ବୟସ ଏବଂ ଓଜନ ଟ୍ରମ୍ପ୍‌ଙ୍କ ପାଇଁ ବିପଦ

ୱାସିଂଟନ୍‌: କରୋନା ଆକ୍ରାନ୍ତ ହୋଇଥିବା ୭୪ ବର୍ଷୀୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କର ହୃଦ୍‌ ସମସ୍ୟା ମଧ୍ୟ ରହିଛି। ଉଚ୍ଚ ରକ୍ତଚାପ ଏବଂ ହୃଦ୍‌ଘାତ ନିରାକରଣ ପାଇଁ ସେ ଏକ ଔଷଧ ଖାଊଛନ୍ତି। ୨୪୪ ପାଉଣ୍ଡ୍‌ ସହ ଟ୍ରମ୍ପ୍‌ଙ୍କ ଓଜନ ମୋଟାପଣର ସୀମାରେଖା ଅତିକ୍ରମ କରିଯାଇଛି। ଏହିସବୁ କାରଣ ପାଇଁ ଟ୍ରମ୍ପ୍‌ ଅତି ବିପଦରେ ରହିଛନ୍ତି। ହ୍ବାଇଟ୍‌ ହାଉସ୍‌ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, ଟ୍ରମ୍ପ୍‌ଙ୍କର ସାମାନ୍ୟ ଲକ୍ଷଣ ରହିଛି। କିନ୍ତୁ ସଂକ୍ରମଣ କେତେଦୂର ଅଗ୍ରଗତି କରିବ ତାହା ଏବେଠୁ କହିବା ଠିକ୍‌ ହେବନାହିଁ। ସଂକ୍ରାମକ ରୋଗ ବିଶେଷଜ୍ଞ ୱିଲିୟମ୍‌ ସ୍କାଫନର କହିଛନ୍ତି ଟ୍ରମ୍ପ୍‌ଙ୍କ ଓଜନ ଏବଂ ବୟସ ପାଇଁ ସେ ଅତି ବିପଦରେ ରହିଛନ୍ତି। ଟ୍ରମ୍ପ୍‌ ଏବେ ଏକ ସାମରିକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଆସନ୍ତା କିଛିଦିନ ପର୍ଯ୍ୟନ୍ତ ସେ ହସ୍ପିଟାଲ୍‌ରେ ରହିବେ। ‌ତେବେ ଟ୍ରମ୍ପ୍‌ଙ୍କୁ ଶୀଘ୍ର ଆରୋଗ୍ୟ କରିବାପାଇଁ ଡାକ୍ତରମାନେ ଅତି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ତାଙ୍କୁ ଭିଟାମିନ୍‌ ଡି, ଜିଙ୍କ୍‌, ମେଲାଟୋନିନ୍‌, ଫାମୋ‌ଟିଡାଇନ୍‌, ଆଣ୍ଟାସିଡ୍‌ ଏବଂ ଆସ୍ପିରିନ୍‌ ଦିଆଯାଉଛି। ଆମେରିକାରୁ ମିଳିବାକୁ ଥିବା ଉତ୍ତମ ଚିକିତ୍ସା ଦ୍ବାରା ଟ୍ରମ୍ପ୍‌ ଶୀଘ୍ର ସୁସ୍ଥ ହୋଇଯାଇପାରନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର