ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ଗୁରୁବାର ଦିନ ବିଭିନ୍ନ ରାଜ୍ୟରେ ହିଂସାତ୍ମକ ଆନ୍ଦୋଳନ ତେଜିବାରେ ଲାଗିଛି। ସେନା ବାହିନୀରେ ନିଯୁକ୍ତି ପାଇଁ ସରକାରଙ୍କ ଏହି ନୂଆ ଯୋଜନାକୁ ବିରୋଧ କରି ପ୍ରଥମେ ବିହାରରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ଉତ୍ତରପ୍ରଦେଶ, ହରିୟାଣା, ହିମାଚଳ ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀକୁ ବ୍ୟାପିଛି। ଆନ୍ଦୋଳନକାରୀମାନେ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା କରିଛନ୍ତି। ବିଭିନ୍ନ ସ୍ଥାନରେ ଟ୍ରେନରେ ନିଆଁ ଲଗାଇଦେଇଥିବାରୁ ‌ରେଳସେବା ବ୍ୟାହତ ହୋଇଛି। ଏହାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

Advertisment

ବିହାରର ୮ଟି ଜିଲ୍ଲା ତଥା ଜହା‌ନାବାଦ, ବକ୍ସର, ମୁଜାଫରବାଦ, ଭୋଜପୁର, ସରନ, ମୁଙ୍ଗେର, ନୱାଦା ଏବଂ କଇମପୁରରେ ଆନ୍ଦୋଳନ ହିଂସାର ରୂପ ନେଇଛି। ବିହାରର ଛାପ୍ରାରେ ଆନ୍ଦୋଳନକାରୀମାନେ ଏକ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଛନ୍ତି। ଭାବୁଆ ରୋଡ୍‌ ରେଳ ଷ୍ଟେସନ୍‌ରେ ଏକ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ୍‌ରେ ବ୍ୟାପକ ଭଙ୍ଗାରୁଜା ପରେ କେତେକ ବଗିରେ ନିଆଁ ଲଗାଇ ଦିଆଯାଇଛି। ‘ଇଣ୍ଡିଆନ ଆର୍ମି ଲଭର୍ସ’ ଲେଖାଥିବା ଏ ବ୍ୟାନର୍‌ ଧରି ଆନ୍ଦୋଳନ ନୂଆ ନିଯୁକ୍ତି ଯୋଜନାକୁ ବିରୋଧ କରିଛନ୍ତି। ଆନ୍ଦୋଳନକାରୀମାନେ ରାସ୍ତା ଏବଂ ରେଳ ରୋକ୍ କରିଛନ୍ତି। କେତେକ ବସ୍‌, ଟ୍ରକ୍‌ ଏବଂ ଘରୋଇ ଯାନବାହନ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ‌ଆନ୍ଦୋଳନକାରୀମାନେ ପାଟନା-ଗୟା ଏବଂ ପାଟନା-ବକ୍ସାର ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବନ୍ଦ କରିଦେଇଛନ୍ତି। ଆନ୍ଦୋଳନ ପାଇଁ ବିହାରରେ ୨୨ଟି ଟ୍ରେନ୍‌ ବାତିଲ କରାଯାଇଛି ଏବଂ ୨୯ଟି ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। ଆନ୍ଦୋଳନକାରୀମାନେ ନୱାଦାରେ ଜଣେ ବିଜେପି ବିଧାୟକଙ୍କ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ସେହିପରି ନୱାଦାରେ ବିଜେପି ଅଫିସ ଭଙ୍ଗାରୁଜା କରାଯାଇଛି। ଆରା ରେଳ ଷ୍ଟେସନ୍‌ରେ ଆନ୍ଦୋଳନ ଉଗ୍ର ରୂପ ନେବାରୁ ପୁଲିସ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାପାଇଁ ଲୁହବୁହା ଗ୍ୟାସ୍‌ ସେଲ୍‌ ପ୍ରୟୋଗ କରିଥିଲା।

