‘ଅଗ୍ନିପଥ’ ବିରୋଧରେ ଆଜି ଭାରତ ବନ୍ଦ ! ବିଭିନ୍ନ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଝାଡ଼ଖଣ୍ଡରେ ସ୍କୁଲ୍‌ ବନ୍ଦ

ନୂଆଦିଲ୍ଲୀ :ବିଳମ୍ବିତ ରାତିରେ ପ୍ରାପ୍ତ ଖବର ଅନୁସାରେ ‘ଅଗ୍ନିପଥ’କୁ ବିରୋଧ କରି ଆଜି (ସୋମବାର) କେତେକ ସଂଗଠନ ଭାରତ ବନ୍ଦ ପାଇଁ ଆହ୍ବ‌ାନ ଦେଇଛନ୍ତି। ସେହିଭଳି ଅଗ୍ନିପଥକୁ ବିରୋଧକରି ଆଜି କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ସତ୍ୟାଗ୍ରହ କରାଯିବ ବୋଲି ଘୋଷଣା କରାଯ‌ାଇଛି। ତେବେ କେଉଁ ସବୁ ସଂଗଠନ ଏହି ବନ୍ଦ ଡାକରା ଦେଇଛନ୍ତି ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ। ଏ ସଂପର୍କିତ ଅଧିକ ଖବରକୁ ଅପେକ୍ଷା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି। ଉତ୍ତର ପ୍ରଦେଶ, ବିହାର, ହରିଆଣା ଓ ଝାଡ଼ଖଣ୍ଡ ସମ୍ବେଦନଶୀଳ ଅଞ୍ଚଳରେ ଅଧିକ ପୁଲିସ ବାହିନୀ ମୁତୟନ କରାଯାଇଛି। ଅପ୍ରୀତିକର ପରିସ୍ଥିତିର ମୁକାବିଲା ଲାଗି ସତର୍କ ରହିବାକୁ କୁହାଯାଇଛି। ଝାଡ଼ଖଣ୍ଡରେ ଆସନ୍ତାକାଲି ସମସ୍ତ ସ୍କୁଲ୍‌ କଲେଜକୁ ବନ୍ଦ କରିଦିଆଯାଇଛି। ଏହି ବନ୍ଦ ପାଳନ ପାଇଁ କେଉଁ ସଂଗଠନ ଆହ୍ବାନ ଦେଇଛି ତାହା ଜଣାପଡ଼ି ନଥିଲେ ମଧ୍ୟ ଗୁଇନ୍ଦା ରିପୋର୍ଟକୁ ଆଧାର କରି ବିଭିନ୍ନ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

ବିଭିନ୍ନ ରାଜ୍ୟରେ ଏବଂ ବିଶେଷ‌ କରି ବିହାର, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ‘ଅଗ୍ନିପଥ’ ଯୋଜନା ବିରୋଧରେ ହିଂସାତ୍ମକ ପ୍ରତିବାଦ ପଛରେ ସଶସ୍ତ୍ର ସେନାରେ ନିଯୁକ୍ତି ନିମନ୍ତେ ଯୁବକମାନଙ୍କୁ ପ୍ରସ୍ତୁତ କରାଉଥିବା କୋଚିଂ ସେଣ୍ଟରଗୁଡ଼ିକର ହାତ ରହିଛି। ଆନ୍ଧ୍ର ପୁଲିସ ଆବୁଲା ସୁବ୍ବା ରାଓ ନାମକ ସେନାର ଜଣେ ଅବସରପ୍ରାପ୍ତ ହାବିଲଦାରଙ୍କୁ କେନ୍ଦ୍ରର ଯୋଜନା ବିରୋଧରେ ପିଲାମାନଙ୍କୁ ମତେଇବା ଅଭିଯୋଗରେ ଗିରଫ କରିଛି। ସେ ଅନେକ କୋଚିଂ ସେଣ୍ଟର ଚଳାଉଛନ୍ତି। କିନ୍ତୁ ଅନେକ ଶିକ୍ଷକ ଓ କୋଚିଂ ସେଣ୍ଟର ମାଲିକ ଏହି ଅଭିଯୋଗକୁ ଅସ୍ବୀକାର କରିବା ସହ ସେମାନଙ୍କୁ ଫସାଯାଉଥିବା ଅଭିଯୋଗ କରିଛନ୍ତି। ତେଣେ ଅଗ୍ନିପଥ ଯୋଜନା ଓ ଅଗ୍ନିବୀର ସଂପର୍କରେ ମିଥ୍ୟା ଖବର ପ୍ରସାର କରୁଥିବା କାରଣରୁ ଗୃହ ମନ୍ତ୍ରାଳୟ ୩୫ଟି ହ୍ବାଟ୍‌ସଆପ୍‌ ଗ୍ରୁପ୍‌କୁ ନିଷିଦ୍ଧ କରିଛି।

ଇତିମଧ୍ୟରେ ସରକାରଙ୍କ ପକ୍ଷରୁ ଆଜି ସ୍ପଷ୍ଟ କରିଦିଆଯାଇଛି ଯେ ଅଗ୍ନପିଥ ‌ଯୋଜନାକୁ ପ୍ରତ୍ୟାହାର କରିବାର ପ୍ରଶ୍ନ ଉଠୁନାହିଁ। ଏବେ ଏହି ଯୋଜନାରେ ଯେଉଁ ସଂଶୋଧନ କରାଯାଉଛି ତାହା ଆଗରୁ ବିଚାରାଧୀନ ଥିଲା। ତେବେ ଏହି ଯୋଜନାକୁ ବିରୋଧ କରି ଯେଉଁମାନେ ଆନ୍ଦୋଳନ ଚଳାଇଥିଲେ ସେମାନଙ୍କୁ ଅଗ୍ନିବୀର ଭ‌ାବେ ନିଯୁକ୍ତି ମିଳିବ ନାହିଁ। ବରିଷ୍ଠ ସେନା ଅଧିକାରୀ ଅନୀଲ ପୁରୀ ରବିବାର ଦିନ ଏକ ସାମ୍ବିଦିକ ସମ୍ମିଳନୀରେ କହିଛନ୍ତି ଯେ ସେନାରେ ବିଶୃଙ୍ଖଳାକାରୀଙ୍କର ସ୍ଥାନ ନାହିଁ। ଏହି ମାମଲାରେ ‌ଯେଉଁ ଆନ୍ଦୋଳନକାରୀଙ୍କ ବିରୋଧ‌ରେ ଏଫଆଇଆର ଦାଖଲ ହୋଇଥିବ ସେମାନଙ୍କୁ ଏହି ଯୋଜନାରେ ନିଯୁକ୍ତି ମିଳିବ ନାହିଁ।

