ସଡକ ଓ କେନାଲ ପାଇଁ ୮୧ ଦିନ ଧରି ଅନଶନ କରୁଥିବା ମହିଳାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଗ୍ରାର ମଲପୁରା ଥାନା ଅନ୍ତର୍ଗତ ସିରୌଲି, ଧନୌଲି ଓ ଅଜିଜପୁରା ଗ୍ରାମରେ ପକ୍କା ସଡକ ଓ କେନାଲ ଦାବୀ କରି  ୮୧ ଦିନ ଧରି ଧାରଣାରେ ବସିଥିବା ରାଣୀ ଦେବୀ ନାମକ ଜଣେ ମହିଳାଙ୍କ ଶେଷରେ ମୃତ୍ୟୁ ହୋଇଯାଇଛି ବୋଲି ଅଭିଯୋଗ ହୋଇଛି । ମଲପୁରା ଥାନା ଅନ୍ତର୍ଗତ ଏହି ତିନିଟି ଗ୍ରାମରେ ଗତ ଅକ୍ଟୋବର ୧୩ ତାରିଖଠାରୁ ପ୍ରଶାସନ ବିପକ୍ଷରେ ଧାରଣା ଚାଲିଛି । ଲୋକମାନେ ପ୍ରଶାସନ ନିକଟରେ ଦାବି କରୁଛନ୍ତି ଯେ ଶୀଘ୍ର ସେମାନଙ୍କ କଥା ଶୁଣାଯାଉ । ସ୍ଥାନୀୟ ଲୋକମାନେ ଏହା ବି କହୁଛନ୍ତି ଯେ ଗତ ୮୧ ଦିନ ହେଲା ସେମାନେ ଧାରଣା ଦେଉଛନ୍ତି ହେଲେ ତାଙ୍କର ଦାବିକୁ ପ୍ରଶାସନ କର୍ଣ୍ଣପାତ କରୁନାହାନ୍ତି । ପ୍ରଶାସନ ଶୁଣୁ ନଥିବାରୁ କେତେକ ଲୋକ ଆଗାମୀ ନିର୍ବାଚନକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ମୃତକ ରାଣୀ ଦେବୀ ମଲପୁରା ଥାନା ଅନ୍ତର୍ଗତ ବିକାଶ ନଗରରେ ରହୁଥିଲେ ଓ ଗତ ୧୩ ତାରିଖଠାରୁ ସିରୌଲି-ଧନୌଲି ମାର୍ଗକୁ ସବୁଦିନ ଧାରଣା ଦେବାକୁ ଯାଉଥିଲେ । ରାଣୀ ଦେବୀଙ୍କ ପୁଅ ନୀରଜ କହିଛନ୍ତି, ସେଦିନ ରାତିରେ ମୁଁ ମାଆଙ୍କୁ ଧାରଣାସ୍ଥଳକୁ ନଯିବାକୁ କହିଥିଲି କିନ୍ତୁ ମାଆ ମୋ କଥା ମାନି ନଥିଲେ । ରବିବାର ଦିନ ମୁଁ ଯେତେବେଳେ ମାଆଙ୍କୁ ଚାହା ଦେବାକୁ ଯାଇଥିଲି ସେତେବେଳେ ମାଆ ଅଚେତ ହୋଇ ଯାଇଥିଲେ ଓ ତାଙ୍କ ଶରୀର ଥଣ୍ଡା ହୋଇଯାଇଥିଲା । ଡାକ୍ତର ପରୀକ୍ଷା ପରେ ରାଣୀ ଦେବୀଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମାଆଙ୍କ ମୃତ୍ୟୁ ପାଇଁ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବେ ଦାୟୀ ବୋଲି ନୀରଜ କହିଛନ୍ତି । ମୃତକ ରାଣୀ ଦେବୀଙ୍କ ପାଖରେ ଧାରଣା ଦେଉଥିବା ଅନ୍ୟ ଜଣେ ମହିଳାଙ୍କୁ ଅଚେତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଜିଲ୍ଲପାଳ ଏନ ସିଂହ କହିଛନ୍ତି,ମୃତକ ମହିଳାଙ୍କ ପରିବାରକୁ ଉଚିତ ସହାୟତା ପ୍ରଦାନ କରାଯିବ । ଧନୌଲି ସମେତ ଅନ୍ୟ କିଛି ସ୍ଥାନର ବିକାଶ ପାଇଁ ୪୩ କୋଟି ଟଙ୍କା ମଞ୍ଜୁର କରାଯାଇଛି । କିଛି ସ୍ଥାନରେ କାମ ଆରମ୍ଭ ହୋଇଯାଇଛି, କିଛି ଦିନ ମଧ୍ୟରେ ଅନ୍ୟ ପ୍ରସ୍ତାବିତ ସ୍ଥାନମାନଙ୍କରେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇଯିବ ।

ସମ୍ବନ୍ଧିତ ଖବର