ବିଜେପିକୁ ଏଜିପି ଧକ୍କା:ସମର୍ଥନ ପ୍ରତ୍ୟାହାର କଲା

ସୋନୋୱାଲ୍‌ ସରକାରଙ୍କ ଅଡୁଆ ବଢ଼ିବ

ଗୌହାଟୀ: ନାଗରିକତ୍ବ (ସଂଶୋଧନ) ବିଲ୍‌ ୨୦୧୬କୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କରି ଆସାମ୍‌ ଗଣ ପରିଷଦ (ଏଜିପି) ସୋମବାର ବିଜେପିଠାରୁ ଏହାର ସମର୍ଥନ ପ୍ରତ୍ୟାହାର କରିନେଇଛି। ସାଧାରଣ ନିର୍ବାଚନକୁ ଦୃଷ୍ଟି‌ରେ ରଖି ପ୍ରସ୍ତୁତି ଚଳାଇଥିବା ବିଜେପି ପାଇଁ ଏହା ଧକ୍କା ସଦୃଶ ହୋଇଛି। ଗୋଟିଏ ପରେ ଗୋଟିଏ ଦଳ ବିଜେପି ହାତ ଛାଡ଼ୁଥିବାରୁ ଏହା ଦଳ ପାଇଁ ଅଡୁଆ ସୃଷ୍ଟି କରିଛି। ଏକ ଆଞ୍ଚଳିକ ଦଳ ହିସାବରେ ଏଜିପି ନିଜ ସମର୍ଥନ ପ୍ରତ୍ୟାହାର କରିଥିବାରୁ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ସରକାରଙ୍କ ଉପରେ ଏହା ପ୍ରଭାବ ପକାଇପାରେ।
ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ସାକ୍ଷାତ କରିବା ପରେ ଏଜିପି ସଭାପତି ଅତୁଲ ବୋରା କହିଛନ୍ତି ଯେ ନାଗରିକତ୍ବ ବିଲ୍‌ ଯୋଗୁ ପଡ଼ିବାକୁ ଥିବା ନକାରାତ୍ମକ ପ୍ରଭାବ ବାବଦରେ ଆମେ ବିଜେପି ନେତୃବୃନ୍ଦଙ୍କୁ ବୁଝାଇବା ପାଇଁ ଅନେକ ଚେଷ୍ଟା କରି ଶେଷରେ ବିଫଳ ହୋଇଛୁ। ତେଣୁ ମେଣ୍ଟ ଛାଡ଼ିବା ବ୍ୟତୀତ ଆମ ନିକଟରେ ଆଉ କୌଣସି ବିକଳ୍ପ ବଞ୍ଚିନାହିଁ ବୋଲି ବୋରା କହିଛନ୍ତି।
ନାଗରିକ ସଂଶୋଧନ ବିଲ୍‌ରେ ଆବଶ୍ୟକ ପରିବର୍ତ୍ତନ ନଆଣିଲେ ଏଜିପି ବିଜେପିଠୁ ଏହାର ସମର୍ଥନ ପ୍ରତ୍ୟାହାର କରିନେବ ବୋଲି ଏଜିପି ନେତା ତଥା ଆସ‌ାମାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରଫୁଲ୍ଲ କୁମାର ମହାନ୍ତ ଚେତାବନୀ ଦେଇଥିଲେ। ଏହାସତ୍ତ୍ବେ ବିଜେପି ଏଥିପ୍ରତି କର୍ଣ୍ଣପାତ କରିନଥିଲା। ଏବେ ବିଜେପି ସହଯୋଗୀବିହୀନ ହୋଇ ଏକାକୀ ଲଢ଼ିବାକୁ ରାସ୍ତା ଆପଣାଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଉଲ୍ଲେଖଯୋଗ୍ୟ, ୨୦୧୬ ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ସହିତ ଏଜିପି ମେଣ୍ଟ କରିଥିଲା। ନିର୍ବାଚନରେ ବିଜେପିକୁ ରାଜ୍ୟର ୧୨୬ ବିଧାନସଭା ଆସନ ମଧ୍ୟରୁ ୬୧ଟି ମିଳିଥିଲା ଏବଂ ଏଜିପି ୧୪ଟି ପାଇଥିଲା। ଫଳରେ ରାଜ୍ୟରେ ବିଜେପି ସରକାର ଗଢ଼ିଥିଲା। ବୋଡୋ ପିପୁଲ୍ସ ଫ୍ରଣ୍ଟ ମଧ୍ୟ ବିଜେପିକୁ ସମର୍ଥନ ଦେବାରୁ ମେଣ୍ଟ ଆସନ ସଂଖ୍ୟା ୮୭କୁ ବଢ଼ିଥିଲା। ଏବେ ଏଜିପି ସମର୍ଥନ ପ୍ରତ୍ୟାହାର କରିଥିବାରୁ ବିଧାନସଭାରେ ବିଜେପି ନେତୃତ୍ବାଧୀନ ମେଣ୍ଟ ସରକାରଙ୍କ ସ୍ଥିତି ୭୩କୁ ଖସିଆସିଛି।

ସମ୍ବନ୍ଧିତ ଖବର