ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ଅବାନ୍ତର ନୁହେଁ, ବୈଧ୍ୟ ବୋଲି ଆଜି ଦୁଇଟି ଆବେଦନକୁ ଖାରଜ କରି ଆଜି ସୁପ୍ରିମ୍‌ କୋର୍ଟ ଘୋଷଣା କରିଛନ୍ତି।

Advertisment

ଏ ଦୁଇଟି ପିଟିସନ୍‌ ଅଗ୍ନିପଥ ଯୋଜନା ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ୍‌ କରି ଦାଏର କରାଯାଇଥିଲା।

ଜନସ୍ବାର୍ଥ ମାମଲା ଏହି ଯୋଜନାର ଅନ୍ୟ ବୈଶିଷ୍ଟ୍ୟଗୁଡ଼ିକୁ ଗୌଣ କରି ପକାଉଛି ବୋଲି ଦର୍ଶାଇ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଏବଂ ବିଚାରପତି ପି. ଏସ୍‌. ନରସିଂହ ଓ ଜେ. ବି. ପାର୍ଦିୱାଲାଙ୍କୁ ନେଇ ଗଠିତ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, ଅଗ୍ନିପଥ ‌ଯୋଜନା ପ୍ରଚଳନ ହେବା ପୂର୍ବରୁ ରାଲି, ପ୍ରାର୍ଥୀମାନେ ଶାରୀରିକ ଓ ଡାକ୍ତରୀ ପରୀକ୍ଷା ଭଳି ଚୟନ ପ୍ରକ୍ରିୟାରେ ପ୍ରତିରକ୍ଷା ବଳ ପାଇଁ ମନୋନୀତ ହେଉଥିଲେ। କିନ୍ତୁ, ନିଯୁକ୍ତି ପାଇଁ ସେମାନଙ୍କର ପୂର୍ଣ୍ଣ ଅଧିକାର ନ ଥିଲା।

ତେଣୁ, ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିବାକୁ ଚାହୁଁ ନାହୁଁ। ହାଇକୋର୍ଟ ସବୁ ଦିଗ ପ୍ରତି ଦୃଷ୍ଟି ଦେଇ ରାୟ ଦେଇଛନ୍ତି ବୋଲି ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି।

ଆଜି ସୁପ୍ରିମ୍‌ କୋର୍ଟ ଖାରଜ କରିଥିବା ପିଟିସନ୍‌ ଦୁଇଟିକୁ ପୃଥକ୍‌ ଭାବେ ଗୋପାଳକୃଷ୍ଣ ଓ ଆଡ୍‌ଭୋକେଟ୍‌ ଏମ୍‌. ଏଲ୍‌. ଶର୍ମା ହାଇକୋର୍ଟଙ୍କ ରାୟ ବିରୋଧରେ ଦାଏର କରିଥିଲେ।

ଏହାଛଡ଼ା, ଅଗ୍ନିପଥ ଯୋଜାନା ପ୍ରଚଳନ ପୂର୍ବରୁ ଭାରତୀୟ ବାୟୁସେନା ନିଯୁକ୍ତି ଉପରେ ଚିନ୍ତାବ୍ୟକ୍ତ କରି ଆଗତ ଆଉ ଏକ ସଦ୍ୟ ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ଏପ୍ରିଲ୍‌ ୧୭ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। ଏଥିପାଇଁ ଜବାବ ଦାଖଲ କରିବାକୁ ମଧ୍ୟ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌ କ‌ୋର୍ଟ ନିର୍ଦେଶ ଦେଇଛନ୍ତି।