publive-image newswaali.com

ଅଗ୍ନିପଥ ଯୋଜନା ବିରୋଧରେ ଶତାଧିକ ଉଗ୍ର ଆନ୍ଦୋଳନକାରୀ ଗୁରୁଗ୍ରାମ ଏବଂ ରେୱାଡିର ବିଳାସପୁର ଏବଂ ସିଧରୱାଲି ଅଞ୍ଚଳରେ ବି‌େକ୍ଷାଭ ପ୍ରଦର୍ଶନ କରିଛନ୍ତି। ରାସ୍ତା ଅବରୋଧ ଯୋଗୁଁ ଗୁରୁଗ୍ରାମ -ଜୟପୁର ରାଜପଥରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଛି। ସେହିପରି ଉତ୍ତରପ୍ରଦେଶର କେତେକ ଜିଲ୍ଲାରେ ମଧ୍ୟ ଛାତ୍ରମାନେ ଆନ୍ଦୋଳନ କରିଛନ୍ତି। ବୁଲନ୍ଦସହରରେ ଜିଟି ରୋଡ୍‌ ବନ୍ଦ କରିଦେଇଛନ୍ତି। ସେହିପରି ଉନ୍ନାଓ ଏବଂ ଗୋଣ୍ଡାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ହରିୟାଣାର ପଲୱଲ୍‌ ଜିଲ୍ଲାରେ ଆନ୍ଦୋଳନକାରୀମାନେ ପୁଲିସ ଉପରେ ପ୍ରବଳ ପଥର ମାଡ଼ କରିଛନ୍ତି। ‌ଜିଲ୍ଲାରେ ୨୪ ଘଣ୍ଟା ପାଇଁ ମୋବାଇଲ ଓ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି।

ଆନ୍ଦୋଳନକାରୀମାନେ ସେନାର ଏହି ୪ ବର୍ଷୀୟା ନିଯୁକ୍ତି ଯୋଜନା‌କୁ ପ୍ରତ୍ୟାହାର କରିବାପାଇଁ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ ସରକାର ଅଗ୍ନିପଥ ନିଯୁକ୍ତି ଯୋଜନା ଅଧୀନରେ ଯୁବପିଢ଼ିଙ୍କୁ ସେନାରେ ୪ ବର୍ଷ ନିଯୁକ୍ତି ମିଳିବ। ୪ ବର୍ଷ ପରେ ସେମାନଙ୍କୁ ଆର୍ଥିକ ସୁବିଧା ଓ ନିଯୁକ୍ତି ସୁଯୋଗ ମଧ୍ୟ ମିଳିବ। ତେବେ ଆଶାୟୀମାନେ କହିଛନ୍ତି, ସରକାରଙ୍କ ଏହି ନିଯୁକ୍ତି ଯୋଜନା ସେମାନଙ୍କର କ୍ୟାରିୟରକୁ ନଷ୍ଟ କରିଦେବ। ସେବା ସମୟ ବୃଦ୍ଧି କରିବାକୁ ସେମାନେ ଦାବି କରିଛନ୍ତି।