ଅନ୍ୟପକ୍ଷରେ ପାଟନାରୁ ମିଳିଥିବା ରିପୋର୍ଟ ଅନୁଯାୟୀ ବିହାରର ତରେଗନା ରେଳ ଷ୍ଟେସନରେ ଜିଆର୍‌ପି କର୍ମଚାରୀଙ୍କ ସହ ଆନ୍ଦୋଳନକାରୀଙ୍କ ହିଂସାତ୍ମକ ସଂଘର୍ଷ ପରେ ଶନିବାର ଦୁଇଟି କୋଚିଂ ସେଣ୍ଟର ବିରୋଧରେ ମାମଲା ରୁଜୁ କରାଯାଇଛି। ଭିଡିଓ ଓ ଅଡିଓ କ୍ଲିପ୍ ଏବଂ ମୋବାଇଲ ଡାଟାକୁ ଭିତ୍ତି କରି ବିହାର ପୁଲିସ ଅନ୍ୟ କୋଚିଂ ସେଣ୍ଟରଗୁଡ଼ିକର ଭୂମିକା ବିଷୟରେ ମଧ୍ୟ ଯାଞ୍ଚ କରୁଛି। ଗତ ତିନି ଦିନ ଭିତରେ ଭିଡିଓ ଫୁଟେଜକୁ ଭିତ୍ତି କରି ବିହାରର ପ୍ରାୟ ୭୦୦ ହିଂସାକାରୀଙ୍କୁ ଚିହ୍ନଟ କରି ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଅନେକେ ଗତ ଛଅମାସ ତଳେ ରେଲୱେ ନିଯୁକ୍ତି ବୋର୍ଡ ଅଣବୈଷୟିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବୋର୍ଡ ବିରୋଧରେ ଆନ୍ଦୋଳନ କରିଥିଲେ। ସେହିଭଳି ଆନ୍ଧ୍ର ଓ ତେଲେଙ୍ଗାନା ପୁଲିସ ସୁବ୍ବାରାଓଙ୍କ କୋଚିଂ ସେଣ୍ଟରଗୁଡ଼ିକରେ ପାଠ ପଢ଼ୁଥିବା ପ୍ରାୟ ୧୦୦ ଜଣଙ୍କୁ ଚିହ୍ନଟ କରିଛି, ଯେଉଁମାନେ ସିକନ୍ଦରାବାଦରେ ହିଂସାତ୍ମକ ପ୍ରତିବାଦ କରିଥିଲେ। ୯ଟି କୋଚିଂ ସେଣ୍ଟର ଚଳାଉଥିବା ସୁବ୍ବାରାଓ ସେମାନଙ୍କୁ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେବା ସହ ହ୍ବାଟ୍‌ଆପ୍ ବାର୍ତ୍ତା ମାଧ୍ୟମରେ ଆନ୍ଦୋଳନ ପାଇଁ ଉସକାଇଥିଲେ। ସୁବ୍ବା ରାଓଙ୍କୁ ଗିରଫ କରି ଏକ ଅଜଣା ସ୍ଥାନରେ ଜେରା କରାଯାଉଛି।

Image Courtesy of NDTV

ଶନିବାର ସିକନ୍ଦରାବାଦରେ ୪୫ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ସେମାନେ ତେଲେଙ୍ଗାନାର ବିଭିନ୍ନ ଜିଲ୍ଲାରୁ ଆନ୍ଦୋଳନ ପାଇଁ ଆସିଥିଲେ। ପାଟନା ଜିଲ୍ଲାପାଳ ଚନ୍ଦ୍ରଶେଖର ସିଂହ କହିଛନ୍ତି ପାଟନାରେ ଥିବା କୋଚିଂ ସେଣ୍ଟରଗୁଡ଼ିକ ଦ୍ବାରା ପିଲାମାନଙ୍କୁ ମତାଯାଇଥିଲା। ଗିରଫ ହୋଇଥିବା ପିଲାମାନଙ୍କ ହ୍ବାଟ୍‌ସଆପ୍ ମେସେଜରୁ କୋଚିଂ ସେଣ୍ଟରଗୁଡ଼ିକ ହିଂସାର ମୂଳ ବୋଲି ଜଣାପଡ଼ିଛି।

ସେନାର ୪ ବର୍ଷ ପାଇଁ ନିଯୁକ୍ତି ଲାଗି ଉଦ୍ଦିଷ୍ଟ କେନ୍ଦ୍ର ସରକାରଙ୍କ ଏହି ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ଅନେକ ରାଜ୍ୟରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଆନ୍ଦୋଳନକାରୀ ଯୁବକମାନେ ଅନେକ ଟ୍ରେନରେ ନିଆଁ ଲଗା‌ଇବା ସହିତ ବ୍ୟାପକ ସରକାରୀ ସଂପତ୍ତି ନଷ୍ଟ କରିଛନ୍ତି। ଆନ୍ଦୋଳନ ପରେ ସରକାର ଏହି ଯୋଜନାରେ ଅନେକ ରିହାତି ଘୋଷଣା କରିଥିଲେ ମଧ୍ୟ ଆନ୍ଦୋଳନକାରୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ସେମାନେ ଏବେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଏବଂ ରାସ୍ତା ଅବରୋଧ ଚଳାଇଛନ୍ତି।

ସମ୍ବନ୍ଧିତ ଖବର