ଆଗ୍ରା: ଗୁରୁବାର ଅପରାହ୍ନରେ ମୂର୍ତ୍ତି ବିସର୍ଜନ ସମୟରେ ଅସାବଧାନତା ହେତୁ ଉଣ୍ଟଗନ ନଦୀ କୂଳରେ ଶୋକକୂଳ ପରିବେଶ ସୃଷ୍ଟି ହୋଇଛି। ଗଭୀର ଜଳରେ ପ୍ରାୟ ୧୧ ଜଣ ଯୁବକ ବୁଡ଼ି ଯାଇଥିବା ବେଳେ ୨ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।
ଜିଲ୍ଲା ମାଜିଷ୍ଟ୍ରେଟ୍ ଅରବିନ୍ଦ ମଲାପ୍ପା ଏବଂ ଡିସିପି ପଶ୍ଚିମ ଜୋନ୍ ଅତୁଲ ଶର୍ମା ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିବାର ବନ୍ଦୋବସ୍ତ କରିଥିଲେ।
ନବରାତ୍ରି ସମୟରେ କୁସିଆପୁର ଗାଁର ଚାମଡ ମାତା ମନ୍ଦିର ନିକଟରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା। ଦଶହରାରେ ଗାଁର ୪୦ରୁ ୫୦ଜଣ ପୁରୁଷଙ୍କ ସମେତ ମହିଳା ଏବଂ ପିଲାମାନେ ମୂର୍ତ୍ତି ବିସର୍ଜନ ପାଇଁ ଉଣ୍ଟଗନ ନଦୀ କୂଳରେ ପହଞ୍ଚିଥିଲେ।
କୂଳରେ ପହଞ୍ଚିଥିବା ଗ୍ରାବାସୀଙ୍କ ମଧ୍ୟରେ ବିଷ୍ଣୁ (୨୦), ଓମପାଲ (୨୫), ଗଗନ (୨୪), ହରେଶ (୨୦), ଅଭିଷେକ (୧୭), ଭଗବତୀ (୨୨), ଓକେ (୧୬), ରାମବୀରଙ୍କ ପୁଅ ସଚିନ (୨୬), ଉନାଙ୍କ ପୁଅ ସଚିନ (୧୭), ଗଜେନ୍ଦ୍ର (୧୭) ଏବଂ ଦୀପକ (୧୫) ଗଭୀର ପାଣି ଭିତରକୁ ଚାଲିଯାଇଥିଲେ। ଏହି ସମୟରେ ଅସାବଧାନତା ହେତୁ ଜଣକ ପରେ ଜଣେ ଏପରି ଭାବେ ୧୧ଜଣ ନଦୀରେ ବୁଡ଼ି ଯାଇଥିଲେ।
ଘଟଣାସ୍ଥଳରେ କୌଣସି ଉଦ୍ଧାରକାରୀ କର୍ମଚାରୀ କିମ୍ବା ଉଦ୍ଧାର ଉପକରଣ ଉପଲବ୍ଧ ନଥିଲା। କିଛି ଗ୍ରାମବାସୀ ସାହସ ଦେଖାଇ ବିଷ୍ଣୁ ନାମକ ଜଣେ ଯୁବକକୁ ପାଣିରୁ ବାହାର କରି ଆଣିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏସ୍ଏନ୍ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି।
ପ୍ରାୟ ଦେଢ଼ ଘଣ୍ଟା ପରେ ଓମପାଲ ଏବଂ ଗଗନଙ୍କୁ ପାଣିରୁ ବାହାର କରି ଡାକ୍ତରଖାନା ନିଆଯାଇଥିଲା। ହେଲେ ଦୁଃଖର ବିଷୟ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ନଦୀରେ ବୁଡ଼ି ଯାଇଥିବା ଅନ୍ୟ ନଅ ଜଣ ଯୁବକଙ୍କୁ ଖୋଜିବା ପାଇଁ ଏସଡିଆରଏଫ ଦଳ ଛଅ ଘଣ୍ଟା ପରେ ପହଞ୍ଚିଥିଲେ। ପୁଲିସ ମଧ୍ୟ ବୁଡ଼ାଳିଙ୍କ ସହାୟତାରେ ଖୋଜାଖୋଜି ଆରମ୍ଭ କରିଥିଲା। କିନ୍ତୁ ରାତିପାହି ଯାଇଥିଲେ ସୁଦ୍ଧା କାହାରି ପତ୍ତା ମିଳି ନଥିଲା।