ନାଗରିକତା ଆଇନକୁ ନେଇ ସାରା ଦେଶରେ ବିରୋଧ ଜାରି, ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବ, ଐତିହାସିକ ରାମଚନ୍ଦ୍ର ଗୁହା ଅଟକ

ନୂଆଦିଲ୍ଲୀ : ନାଗରିକତା(ସଂଶୋଧନ) ଆଇନକୁ ନେଇ ଆଜି ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । କେତେକ ସ୍ଥାନରେ ବିରୋଧ ହିଂସାତ୍ମକ ହୋଇଥିବା ଖବର ହସ୍ତଗତ ହୋଇଛି । ରାଜଧାନୀ ଦିଲ୍ଲୀରେ ପ୍ରବଳ ବିରୋଧ ପ୍ରଦର୍ଶନ ଅବ୍ୟାହତ ରହିଛି । ଏହାକୁ ଦୃଷ୍ଟିରେ ରଖି ସହରର କେତେକ ସ୍ଥାନରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି । ପୁଲିସ ପକ୍ଷରୁ ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବ, ପୂର୍ବତନ ଛାତ୍ରନେତା ଉମର ଖାଲିଦ ଓ କଂଗ୍ରେସ ନେତା ସଂଦୀପ ଦିକ୍ଷିତଙ୍କୁ ଅଟକ ରଖାଯାଇଛି । ଅନ୍ୟପକ୍ଷରେ ବେଙ୍ଗାଲୁରୁରେ ବିକ୍ଷୋଭ କରୁଥିବା ଲେଖକ ତଥା ଐତିହାସିକ ରାମଚନ୍ଦ୍ର ଗୁହାଙ୍କୁ ପୁଲିସ ଅଟକ ରଖିଛି । ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ଏସବୁ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀର ମଣ୍ଡିହାଉସ, ସିଲମପୁର,ଜାଫରବାଦ,ମୁସ୍ତାଫାବାଦ,ଜାମିଆ ନଗର,ସାହିନ ବାଗ ଓ ବାଓ୍ଵାନା ଆଦି ଅଞ୍ଚଳରେ ମୋବାଇଲ କଲ ଓ ଏସଏମଏସ ସେବାକୁ ବନ୍ଦ ରଖାଯାଇଛି । ଦିଲ୍ଲୀ ପୁଲିସର ନିର୍ଦ୍ଦେଶକ୍ରମେ ଏୟାରଟେଲ,ଭୋଡ଼ାଫୋନ, ଜିଓ, ବିଏସଏନଏଲ ଆଦି କମ୍ପାନି ମୋବାଇଲ ସେବା ବନ୍ଦ କରିଛନ୍ତି ।

ଉତ୍ତରପ୍ରଦେଶର ସମ୍ବଲରେ  କେତେକ ବିକ୍ଷୋଭକାରୀ ରାଜ୍ୟ ସରକାରଙ୍କ ଏକ ଯାତ୍ରୀବାହୀ ବସକୁ ନିଆଁ ଲଗାଇଦେଇଛନ୍ତି । ଏହାଛଡ଼ା ଅନ୍ୟକେତେକ ବସକୁ ଭାଙ୍ଗି ଦେଇଛନ୍ତି । ଗତକାଲିଠାରୁ ସମଗ୍ର ରାଜ୍ୟରେ ଧାରା ୧୪୪ ଲାଗୁ କରାଯାଇଛି । ସମାଜବାଦୀ ପାର୍ଟି ପକ୍ଷରୁ ଆଜିର ବନ୍ଦ ଡାକରା ଦିଆଯାଇଥିଲା । ସେହିପରି ଲକ୍ଷ୍ନୌରେ ଚାଲିଥିବା ବିରୋଧ ପ୍ରଦର୍ଶନ ହିଂସାତ୍ମକ ହେବାରୁ ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା ।

ସମ୍ବନ୍ଧିତ ଖବର