ଲକ୍ଷ୍ନୌ: ପର୍ଯ୍ୟଟକଙ୍କ ଉପରେ ଚଢ଼ିଗଲା ଚାଳକ ନଥିବା କାର୍। ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି ଏଭଳି ଅଜବ ଘଟଣା। ତାଜମହଲ ପରିଦର୍ଶନ କରିବାକୁ ଆସିଥିବା ବେଳେ ପର୍ଯ୍ୟଟକଙ୍କ ସହ ଏଭଳି ଘଟଣା ଘଟିଥିବା ସାମ୍ନାକୁ ଆସିଛି। ସୋମବାର ଦିନ ଘଟଣାଟି ଘଟିଥିବା ବେଳେ ଏବେ ଆହତଙ୍କ ଚିକିତ୍ସା ଚାଲିଛି।
ସୂଚନା ମୁତାବକ, ତାଜମହଲର ପଶ୍ଚିମ ଫାଟକର ପାର୍କିଂ ସ୍ଥାନରେ, ଏକ ଚାଳକବିହୀନ କାର୍ ହଠାତ୍ ପଛକୁ ଯିବା ଆରମ୍ଭ କରିଥିଲା ଏବଂ ଏକ ଦୋକାନରେ ଧକ୍କା ଖାଇଥିଲା। କାର୍ଟି ପଛକୁ ଯିବା ବେଳେ ପଛରେ ଥିବା ଦୁଇଜଣ ପର୍ଯ୍ୟଟକ କାର୍ ତଳେ ଚାପି ହୋଇଯାଇଥିଲେ। ଏହି ଦୁର୍ଘଟଣାରେ ୨ଜଣ ଆହତ ହୋଇଥିବା ବେଳେ ଆହତଙ୍କୁ ଏସଏନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।
ପୁଲିସର କହିବା ମୁତାବକ, "କାର୍ ପାର୍କିଂରେ ଥିଲା। ବୋଧହୁଏ ପବନର ବେଗ ବଢ଼ିବା ପରେ କାର୍ଟି ପଛକୁ ଗଡ଼ିଯାଇଥିଲା। କାର ଧକ୍କା ଦେବାରୁ ଦୁଇଜଣ ଆହତ ହୋଇଥିଲେ ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ମାଧ୍ୟମରେ ହସ୍ପିଟାଲକୁ ପଠାଯାଇଛି। ଘଟଣାସ୍ଥଳରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରହିଛି।"
ତେବେ ତାଜମହଲ ଭଳି ଏକ ବିଶ୍ୱ ଐତିହ୍ୟ ସ୍ଥଳ ନିକଟରେ ଏପରି ଅବହେଳା ପାର୍କିଂ ପରିଚାଳନା ଏବଂ ପର୍ଯ୍ୟଟକ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି।