ନୂଆଦିଲ୍ଲୀ: ଦିଲ୍ଲୀବାସୀ ବନ୍ୟାଜଳରେ କଲବଲ ହେଉଛନ୍ତି । ଯେଉଁଆଡ଼େ ଚାହିଁବ ଖାଲି ପାଣି ହିଁ ପାଣି । ରାସ୍ତାଘାଟ, ଗଳିକନ୍ଦି ସବୁଠି ଲହଡ଼ି ମାରୁଛି ବନ୍ୟା ଜଳ । ଦେଶର ରାଜଧାନୀ ଦିଲ୍ଲୀରେ ଏଭଳି ଦୃଶ୍ୟ ପ୍ରଥମଥର ଦେଖିବାକୁ ମିଳିଛି ।
ରାଜଧାନୀ ଦିଲ୍ଲୀର ବହୁ ଅଞ୍ଚଳ ପାଣି ଘେରରେ ରହିଛି । ଉତ୍ତରପ୍ରଦେଶର ଅନେକ ସହର ବି ବନ୍ୟା ପରିସ୍ଥିତିର ସାମ୍ନା କରିଛି। ତାଜନଗରୀ ଆଗ୍ରାରେ ଯୁମନା ଜଳ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଏହି କ୍ରମରେ ଦେଖିବାକୁ ଗଲେ ତାଜମହଲର କାନ୍ଥ ୨ଫୁଟ ପର୍ଯ୍ୟନ୍ତ ଯମୁନା ଜଳରେ ବୁଡ଼ି ଯାଇଛି। ଯମୁନା ଜଳରେ ତାଜମହଲ ବନ୍ଦୀ ହେବା ଦୃଶ୍ୟ ପ୍ରଥମଥର ସାମ୍ନାକୁ ଆସିଛି।
ତାଜମହଲ ପାଖରେ ଥିବା ଦଶହରା ଘାଟ ବି ଯମୁନା ଜଳରେ ବୁଡ଼ି ଯାଇଛି। ଯମୁନା ଜଳସ୍ତର ପ୍ରତିଘଣ୍ଟା ହିସାବରେ ବୃଦ୍ଧି ପାଉଛି। ବିପଦ ସଙ୍କେତ ଉପରେ ପାଣି ପ୍ରବାହିତ ହେଉଛି। ଲୋକେ ଭୟରେ ଦିନ କାଟୁଛନ୍ତି। କାରଣ କୌଣସି ମୁହୂର୍ତ୍ତରେ କିଛି ବି ଘଟିପାରେ ବୋଲି ସ୍ଥାନୀୟଲୋକେ କହିଛନ୍ତି। ଜଳସ୍ତର ବୃଦ୍ଧି ଦେଖି ପ୍ରଶାସନ ଆଲର୍ଟ ଜାରି କରିଛି। ଯମୁନା କୂଳରେ ଥିବା କଲୋନିକୁ ପ୍ରଶାସନ ଖାଲି କରିଦେଇଛି।
ସେହିପରି ଐତିହାସିକ ଲାଲକିଲ୍ଲା ବି ଏବେ ଜଳବନ୍ଦୀରେ ଥିବା ବେଳେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜଘାଟ ନିକଟରେ ବି ପାଣି ଭରି ରହିଛି ।
ଦିଲ୍ଲୀର ଅନ୍ୟତମ ଆକର୍ଷଣର କେନ୍ଦ୍ର ଅକ୍ଷରଧାମର ପାର୍ଶ୍ବବର୍ତ୍ତୀ ଅଂଚଳ ଓ ଆଇଟିଓ ମେଟ୍ରୋ ଷ୍ଟେସନ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କ୍ୟାମ୍ପ ବୁଲି ବନ୍ୟା ପ୍ରଭାବିତଙ୍କୁ ଭେଟିଛନ୍ତି ।