‘ଅଗ୍ନିପଥ’ ଯୋଜନାକୁ ପୂର୍ବତନ ଯବାନଙ୍କ ବିରୋଧ
ନୂଆ‌ଦିଲ୍ଲୀ : ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ପୂର୍ବତନ ଯବାନମାନେ ବି‌ରୋଧ କରିଛନ୍ତି। ପଂଜାବ ଏବଂ ହରିୟାଣାରେ ପୂର୍ବତନ ଯବାନମାନଙ୍କର ସଂଗଠନ ପକ୍ଷରୁ ଏହି ଯୋଜନାକୁ ବିରୋଧ କରାଯାଇଛି। ସେମାନେ କହିଛନ୍ତି, ସରକାର ଯୁବଗୋଷ୍ଠୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଏବଂ ସେନାକୁ ନେଇ କୌଣସି ପରୀକ୍ଷା ନିରୀକ୍ଷା ନକରିବାପାଇଁ ସରକାରଙ୍କୁ ସତର୍କ କରାଇଛନ୍ତି। ଅଗ୍ନିପଥ ଯୋଜନା ସେନାର ଘରୋଇକରଣ କରିବା ଭଳି ହେଉଛି। ୪ ବର୍ଷର କାର୍ଯ୍ୟକାଳ ପାଇଁ ଯୁବଗୋଷ୍ଠୀ ଆଗ୍ରହ ଦେଖାଇବେ ନାହିଁ। ଏହା ଏକ ତ୍ରୁଟିପୂର୍ଣ୍ଣ ନିଯୁକ୍ତି ଯୋଜନା। ୪ ବର୍ଷ ସେନାରେ କାମ କରିବାପରେ ଏହି ଯବାନଙ୍କ ଭବିଷ୍ୟତ କ’ଣ ହେବ ଏବଂ ସେମାନେ ଯଦି ଅନୈତିକ ରାସ୍ତା ବାଛିବେ ତା’ହେଲେ ସ୍ଥିତି କ’ଣ ହେବ ବୋଲି ସଂକଠନ ପ୍ରଶ୍ନ କରିଛି।

ବାଲେଶ୍ବରରେ ଆତ୍ମହତ୍ୟା!

ସୋର : ସେନାରେ ନିଯୁକ୍ତି ସୁଯୋଗ ନପାଇ ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଏହି ଯୁବକ ହେଲେ, ସୋର ଥାନା ଟେଣ୍ଟେଇ ଗ୍ରାମର ରଜନୀକାନ୍ତ ମହାନ୍ତିଙ୍କ ପୁଅ ଧନଞ୍ଜୟ ମହାନ୍ତି(୨୭)। ‘ଅଗ୍ନିପଥ’ ଯୋଜନା ଘୋଷଣା କରିଥିବାରୁ ଆଉ ଲିଖିତ ପରୀକ୍ଷା ପାଇଁ ତାଙ୍କୁ ସୁଯୋଗ ମିଳିବନି ଭାବି ଗତକାଲି ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ସୋର ୟୁଏନ୍ କଲେଜରୁ ବାଣିଜ୍ୟରେ ସ୍ନାତକ ସମାପ୍ତ ପରେ ଧନଞ୍ଜୟ ସେନାବାହିନୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଏପରିକି ସେ ସେନା ବିଭାଗ ପକ୍ଷରୁ ହୋଇଥିବା ଶାରୀରିକ ପରୀକ୍ଷା ଦେଇ କୃତକାର୍ଯ୍ୟ ମଧ୍ୟ ହୋଇଥିଲେ। ମହାମାରୀ କରୋନା ପାଇଁ ଲିଖିତ ପରୀକ୍ଷା ହୋଇ ପାରିନଥିଲା। ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ‘ଅଗ୍ନିପଥ’ ଯୋଜନା ଘୋଷଣା ହେବାପରେ ଆଗକୁ ଆଉ ଲିଖିତ ପରୀକ୍ଷା ହେବନି ଭାବି ସେ ହତାଶ ହୋଇ ପଡ଼ିଥିଲେ। ଶେଷରେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ଶୋଇବା ଘରେ ବେକରେ ରଶି ଲଗାଇ ଝୁଲି ପଡ଼ିଥିଲେ ସେ। ଆତ୍ମହତ୍ୟା ପୂର୍ବରୁ ରାତି ପ୍ରାୟ ୩ଟାରେ ଧନଞ୍ଜୟ ପରିବାର ଲୋକଙ୍କୁ ଏହି କାରଣରୁ ଆତ୍ମହତ୍ୟା କରୁଥିବା ନେଇ ମେସେଜ୍ କରିଥିଲେ। ସକାଳେ ଘର ଲୋକ ମେସେଜ୍ ଦେଖି ହତବାକ୍‌ ହୋଇଯିବା ସହ ଶୋଇବା ଘରୁ ଝୁଲନ୍ତା ଅବସ୍ଥାରେ ଧନଞ୍ଜୟଙ୍କୁ ଉଦ୍ଧାର କରିଥିଲେ।