ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ଦୁର୍ଘଟଣା‌, ୧୬ ମୃତ

ଆଗ୍ରା: ଆଗ୍ରା -ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ଗତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୧ ଜଣ ଆହତ ହୋଇଛନ୍ତି। ବିହାରର ମୋତିହାରୀକୁ ଯାଉଥିବା ଏକ ଯାତ୍ରିବାହୀ ବସ୍‌ ଗତ ରାତି ପ୍ରାୟ ୧୦ଟା ସମୟରେ ଫିରୋଜାବାଦ୍‌ ଜିଳ୍ଲା ନଗ୍‌ଲା ଖଙ୍ଗର ଥାନା ଅଧୀନରେ ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍‌ଟି ଚୁର୍‌ମାର ହୋଇଯାଇଛି। ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ମୃତକଙ୍କ ମଧ୍ୟରେ ଟ୍ରକ୍‌ ଡ୍ରାଇଭର ଏବଂ ଆଉ ୧୫ ଜଣ ଯାତ୍ରୀ ଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ମିଳିଥିବା ସୂଚନାନୁଯାୟୀ ଉଭୟ ବସ୍‌ ଏବଂ ଟ୍ରକ୍‌ ଡ୍ରାଇଭରଙ୍କ ଭୁଲ୍‌ ପାଇଁ ଏହ‌ି ଦୁର୍ଘଟଣା ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହ‌ି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧିତ ଖବର