ଥମୁନି ‘ଅଗ୍ନିପଥ’ ନିଆଁ; ୧୨ ଟ୍ରେନ୍‌ ଜାଳିଦେଲେ, ୨୦୦ରୁ ଅଧିକ ଟ୍ରେନ୍‌ ବାତିଲ୍‌

ତେଲେଙ୍ଗାନାରେ ଗୁଳିମାଡ଼: ଜଣେ ମୃତ, ୧୩ ଆହତ
ବିହାର ଉପମୁଖ୍ୟମନ୍ତ୍ରୀ, ବିଜେପି ସାଂସଦଙ୍କ ଘର ଉପରେ ଆକ୍ରମଣ, ବିହାରରେ ଜଣଙ୍କ ମୃତ୍ୟୁ
ଶାନ୍ତିରକ୍ଷା ପାଇଁ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ନିବେଦନ
ରେଳସମ୍ପତ୍ତି ନଷ୍ଟ ନକରିବାପାଇଁ ରେଳମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ : ସେନାବାହିନୀରେ ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ‘ଅଗ୍ନିପଥ’ ବିରୋଧରେ ଆନ୍ଦୋଳନ ଓ ହିଂସା ୧୦ରୁ ଅଧିକ ରାଜ୍ୟକୁ ବ୍ୟାପିଛି। ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ହରିୟାଣା, ମଧ୍ୟପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ, ଦିଲ୍ଲୀ, ରାଜସ୍ଥାନ ଓ ଓଡ଼ିଶାରେ ମଧ୍ୟ ଶୁକ୍ରବାର ଦିନ ଆନ୍ଦୋଳନ ହୋଇଛି। ଆନ୍ଦୋଳନକାରୀମାନେ ୧୨ଟି ଟ୍ରେନ୍‌ରେ ନିଆଁ ଲଗାଇ ଦେଇଛନ୍ତି। ଆନ୍ଦୋଳନ ଯୋଗୁଁ ୨୦୦ରୁ ଅଧିକ ଟ୍ରେନ୍‌ ବାତିଲ୍‌ ହୋଇଛି। ପୂର୍ବ କେନ୍ଦ୍ରୀୟ ରେଳବାଇ(ଇସିଆଇ)ରେ ୧୬୪ ଟ୍ରେନ୍‌ ବାତିଲ ହୋଇଥିବାବେଳେ ଉତ୍ତର ପୂର୍ବ ରେଳବାଇ (ଏନ୍‌ଇଆର)ରେ ୩୪, ଉତ୍ତର ରେଳବାଇରେ ୧୩ ଏବଂ ଉତ୍ତରପୂର୍ବ ଫ୍ରଣ୍ଟିୟର ରେଳବାଇରେ ପ୍ରାୟ ୩ଟି ଟ୍ରେନ୍‌ ବାତିଲ ହୋଇଛି।

ମୋଟ୍‌ ୨୧୪ ଟ୍ରେନ୍‌ ବାତିଲ୍‌ ହୋଇଛି, ୧୧ଟି ‌‌ଟ୍ରେନ୍‌ର ଦିଗ ପରିବର୍ତ୍ତନ କରାଯାଇଛି ଏବଂ ୯୦ଟି ଟ୍ରେନ୍‌ ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିନାହାନ୍ତି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ତେଲେଙ୍ଗାନାର ସିକନ୍ଦରାବାଦରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଏନଏସ୍‌ୟୁଆଇ ଛାତ୍ରମାନେ ଟ୍ରେନ୍‌ ଉପରକୁ ପଥରମାଡ଼ କରିଛନ୍ତି। ସିକନ୍ଦରାବାଦ ରେଳଷ୍ଟେସନ୍‌ରେ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାପାଇଁ ପୁଲିସ ଗୁଳିମାଡ଼ କରିଥିଲା। ଏଥିରେ ଜଣେ ୧୯ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି ଏବଂ ୧୫ ଜଣ ଆହତ ହୋଇଛନ୍ତି। ଆନ୍ଦୋଳନକାରୀମାନେ ସିକନ୍ଦରାବାଦ ରେଳ ଷ୍ଟେସନ୍‌ରେ ଏକ ଟ୍ରେନ୍‌ ଜାଳି ଦେଇଛନ୍ତି।

