନ୍ତି। ସେ କହିଛନ୍ତି, ନେତା ଏବଂ ମଧ୍ୟସ୍ଥିମାନଙ୍କୁ ଦିଆଯାଇଥିବା ଲାଞ୍ଚ ମାମଲାରେ ଅନ୍ୟଜଣେ ୟୁରୋପୀୟ ମଧ୍ୟସ୍ଥି ଗାଇଡୋ ହାସ୍କେ ଏକ ନୋଟ୍ ଲେଖିଥିଲେ। ଏହି ନୋଟ୍ରେ ଲେଖାଥିଲା ଯେ ଭିଭିଆଇପି ହେଲିକପ୍ଟର ଚୁକ୍ତି କ୍ଷେତ୍ରରେ ସୋନିଆ ଗାନ୍ଧୀ ମୁଖ୍ୟ ରହିଥିଲେ। ନୋଟ୍ରେ ଆହୁରି ଦର୍ଶାଯାଇଥିଲା ଯେ କମ୍ପାନିର ସେଲ୍ସମ୍ୟାନ୍ ପିଟର୍ ହୁଲେଟ୍ ସୋନିଆ ଗାନ୍ଧୀଙ୍କ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ପ୍ରଣବ ମୁଖାର୍ଜୀ ଏବଂ ସୋନିଆଙ୍କ ରାଜନୈତିକ ସଚିବ ଅହମ୍ମଦ ପଟେଲ୍ଙ୍କୁ ଟାର୍ଗେଟ୍ କରାଯିବା ଦରକାର। କିନ୍ତୁ ସେ ନିଜେ ଲେଖିବା କିମ୍ବା ପଢ଼ିବାକୁ ସମର୍ଥ ନୁହନ୍ତି ବୋଲି ମାଇକେଲ୍ ଦର୍ଶାଇଛନ୍ତି।
ସିବିଆଇ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ଏହି ଖବର ମୁତାବକ, ଜେରା ବେଳେ ମାଇକେଲ୍ ନିଜକୁ ଏବଂ ଭାରତର ରାଜନେତାମାନଙ୍କୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରୁଛନ୍ତି। ତାଙ୍କଠାରୁ ସେଭଳି ଠୋସ୍ ପ୍ରମାଣ ମିଳିପାରୁ ନାହିଁ। ଘଟଣାରେ ହାସ୍କେ ତାଙ୍କୁ ଫସାଇଥିବା ସେ ଅଭିଯୋଗ କରିଛନ୍ତି। ମାଇକେଲ୍ଙ୍କୁ ସବୁ ଜଣାଥିବା ବେଳେ ସେ ଜାଣିଶୁଣି ନିଜ ଇଚ୍ଛା ଅନୁସାରେ ଜବାବ ଦେଉଛନ୍ତି। ସରକାରଙ୍କ ନିକଟରେ ଦେଣନେଣ ବାବଦରେ କିଛି ଦସ୍ତାବିଜ ଥିବା କୁହାଯିବା ପରେ ସେ ଆକ୍ରାମକ ହୋଇଯାଉଥିବା ଜଣାପଡ଼ିଛି।
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଗତକାଲି ମାଇକେଲ୍ଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହାପରେ କୋର୍ଟ ତାଙ୍କୁ ୫ ଦିନ ସିବିଆଇ ରିମାଣ୍ଡରେ ପଠାଇଥିଲେ। ଅଗସ୍ତା ୱେଷ୍ଟଲାଣ୍ଡ ଚୁକ୍ତି ପାଇଁ ମାଇକେଲ୍ଙ୍କ ସମେତ ୩ ଜଣ ମଧ୍ୟସ୍ଥିଙ୍କୁ କମ୍ପାନି ୪୨୩ କୋଟି ଟଙ୍କାର ଲାଞ୍ଚ ଦେଇଥିଲା। ପ୍ରମୁଖ ମଧ୍ୟସ୍ଥି ମାଇକେଲ୍ ୨୨୫ କୋଟି ଟଙ୍କା ହାତେଇଥିଲେ।