ଶାବରିମାଲା ମନ୍ଦିରରେ ମହିଳାଙ୍କୁ ପ୍ରବେଶ ଲାଗିଦେଖାଇବାକୁ ହେବ ଜନ୍ମ ପ୍ରମାଣପତ୍ର ଓ ଆଧାର

ତିରୁଭନନ୍ତପୁରମ୍‌ : ଏଥର ମନ୍ଦିରକୁ ଯିବା ପାଇଁ ମଧ୍ୟ ଦେବାକୁ ହେବ ଆଧାର କାର୍ଡ଼ ସହ ଜନ୍ମ ପ୍ରମାଣପତ୍ର । ଦର୍ଶନ କରିବାକୁ ହେଲେ ମହିଳାଙ୍କୁ ନିର୍ଦ୍ଦିଷ୍ଟ ବୟସ ସୀମାରେ ରହିବାକୁ ପଡ଼ିବ । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । ଭକ୍ତମାନଙ୍କ ପାଇଁ ଏଭଳି ନିୟମ ଲାଗୁ କରିବାକୁ ନିଷ୍ପତ୍ତିି ନେଇଛି ଟ୍ରାଭାଙ୍କୋର ଦେବାସ୍ୱମ୍‌ ବୋର୍ଡ଼ (ଟିଡିବି) । ଏହି ନିୟମ କେରଳର ଶାବରିମାଲାରେ ଥିବା ପ୍ରଭୁ ଅୟପ୍ପା ମନ୍ଦିର ପାଇଁ କରା ଯାଇଛି ।

ଏହି ମନ୍ଦିରକୁ ଦର୍ଶନ ପାଇଁ ଯିବାକୁ ହେଲେ ଜଣେ ମହିଳା ଭକ୍ତଙ୍କ ବୟସ ୧୦-୫୦ ବର୍ଷ ମଧ୍ୟରେ ହୋଇ ନ ଥିବା ଦରକାର । ଏବେ ତୀର୍ଥ ସମୟ ଚାଲିଥିବା ବେଳେ ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଟିଡିବି ମନ୍ଦିର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି । ତିନି ମାସର ତୀର୍ଥ ଯାତ୍ରା ସମୟ ଜାନୁଆରି ୧୪ ମକର ସଂକ୍ରାନ୍ତି ଦିନ ସରୁଥିବା ବେଳେ ସେ ପର୍ଯ୍ୟନ୍ତ ଏହି ନିୟମକୁ ଠିକ୍‌ ଭାବେ ପାଳନ କରିବା ପାଇଁ ବୋର୍ଡ଼ ନିର୍ଦ୍ଦେଶ ଦେଇଛି । ଶାବରିମାଲା ମନ୍ଦିରରେ ଥିବା ଅୟପ୍ପା ନାସ୍ତିକ ବ୍ରହ୍ମଚାରୀଥିବାରୁ ଏଭଳି କରାଯାଇଥିବା ଜଣା ପଡ଼ିଛି ।

୧୦-୫୦ବର୍ଷୀୟ ମହିଳାଙ୍କର ମାସିକ ଧର୍ମ ହେଉଥିବାରୁ ସେମାନଙ୍କୁ ମନ୍ଦିର ଭିତରକୁ ନ ଆସିବା ପାଇଁ ଆମେ ଏହି ବ୍ୟବସ୍ଥା ଗ୍ରହଣ କରିଛୁ ବୋଲି ଟିଡିବି ପକ୍ଷରୁ ସ୍ପଷ୍ଟ କରାଯାଇଛି । “ପୂର୍ବରୁ ଏହି ନିୟମ ଲାଗୁ କରାଯାଇଥିଲେ ମଧ୍ୟ କିଛି ମହିଳା ଜୋର ଜବରଦସ୍ତ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଥରେ ଜଣେ ଭକ୍ତ ତାଙ୍କ ଝିଅର ବୟସ ୧୦ ବର୍ଷରୁ କମ ବୋଲି କହି ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ପରେ ଜନ୍ମ ପ୍ରମାଣ ପତ୍ର ଦେଖିବା ପରେ ଝିଅର ବୟସ ୧୧ ବୋଲି ଜଣା ପଡ଼ିଥିଲା । ସେଥି ପାଇଁ ଆମେ ଜନ୍ମ ପ୍ରମାଣ ପତ୍ର ସହ ଆଧାର କାର୍ଡ଼ ପ୍ରମାଣ ହିସାବରେ ଦେଖାଇବାକୁ ଭକ୍ତ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲୁ । ଏବେ ସୁଦ୍ଧା ପ୍ରାୟ ୨୫୦ ମହିଳାଙ୍କର ମନ୍ଦିର ଭିତରକୁ ପ୍ରବେଶ ନିଷେଧ କରି ସାରିଛୁ” ବୋଲି ଟିଡିବିର ଅଧ୍ୟକ୍ଷ ଏ.ପଦ୍ମକୁମାର କହିଛନ୍ତି ।

ସମ୍ବନ୍ଧିତ ଖବର