ବିହାରରେ ହିଂସା ଭୟଙ୍କର ରୂପ ନେଇଛି। ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ବେଟ୍ଟିଆରେ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କ ଘର ଉପରେ ଶୁକ୍ରବାର ଦିନ ଆନ୍ଦୋଳନକାରୀମାନେ ଆକ୍ରମଣ କରିଛନ୍ତି। ଉକ୍ତ ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ରେଣୁ ଦେବୀ କହିଛନ୍ତି, ଏଭଳି ହିଂସା ସମାଜ ପାଇଁ ଅତି ବିପଜ୍ଜନକ ଏବଂ ଆନ୍ଦୋଳନକାରୀମାନେ ମ‌ନେ ରଖିବା ଉଚିତ ଯେ, ସମାଜ ପାଇଁ ଏହା ଏକ ବଡ଼ କ୍ଷତି। ସେହିପରି ବିହାର ବିଜେପି ମୁଖ୍ୟ ଏବଂ ବେଟ୍ଟିଆ ସାଂସଦ ଡା ସଂଜୟ ଜୟସ୍ବାଲ୍‌ଙ୍କ ପାଟନାସ୍ଥିତ ବାସଭବନ ଉପରକୁ ଆନ୍ଦୋଳନକାରୀମାନେ ପଥର ମାଡ଼ କରିଛନ୍ତି। ବିହାରର ଦାନାପୁର ରେଳଷ୍ଟେସନରେ ପୋଡ଼ାଜଳା ଏବଂ ହିଂସା‌ ଯୋଗୁଁ ୨୪ ଆନ୍ଦୋଳନକାରୀ ଗିରଫ ହୋଇଛନ୍ତି। ବିହାରର ହାଜିପୁର ରେଳ‌ ଷ୍ଟେସନ୍‌ରେ ପୁଲିସ ଶତାଧିକ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି। ମା‌ଧେପୁରରେ ଆନ୍ଦୋଳନକାରୀମାନେ ବି‌ଜେପି ଅଫିସ୍‌ ଜାଳି ଦେଇଛନ୍ତି। ଅନ୍ୟପ‌କ୍ଷେ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ଆରଜେଡି ଆସନ୍ତାକାଲି ବିହାରବନ୍ଦ ଡାକରା ଦେଇଛି। ବିହାରର ଲଖିସରାଇରେ ମଧ୍ୟ ଆନ୍ଦୋଳନକାରୀମାନେ ଟ୍ରେନ୍‌ରେ ନିଆଁ ଲଗାଇ ଦେବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି ଏବଂ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ବିହାରର ଆରାରେ ମଧ୍ୟ ଆନ୍ଦୋଳନକାରୀମାନେ କୁହେଡିୟା ଷ୍ଟେସନରେ ଏକ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଛନ୍ତି। ସେହିପରି ସାସାରାମରେ ଆନ୍ଦୋଳନକାରୀମାନେ ଏକ ଟୋଲ୍‌ ପ୍ଲାଜା, ବିଜେପି ଜିଲ୍ଲା ଅଫିସରେ ନିଆଁ ଲଗାଇ ଦେଇଛନ୍ତି ଏବଂ ଜିଲ୍ଲାପାଳଙ୍କ ଅଫିସ୍‌ ଭଙ୍ଗାରୁଜା କରିଛନ୍ତି। ଆନ୍ଦୋଳନକାରୀଙ୍କ ପଥର ମାଡ଼ ଯୋଗୁଁ ସାସାରାମ୍‌ରେ ୨ ପୁଲିସ ଆହତ ହୋଇଛନ୍ତି। ‌ସମସ୍ତିପୁର‌ରେ ଲୋହିତ ଏକ୍ସପ୍ରେସ୍‌ରେ ଆନ୍ଦୋଳନକାରୀମାନେ ନିଆଁ ଲଗାଇ ଦେଇଛନ୍ତି।

ଉତ୍ତରପ୍ରଦେଶରେ ୧୭ଟି ସ୍ଥାନରେ ଆନ୍ଦୋଳନ ହୋଇଥିବା ଖବର ମିଳିଛି। ବାଲିଆ ଏବଂ ଆଲିଗଡ଼ରେ ପୋଡ଼ାଜଳା ହୋଇଛି। ଆଲିଗଡ଼ର ଟପ୍ପଲ ନିକଟସ୍ଥ ଯମୁନା ଏକ୍ସପ୍ରେସ୍‌ୱେରେ ଆନ୍ଦୋଳନକାରୀମାନେ ଏକ ବସ୍‌ରେ ନିଆଁ ଲଗାଇ ଦେଇଛନ୍ତି। ବାରଣାସୀରେ ଅଗ୍ନିପଥ ଯୋଜନାକୁ ବିରୋଧ କରି ବସ୍‌ ଉପରକୁ ପଥର ମାଡ଼ ହୋଇଛି। ବାଲିଆରେ ଆନ୍ଦୋଳନକାରୀମାନେ ଏକ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଛନ୍ତି ଏବଂ ୨ଟି ଟ୍ରେନ୍‌ ଭଙ୍ଗାରୁଜା କରିଛନ୍ତି । ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଶାନ୍ତି ରକ୍ଷା ପାଇଁ ନିବେଦନ କରିଛନ୍ତି। ଇତି ମଧ୍ୟରେ ରେଳମନ୍ତ୍ରୀ ଆଶ୍ବିନୀ ବୈଷ୍ଣବ ଯୁବଗୋଷ୍ଠୀଙ୍କୁ ହିଂସାରେ ସାମିଲ ନହେବା ପାଇଁ ଏବଂ ରେଳ ସମ୍ପତ୍ତି ନଷ୍ଟ ନକରିବାପାଇଁ ଅନୁରୋଧ କରିଛନ୍ତି।

ଉତ୍ତରାଖଣ୍ଡରେ ମଧ୍ୟ ଆଜି ଆନ୍ଦୋଳନ ହୋଇଛି। ଉତ୍ତରାଖଣ୍ଡର ହଲଦୱାନିରେ ବ୍ୟାପକ ଆନ୍ଦୋଳନ ଯୋଗୁଁ ଜାତୀୟ ରାଜପଥ ଜାମ୍‌ ରହିଛି। ହଲଦୱାନିରେ ବ୍ୟାପକ ପୁଲିସ ବାହିନୀ ମୁତୟନ ହୋଇଛନ୍ତି। ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ଆନ୍ଦୋଳନ ତୀବ୍ର ହୋଇଥିବାରୁ ଗୁରୁଗ୍ରାମରେ ଧାରା ୧୪୪ ଜାରି ହୋଇଛି। ସେହିପରି ଦିଲ୍ଲୀର ଆଇଟିଓ ନିକଟରେ ଆଜି ଆନ୍ଦୋଳନ ହୋଇଛି। ଆଇଟିଓ ନିକଟରୁ ୨୫ରୁ ଅଧିକ ଆନ୍ଦୋଳନରତ ଛାତ୍ରଙ୍କୁ ଅଟକ ରଖାଯାଇଛି। ଦିଲ୍ଲୀରେ ଆନ୍ଦୋଳନକାରୀମାନେ ଅନେକ ବସ୍‌ ଭଙ୍ଗାରୁଜା କରିଛନ୍ତି। ହରିୟାଣାରେ ମଧ୍ୟ ଆନ୍ଦୋଳନ ହୋଇଛି । ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲାରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ପଶ୍ଚିମବଙ୍ଗରେ ମଧ୍ୟ ଅଗ୍ନିପଥ ଯୋଜନାକୁ ବିରୋଧ କରି ଜୋରଦାର ଆନ୍ଦୋଳନ ହୋଇଛି। ଆନ୍ଦୋଳନକାରୀମାନେ ହାଓଡ଼ା ବ୍ରିଜ୍‌‌ରେ ରାସ୍ତା ଜାମ୍‌ କରିଦେଇଛନ୍ତି। କିଛି ସ୍ଥାନରେ ହିଂସା ଉପୁଜିଛି। ପୂର୍ବ କେନ୍ଦ୍ରୀୟ ‌ରେଳବାଇ ଅଞ୍ଚଳରେ ଟ୍ରେନ୍‌ ସେବା ବ୍ୟାହତ ହୋଇଛି।

ସମ୍ବନ୍ଧିତ ଖବର