ନୂଆଦିଲ୍ଲୀ: ଅଗସ୍ତା‌ ୱେଷ୍ଟଲ୍ୟାଣ୍ଡ୍‌ ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲାରେ ମଧ୍ୟସ୍ଥି କ୍ରିଷ୍ଟେନ୍‌ ମିସେଲ୍‌ଙ୍କ ସିବିଆଇ ହାଜତ ମିଆଦକୁ ଆ‌ଉ ୪ ଦିନ ବଢ଼ାଯାଇଛି। ଅଧିକ ପ୍ରମାଣ ସହ ମିସେଲ୍‌ଙ୍କୁ ସିବିଆ‌ଇ ଜେରା କରିବାକୁ ଯୋଜନା କରିଥିବାରୁ କୋର୍ଟ ଏହି ହାଜତ ମିଆଦକୁ ବଢ଼ାଇଛନ୍ତି। ସିବିଆଇ ତଦନ୍ତରୁ ଜଣାପଡ଼ିଛି ‌ ଯେ ମିସେଲ ୨୦୦୯ରୁ ୨୦୧୩ ମଧ୍ୟରେ ୨ ଜଣ ବାୟୁସେନା ଅଧିକାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ବିଦେଶ ଗସ୍ତ ବାବଦରେ ୯୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା । ଏ ବାବଦରେ ଅଧିକ ଖୋଳତାଡ଼ ଜାରି ରହିଛି। ମିସେଲ୍‌ଙ୍କ ଓକିଲ ରୋଜ୍‌ମେରି ପାଟ୍ରିଜି ସିବିଆଇ ହାଜତରେ ମିସେଲ୍‌ଙ୍କୁ ଭେଟିବାପାଇଁ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ତଦନ୍ତରେ ମିସେଲ୍‌ ଆବଶ୍ୟକ ସହଯୋଗ କରୁନଥିବାରୁ ଜେରା ପ୍ରକ୍ରିୟା ଅଧିକ ବିଳମ୍ବ ହେଉଥିବା ସିବିଆଇ ଦର୍ଶାଇଛି।