ଆଗ୍ରା‌ ପୁଲିସ୍‌ର ଉନ୍ମତ୍ତ କାଣ୍ଡ, ମା’ ସାମ୍ନାରେ ପୁଅକୁ ପିଟି ହତ୍ୟା

ଆଗ୍ରା ଥାନା ବିରୋଧରେ ମାମଲା, ୩ ବରିଷ୍ଠ ପୁଲିସ୍‌ ଅଧିକାରୀ ନିଲମ୍ବିତ

ଆଗ୍ରା: ଏକ ଅଭାବନୀୟ ଘଟଣାକ୍ରମରେ ଆଗ୍ରାର ଜଣେ ଯୁବକଙ୍କୁ ପୁଲିସ ହାଜତରେ ପିଟିପିଟି ମାରି ଦେଇଛି। ଏକ ଚୋରି ଅଭିଯୋଗରେ ପୁଲିସ ଏଭଳି ଅମାନବୀୟ କାଣ୍ଡ ଘଟାଇଛି। ଆଗ୍ରାର ସିକନ୍ଦରା ଥାନାରେ ଜଣେ ୩୨ ବର୍ଷୀୟ ଯୁବକଙ୍କୁ ତାଙ୍କ ମା’ଙ୍କ ଆଖି ଆଗରେ ପୁଲିସ ପିଟିପିଟି ମାରିଦେବା ଘଟଣା ଏବେ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଏହି ହାଜତ ମୃତ୍ୟୁ ମାମଲାରେ ଏବେ ସମ୍ପୂର୍ଣ୍ଣ ସିକନ୍ଦରା ଥାନା ବିରୋଧରେ ଏକ ମାମଲା ରୁଜୁ ହୋଇଛି। ୩ ଜଣ ବରିଷ୍ଠ ଅଧିକାରୀ ଏହି ମାମଲାରେ ନିଲମ୍ବିତ ହୋଇଛନ୍ତି। ଇନ୍ସପେକ୍ଟର ରିଶିପାଲ୍‌, ଏସ୍‌ଆଇ ଅନୁଜ ସିରୋହି ଏବଂ ଅନ୍ୟ ଜଣେ ପୁଲିସ କର୍ମୀ ତେଜଭୀର ସିଂହ ଏହି ମାମଲାରେ ନିଲମ୍ବିତ ହୋଇଛନ୍ତି। ମୃତ ଯୁବକଙ୍କ ନାମ ହେମନ୍ତ କୁମାର ଓରଫ୍‌ ରାଜୁ ଗୁପ୍ତା। ହେମନ୍ତଙ୍କ ବାପା ଓମ୍‌ ପ୍ରକାଶ ଗୁପ୍ତା ଏସ୍‌ବିଆଇର ଜଣେ ବ୍ୟାଙ୍କ୍‌ ମ୍ୟା‌ନେଜର ଥିଲେ। ୨୦୦୧ ମସିହାରେ ତାଙ୍କର ମୃତ୍ୟୁ ହୋଇଯିବା ପରେ ହେମନ୍ତ ଏବଂ ତାଙ୍କ ମା’ ରୀନୁ ଲତା ଏକାଠି ଗୈଲାନା ରୋଡ୍‌ ସ୍ଥିତ ନରେନ୍ଦ୍ର ଏନ୍‌କ୍ଲେଭ୍‌ରେ ଏକ ଭଡ଼ା ଘରେ ରହୁଥିଲେ। ତେବେ ଅଂଶୁଲ ନାମକ ଜଣେ ପଡ଼ୋଶୀ ଗତ ବୁଧବାର ଦିନ ହେମନ୍ତଙ୍କ ବିରୋଧରେ ୭ ଲକ୍ଷ ଟଙ୍କାର ଗହଣା ଚୋରି ଅଭିଯୋଗ ଆଣିଥିଲେ। ପୁଲିସ ‌ଏହି ଚୋରି ମାମଲାରେ ହେମନ୍ତଙ୍କୁ ତାଙ୍କ ଭଡ଼ାଘରୁ ଗିରଫ କରିନେଇଥିଲା। ହେମନ୍ତଙ୍କ ମା’ ରୀନୁ ଲତା ଅଭିଯୋଗ କରିଛନ୍ତି ଯେ ପୁଲିସ ମୋର ଏକମାତ୍ର ପୁଅକୁ ମୋ ଆଖି ଆଗରେ ମାରିଦେଲା। କେବଳ ମୋ ପୁଅକୁ ମୋ ଆଖି ଆଗରେ ମାରିବାପାଇଁ ସେମାନେ ଗତ ଗୁରୁବାର ଦିନ ସକାଳୁ ମତେ ଥାନା ନେଇ ଯାଇଥିଲେ। ପୁଅର ମାନସିକ ସ୍ଥିତି ଦୁର୍ବଳ। ପୁଅ ଚୋରି କରିନାହିଁ ବୋଲି ରୀନୁ ଲତା ଯେତେ ଗୁହାରି କରିଥିଲେ ମଧ୍ୟ ପୁଲିସ ଶୁଣିନଥିଲା।

ସମ୍ବନ୍ଧିତ ଖବର