ନୂଆଦିଲ୍ଲୀ : ସେନାରେ ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ଏବେ ଦେଶବ୍ୟାପୀ ଯେଉଁ ଆନ୍ଦୋଳନ ଓ ହିଂସାର ନିଆଁ ବ୍ୟାପିଛି ତାହା ଥମିବାର ନାଁ ନେଉନି। ବିଭିନ୍ନ ରାଜ୍ୟରେ ହିଂସା ଓ ପୋଡ଼ାଜଳା ସହ ବ୍ୟାପକ ସମ୍ପତ୍ତି ନଷ୍ଟ ଏବେ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇଛି। ଯୋଜନାକୁ ନେଇ ବିରୋଧ ବଢ଼ୁଥିବାରୁ କେନ୍ଦ୍ର ସରକାର ଏହି ଯୋଜନାରେ ଅନେକ ପରିବର୍ତ୍ତନ ଆଣି ‘ଅଗ୍ନିବୀର’ଙ୍କ ଭବିଷ୍ୟତ ସୁରକ୍ଷିତ ରଖିବା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଉଭୟ ପ୍ରତିରକ୍ଷା ବିଭାଗ ଏବଂ ସ୍ବରାଷ୍ଟ୍ର ବିଭାଗ ସେମାନଙ୍କ ଅଧୀନରେ ଥିବା ବିଭିନ୍ନ ସଶସ୍ତ୍ର ବାହିନୀରେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ ସରକାର ଘୋଷଣା କରିଛନ୍ତି ଏସଂପର୍କରେ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ଆବଶ୍ୟକ ପଡ଼ିଲେ ‘ଅଗ୍ନିବୀର’ଙ୍କ ଲାଗି ଅଧିକ ରିହାତି ବ୍ୟବସ୍ଥା କରାଯିବ।
ପ୍ରତିରକ୍ଷା ବାହିନୀ, ସିଏପିଏଫ୍, ଆସାମ ରାଇଫଲ୍ସରେ ୧୦% ସଂରକ୍ଷଣ
ଅଗ୍ନିବୀରଙ୍କ ପାଇଁ ବୟସ ସୀମା କୋହଳ
/sambad/media/post_attachments/wp-content/uploads/2022/06/agnipath-fff-300x169.jpg)
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରତିରକ୍ଷା ମନ୍ତ୍ରାଳୟରେ ‘ଅଗ୍ନିବୀର’ଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ସ୍ବୀକୃତି ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟରେ ଖାଲି ଥିବା ଚାକିରିରୁ ୧୦ ପ୍ରତିଶତ ‘ଅଗ୍ନିବୀର’ଙ୍କ ପାଇଁ ସଂରକ୍ଷିତ ରଖାଯିବ। ଆବଶ୍ୟକ ଯୋଗ୍ୟତା ପୂରଣ କରୁଥିବା ‘ଅଗ୍ନିବୀର’ ପ୍ରତିରକ୍ଷା ମନ୍ତ୍ରାଳୟରେ ଚାକିରି ପାଇବେ। ଭାରତୀୟ ତଟରକ୍ଷୀ ବାହିନୀ, ଡିଫେନ୍ସ ସିଭିଲିଆନ ପୋଷ୍ଟ ଏବଂ ସମସ୍ତ ୧୬ ଡିଫେନ୍ସ ପବ୍ଲିକ ସେକ୍ଟର ଅଣ୍ଡରଟେକିଂରେ ଏହି ୧୦ ପ୍ରତିଶତ ସଂରକ୍ଷଣ କାର୍ଯ୍ୟକାରୀ ହେବ। ନିଯୁକ୍ତି ନିୟମରେ ଆବଶ୍ୟକ ସଂଶୋଧନ ଅଣାଯିବ ବୋଲି କୁହାଯାଇଛି। ସିଏପିଫ୍ (ସେଣ୍ଟ୍ରାଲ ଆର୍ମଡ୍ ପାରାମିଲିଟାରି ଫୋର୍ସେସ୍), ଆସାମ ରାଇଫଲ୍ସରେ ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଗ୍ନିବୀରମାନଙ୍କ ପାଇଁ ୧୦ ପ୍ରତିଶତ କୋଟା ଘୋଷଣା କରିଛନ୍ତି। ୪ ବର୍ଷର କାର୍ଯ୍ୟକାଳ ଶେଷ କରିବାପରେ ସେମାନେ ସିଏପିଏଫ୍ ଏବଂ ଆସାମ ରାଇଫଲ୍ସରେ ନିଯୁକ୍ତି ପାଇବା ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି।
ଅଗ୍ନିବୀରଙ୍କ ପାଇଁ ଘୋଷଣା ହୋଇସାରିଥିବା ଉପର ବୟସ ସୀମାରେ ସରକାର ପୁଣି କୋହଳ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ସିଏପିଏଫ୍ ଏବଂ ଆସାମ ରାଇଫଲ୍ସରେ ଅଗ୍ନିବୀରଙ୍କ ପାଇଁ ଆଉ ୩ ବର୍ଷ ବୟସ ସୀମା କୋହଳ କରିଛନ୍ତି। ଏହାଦ୍ବାରା ସିଏପିଏଫ୍ ଅନ୍ତର୍ଭୁକ୍ତ ବିଏସଏଫ୍, ସିଆରପିଏଫ୍, ସିଆଇଏସଏଫ୍, ଆଇଟିବିପି, ଏସ୍ଏସ୍ବି, ଏନ୍ଏସଜି ଏବଂ ଏସ୍ପିଜିରେ ଅଗ୍ନିବୀରଙ୍କ ପାଇଁ ବୟସ ସୀମା ୨୬କୁ ବୃଦ୍ଧି ପାଇଛି। ପ୍ରଥମ ବ୍ୟାଚ୍ ‘ଅଗ୍ନିବୀର’ଙ୍କ ପାଇଁ ଉପର ବୟସସୀମା ୨୩ରୁ ଅଧିକ
୫ ବର୍ଷ ବୟସସୀମା କୋହଳ କରାଯିବ। ଏହାଦ୍ବାରା ବୟସସୀମା ୨୮କୁ ବୃଦ୍ଧି ପାଇବ। ଉଲ୍ଲେଖଯୋଗ୍ୟ ଯେ ଗତ ଗୁରୁବାର ଦିନ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଅଧୀନରେ ଉପର ବୟସସୀମା ପ୍ରଥମ ବର୍ଷ ପାଇଁ ୨୧ରୁ ୨୩କୁ ବୃଦ୍ଧି କରିଥିଲେ।
‘ଅଗ୍ନିପଥ’ ଯୋଜନା ଅଧୀନରେ ୪ ବର୍ଷ କାର୍ଯ୍ୟକାଳ ଶେଷ କରିଥିବା ‘ଅଗ୍ନିବୀର’ଙ୍କୁ ଗୃହ ମନ୍ତ୍ରାଳୟରେ ନିଯୁକ୍ତି କ୍ଷେତ୍ରରେ ପ୍ରାଥମିକତା ଦିଆଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି।