ପିଲାଙ୍କ ତୁଳନାରେ ବୟସ୍କଙ୍କଠାରେ କରୋନା ଭାଇରସ ସଂକ୍ରମଣର ବିପଦ ଆଶଙ୍କା ଅଧିକ : ଗବେଷଣା ରିପୋର୍ଟ

ଭୁବନେଶ୍ୱର : କରୋନା ଭାଇରସ ନେଇ କେତେକ ଜରୁରୀ ତଥ୍ୟ ସାମନାକୁ ଆସିଛି । ନିକଟରେ ହୋଇଥିବା କେତେକ ଗବେଷଣାରୁ ଜଣାପଡ଼ିଛି ଯେ ଏହି ଭୁତାଣୁ ସଂକ୍ରମିତ ହେଲେ ପିଲାମାନଙ୍କ ତୁଳନାରେ ବୟସ୍କମାନଙ୍କ ପାଇଁ ବିପଦର ଆଶଙ୍କା ଅଧିକ ।

ପେଡିଆଟ୍ରିକ୍ସ ଇନଫେକ୍ଟିଅସ ଡିଜିଜ୍‌ ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ଅନୁସାରେ ନୋଭେଲ କରୋନା ଭାଇରସ (ସାର୍ସ-ସିଓଭି-୨) ଶିଶୁମାନଙ୍କୁ ସଂକ୍ରମିତ ହେଉଥିଲେ ମଧ୍ୟ ତାହା ଦ୍ୱାରା ଶିଶୁମାନେ ଗୁରୁତର ରୋଗରେ ପୀଡ଼ିତ ହେବାର ଆଶଙ୍କା କମ । ତେବେ ବୟସ୍କମାନଙ୍କ ପାଇଁ ଏହି ଭୁତାଣୁ ସଂକ୍ରମଣରେ ବିପଦର ଆଶଙ୍କା ଅଧିକ । ସ୍ୱିଜରଲ୍ୟାଣ୍ଡର ଫିବର୍ଗ ବିଶ୍ୱବିଦ୍ୟାଳୟର ପ୍ରଫେସର ପେଟ୍ରା ଜିମରମ୍ୟାନ ଓ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ବିଶ୍ୱବିଦ୍ୟାଳୟର ପ୍ରଫେସର ନିଗେଲ କର୍ଟିସ ଏହି ଗବେଷଣା କରିଛନ୍ତି ।

ଅନ୍ୟପକ୍ଷରେ କରୋନା ଭାଇରସ ( କୋଭିଡ୍‌-୧୯) ସଂକ୍ରମିତ ଲୋକମାନଙ୍କଠାରେ ପୂର୍ବରୁ ଉଚ୍ଚ ରକ୍ତଚାପ, ମଧୁମେହ ଆଦି ରୋଗ ଥିଲେ କିମ୍ବା ବୟସ ଅଧିକ ହୋଇଥିଲେ ସେମାନଙ୍କ ମୃତ୍ୟୁ ଆଶଙ୍କା ବଢିଯାଏ ବୋଲି ଚୀନର ଗବେଷକମାନେ ଜାଣିପାରିଛନ୍ତି । ଏ ସଂପର୍କରେ ପ୍ରସିଦ୍ଧ ମେଡିକାଲ ଜର୍ଣ୍ଣାଲ ‘ଦି ଲାନସେଟ’ରେ ଏକ ସଂଦର୍ଭ ପ୍ରକାଶିତ ହୋଇଛି । ବିଶ୍ୱରେ ଏବେ କରୋନା ଭାଇରସ ଯୋଗୁଁ ମୃତ୍ୟୁସଂଖ୍ୟା ୫୫୪୭ରେ ପହଞ୍ଚିଥିବାବେଳେ ମୃତକଙ୍କ ମଧ୍ୟରୁ ଅଧିକାଂଶ ବୟସ୍କ ବ୍ୟକ୍ତି ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର