‘ଅଗ୍ନିପଥ’ ଯୋଜନା: ରାଷ୍ଟ୍ରପତିଙ୍କୁ ଭେଟିଲେ ବରିଷ୍ଠ କଂଗ୍ରେସ ନେତା

ନୂଆଦିଲ୍ଲୀ: ‘ଅଗ୍ନିପଥ’ ଯୋଜନା ଏବଂ ରାହୁଲଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଜେରାକୁ ବିରୋଧ କରି ଆନ୍ଦୋଳନ କରିଥିବା କଂଗ୍ରେସ ସାଂସଦଙ୍କୁ ପୁଲିସର ଦୁର୍ବ୍ୟବହାର ଅଭିଯୋଗରେ ଆଜି କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ରା‌ଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ବରିଷ୍ଠ ନେତା ଅଧୀର ରଂଜନ ଚୌଧୁରୀ, ପି ଚିଦମ୍ବରମ, ଜୟରାମ ରାମେଶ, ସଚିନ ପାଇଲଟ, ସଲମାନ ଖୁର୍ସିଦ, ଭୂପେନ୍ଦ୍ର ବଘେଲ, ମଲ୍ଲିକାର୍ଜୁନ ଖଡ଼ଗେ ଏବଂ କେସି ବେଣୁଗୋପାଳ ଆଦି ଥିଲେ। ଏହା ପୂର୍ବରୁ ପାଖାପାଖି ୫୦ ଜଣ କଂଗ୍ରେସ ସାଂସଦ ପାର୍ଲାମେଣ୍ଟ ପରିସରରେ ବୈଠକ କରିଥିଲେ। ସେଠାରୁ ସେମାନେ ବିଜୟ ଚୌକ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇଥିଲେ।

ବିଜୟ ଚୌକଠାରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ସେହିପରି ଭାରତୀୟ ଯୁବ କଂଗ୍ରେସ କର୍ମୀଙ୍କ ଦ୍ବାରା ଆଜି ପୃଥକ ଭାବେ ଅନ୍ୟ ଏକ ଆନ୍ଦୋଳନ କରାଯାଇଛି। କଂଗ୍ରେସ ନେତାମାନେ କହିଛନ୍ତି, ପ୍ରଥମେ ଅଗ୍ନିପଥ ଯୋଜନା ସଂକ୍ରାନ୍ତରେ ଯୁବଗୋଷ୍ଠୀଙ୍କ ସହ ଏବଂ ସଂସଦରେ ଆଲୋଚନା ହେବା ଉଚିତ। କିନ୍ତୁ ଏହା ପୂର୍ବରୁ ଏହି ଯୋଜନାକୁ ପ୍ରତ୍ୟାହାର କରିନିଆଯିବା ଉଚିତ୍‌ ବୋଲି କଂଗ୍ରେସ ନେତା ଅଜୟ ମାକେନ କହିଛନ୍ତି। ହରିୟାଣା କଂଗ୍ରେସ କର୍ମୀମାନେ ଆଜି ଜନ୍ତର ମନ୍ତର ଅଭିମୁଖେ ଆନ୍ଦୋଳନରେ ଯାଉଥିବାବେଳେ ସେମାନଙ୍କୁ ଦିଲ୍ଲୀ ସୀମା ନିକଟରେ ଅଟକ ରଖାଯାଇଥିବା କଂଗ୍ରେସ ସାଂସଦ ଦୀପେନ୍ଦ୍ର ହୁଦା ଏକ ଟ୍ବିଟ୍‌ କରି କହିଛନ୍ତି। ସରକାର ନୂଆ ସାମରିକ ନିଯୁକ୍ତି ମଡେଲ ଦ୍ବାରା ଯୁବଗୋଷ୍ଠୀଙ୍କୁ ଧୋକା ଦେଉଛନ୍ତି ଏବଂ ପୂର୍ବତନ କଂଗ୍ରେସ ମୁଖ୍ୟଙ୍କୁ ଟାର୍ଗେଟ୍‌ କରି ପ୍ରତିଶୋଧମୂଳକ ରାଜନୀତି କରୁଛନ୍ତି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର