ସଶସ୍ତ୍ର ସେନା ପାଇଁ ‘ଅଗ୍ନିପଥ’ ଯୋଜନା

ଅଗ୍ନିପଥ ଯୋଜନା କ’ଣ? ଅଗ୍ନିପଥ ଯୋଜନାର ମୁଖ୍ୟାଂଶ

ନୂଆଦିଲ୍ଲୀ: ମଙ୍ଗଳବାର କେନ୍ଦ୍ର ସରକାର ସଶସ୍ତ୍ର ବଳ ପାଇଁ ‘ଅଗ୍ନିପଥ’ ନିଯୁକ୍ତି ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାର ଶୁଭାରମ୍ଭ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଲେ ଯେ, ଏହା ସଶସ୍ତ୍ର ବଳରେ ଯୁବସୁଲଭ ଉଦ୍ଦାମତା ଆଣିବ। ସିଂହ କହିଲେ ଯେ, ଅଗ୍ନିପଥ ଯୋଜନା ଅନୁସାରେ ସଶସ୍ତ୍ର ବାହିନୀରେ ୧୮ ବର୍ଷ ପୂରି ନ ଥିବା ଯୁବକଙ୍କୁ ‘ଅଗ୍ନିବୀର’ ଭାବେ ଦେଶସେବା କରିବାର ସୁଯୋଗ ମିଳିବ। ଭାରତୀୟ ସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଏହି ଯୋଜନା ଉଦ୍ଦିଷ୍ଟ। ଅଗ୍ନିବୀରମାନଙ୍କୁ ଭଲ ଦରମା ମିଳିବ ଏବଂ ଟ୍ରେନିଂ ପିରିୟଡ୍ ସମେତ ୪ ବର୍ଷ ପରେ ଅବସର ଦିଆଯିବ। ଭଲ ଅବସରକାଳୀନ ପ୍ୟାକେଜ ବି ସେମାନଙ୍କୁ ମିଳିବ।

ଲେଫ୍ଟନାଣ୍ଟ ଜେନେରାଲ ଅନିଲ ପୁରୀ କହିଛନ୍ତି, ଅଗ୍ନିବୀର ହେବେ ଭବିଷ୍ୟତ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ବାହିନୀର ଅଂଶ। ସେମାନେ ହେବେ ଭାରତର ଯୁବ ରକ୍ଷକ। ୪ ବର୍ଷ ସେନାରେ କାମ କରିବା ପରେ ଅଗ୍ନିବୀରଙ୍କ ବାୟୋଡାଟା ଏକ ବିଶେଷତା ବହନ କରିବ। ଭିଡ଼ ଭିତରେ ଜଣେ ଅଗ୍ନିବୀର ସ୍ବତନ୍ତ୍ର ବାରି ହୋଇପଡ଼ିବେ। ତାଙ୍କର ମନୋଭାବ, କୌଶଳ ଓ ସମୟ ଜ୍ଞାନ ବଦଳିଯିବ। ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଲେ ଯେ, ଅଗ୍ନିପଥ ଯୋଜନା ସେନାରେ ନିଯୁକ୍ତି ପାଇଁ ଲୋକଙ୍କ ମନୋଭାବରେ ପରିବର୍ତ୍ତନ ଆଣିବ। ସେନାରେ ଯୁବଶକ୍ତି ଓ ଅଭିଜ୍ଞତା ଭିତରେ ସମନ୍ବୟ ସ୍ଥାପନ ହେବ।

ଅଗ୍ନିପଥ ଯୋଜନା କ’ଣ?
ଅଗ୍ନିପଥ ହେଉଛି ତିନି ବାହିନୀରେ ଏକ ମେଧା-ଆଧାରିତ ନିଯୁକ୍ତି ଯୋଜନା। ସଶସ୍ତ୍ର ବାହିନୀରେ ନିୟମିତ କ୍ୟାଡରରେ ଏମାନଙ୍କୁ କାମ କରିବାର ସୁଯୋଗ ମିଳିବ। ଯେଉଁମାନେ ଅଗ୍ନିପଥ ଯୋଜନାରେ ନିଯୁକ୍ତି ପାଇବେ ସେମାନଙ୍କୁ ‘ଅଗ୍ନିବୀର’ କୁହାଯିବ। ଅଗ୍ନିବୀରମାନଙ୍କୁ ତାଲିମ ଅବଧି ସମେତ ୪ ବର୍ଷ ପାଇଁ ନିଯୁକ୍ତି ମିଳିବ। ୪ ବର୍ଷ ପରେ ମାତ୍ର ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ସେମାନଙ୍କ ମେଧା, ଯୋଗ୍ୟତା, ଆଗ୍ରହ ଓ ମେଡିକାଲ ଫିଟ୍‌ନେସ୍ ଭିତ୍ତିରେ ପୁଣି ତାଲିମ ଦିଆଯିବ ବା ନିୟମିତ କ୍ୟାଡର ପାଇଁ ତାଲିକାଭୁକ୍ତ କରାଯିବ। ଏହାପରେ ସେମାନେ ଆଉ ୧୫ ବର୍ଷ ବା ପୂରା ଅବଧି ସେନାରେ ଚାକିରି କରିପାରିବେ। ପ୍ରଥମ ଚାରିବର୍ଷ ସେମାନେ ଠିକା ଭିତ୍ତିରେ ନିଯୁକ୍ତି ପାଇବେ। ଏହାକୁ ଅନ୍ତିମ ପେନସନ ସୁବିଧା ପାଇଁ ବିଚାରକୁ ନିଆଯିବ ନାହିଁ। ବାକି ଯେଉଁ ୭୫ ପ୍ରତିଶତ ୪ ବର୍ଷ ପରେ ସେନାରୁ ବିଦା ହୋଇଯିବେ ସେମାନଙ୍କୁ ୧୧-୧୨ ଲକ୍ଷ ଟଙ୍କାର ଏକ ‘ସେବାନିଧି’ ପ୍ୟାକେଜ ମିଳିବ। ଏହି ଟଙ୍କା ସେମାନଙ୍କ ୪ ଚାକିରିକାଳୀନ ଦରମାରୁ କଟିଥିବା ୩୦ ପ୍ରତିଶତ ଦରମାରୁ ମିଳିବ। ଏଥି ସହ ସ୍କୁଲ ସାର୍ଟିଫିକେଟ୍ ଏବଂ ବ୍ୟାଙ୍କ ଲୋନ୍ ବି ମିଳିବ। ଏହି ୧୧-୧୨ ଲକ୍ଷ ଟଙ୍କା ସେମାନଙ୍କୁ ପରବର୍ତ୍ତୀ କ୍ୟାରିୟର ଗଢ଼ିବାରେ ସାହାଯ୍ୟ କରିବ।

ଅଗ୍ନିବୀରମାନଙ୍କୁ ନିୟମିତ କ୍ୟାଡରଙ୍କ ପରି ବିଭିନ୍ନ ପୁରସ୍କାର, ମେଡାଲ ଓ ବୀମା ସୁବିଧା ମିଳିବ। ୪ ବର୍ଷ ପରେ ପ୍ରତ୍ୟେକ ଅଗ୍ନିବୀରଙ୍କୁ ୧୦.୦୪ ଲକ୍ଷ ଟଙ୍କା ପ୍ଲସ୍ ସୁଧ ମିଳିବ, ଯାହା ଉପରେ ଆୟକର ଲାଗୁ ହେବ ନାହିଁ। ମୃତ୍ୟୁ କ୍ଷେତ୍ରରେ ୪୮ ଲକ୍ଷ ଟଙ୍କାର ବୀମାରାଶି ମିଳିବ। ଅତିରିକ୍ତ ୪୪ ଲକ୍ଷ ଟଙ୍କାର ଏକ୍ସଗ୍ରାସିଆ ମିଳିବ। ୪ ବର୍ଷର ଚାକିରିକାଳ ସରିବା ପାଇଁ ଯେତିକି ଦିନ ବାକି ଥିଲା, ତା’ ପାଇଁ ପୂରା ଦରମା ବି ମିଳିବ। ଶାରୀରିକ ଦୃଷ୍ଟିରୁ ଅକ୍ଷମ ହୋଇଗଲେ ୧୦୦, ୭୫, ୫୦ ପ୍ରତିଶତ ଅକ୍ଷମତା ପାଇଁ ଯଥାକ୍ରମେ ୪୪, ୨୫, ୧୫ ଲକ୍ଷ ଟଙ୍କାର ଏକକାଳୀନ ଏକ୍ସଗ୍ରାସିଆ ମିଳିବ।

ଅଗ୍ନିପଥ ଯୋଜନାର ମୁଖ୍ୟାଂଶ
୧. ବୟସ ୧୭.୫ରୁ ୨୧ ବର୍ଷ
୨. ତାଲିମ ଅବଧି ସମେତ ଚାକିରିକାଳ ୪ ବର୍ଷ
୩. ୧ମ ବର୍ଷର ଦରମା ପ୍ରାୟ ୪.୭୬ ଲକ୍ଷ, ୪ ବର୍ଷରେ ତାହା ପ୍ରାୟ ୬.୯୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ
୪. ୪ ବର୍ଷ ପରେ ସେବା ନିଧି ଆକାରରେ ପ୍ରାୟ ୧୧.୭୧ ଲକ୍ଷ ଟଙ୍କା ମିଳିବ (ଟିକସମୁକ୍ତ)
୫. ୪୮ ଲକ୍ଷ ଟଙ୍କାର ବୀମାରାଶି ମିଳିବ, ଯାହାର ପ୍ରିମିୟମ୍ ଦେବାକୁ ପଡ଼ିବ ନାହିଁ
୬. ଅଗ୍ନିବୀର ସ୍କିଲ ସାର୍ଟିଫିକେଟ ପରବର୍ତ୍ତୀ ସମୟରେ ଚାକିରି ମିଳିବାରେ ସାହାଯ୍ୟ କରିବ
୭. ଚଳିତ ବର୍ଷ ୪୬,୦୦୦ ଅଗ୍ନିବୀରଙ୍କୁ ନିଯୁକ୍ତି ମିଳିବ
୮. ୪ ବର୍ଷର ଚାକିରିକାଳ ପରେ ଯୋଗ୍ୟତା ଓ ଆଗ୍ରହ ଭିତ୍ତିରେ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ସେନାରେ ନିୟମିତ କରାଯିବ
୯. ୪ ବର୍ଷର ଚାକିରି ପରେ ବ୍ୟାଙ୍କ ଲୋନର ସୁବିଧା ମିଳିବ

ସମ୍ବନ୍ଧିତ ଖବର