ଅମ୍ବାନୀ-ଆଦାନୀଙ୍କ ମଧ୍ୟରେ ‘ନୋ ପୋଚିଂ’ ଏଗ୍ରିମେଣ୍ଟ୍ ! ଜାଣନ୍ତୁ ଏଥିରୁ କ’ଣ ଲାଭ ମିଳିବ ଏହି ଦୁଇ ଶିଳ୍ପପତିଙ୍କୁ

ମୁମ୍ବାଇ: ଏସିଆର ଦୁଇ ଧନୀ ଗୌତମ ଆଦାନୀ ଏବଂ ମୁକେଶ ଅମ୍ବାନୀ ଏକ ‘ନୋ ପୋଚିଂ’ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏହା ଅଧୀନରେ ଆଦାନୀ ଗ୍ରୁପ୍ କର୍ମଚାରୀମାନେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ କାମ କରିପାରିବେ ନାହିଁ କିମ୍ବା ଆଦାନୀ ଗ୍ରୁପ ମୁକେଶ ଅମ୍ବାନୀଙ୍କ କମ୍ପାନୀରେ କାମ କରିଥିବା କର୍ମଚାରୀଙ୍କୁ ନିଯୁକ୍ତି ଦେବ ନାହିଁ।

ଏହି ଚୁକ୍ତି ଚଳିତ ବର୍ଷ ମେ’ଠାରୁ କାର୍ଯ୍ୟକାରୀ ହୋଇଥିବାବେଳେ ଉଭୟ କମ୍ପାନୀ ସହ ଜଡିତ ସମସ୍ତ ବ୍ୟବସାୟ ପାଇଁ ଏହା ଲାଗୁ ହୋଇଛି | ରିପୋର୍ଟ ଅନୁଯାୟୀ, ଏହି ଚୁକ୍ତିନାମା ସହ ଜଡିତ ପ୍ରଶ୍ନଗୁଡିକ ଆଦାନୀ ଗ୍ରୁପ୍ କିମ୍ବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଦ୍ୱାରା ଏ ପର୍ଯ୍ୟନ୍ତ ଉତ୍ତର ଦିଆଯାଇ ନାହିଁ। ‘ନୋ ପୋଚିଂ’ ଚୁକ୍ତି ଏଥିପାଇଁ ବି ଗୁରୁତ୍ୱ ରଖୁଛି କାରଣ ଆଦାନୀ ଗ୍ରୁପ୍ ବର୍ତ୍ତମାନ କିଛି ନୂଆ ବ୍ୟବସାୟରେ ପ୍ରବେଶ କରୁଛି, ଯେଉଁଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପୂର୍ବରୁ ଦବଦବା ରହିଛି | ଗତ ବର୍ଷ ଆଦାନୀ ଗ୍ରୁପ୍ ପେଟ୍ରୋକେମିକାଲ୍ ସେକ୍ଟରରେ ପ୍ରବେଶ କରିବାକୁ ଘୋଷଣା କରିଥିଲା | ଏହି କ୍ଷେତ୍ରରେ ରିଲାଏନ୍ସ ଦୀର୍ଘ ଦିନ ଧରି ବ୍ୟବସାୟ କରୁଛି |

ଏଥିସହିତ ଟେଲିକମ ବ୍ୟବସାୟରେ ପ୍ରବେଶ ପାଇଁ ଆଦାନୀ ଗ୍ରୁପ୍ ଏଥର ପ୍ରଥମ ପଦକ୍ଷେପ ନେଇଛି। ନିକଟରେ ଆଦାନୀ ଗ୍ରୁପ ୫ଜି ସ୍ପେକ୍ଟ୍ରମ ପାଇଁ ଟେଣ୍ଡର କରିଥିଲା | ଏଥି ସହିତ ଆଦାନୀ ଏବଂ ଅମ୍ବାନୀ ଗ୍ରୀନ ଏନର୍ଜି କ୍ଷେତ୍ରରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ହୋଇଥିବାର ନଜର ଆସିଛନ୍ତି। ସେହିଭଳି ଗଣମାଧ୍ୟମ ଦୁନିଆରେ ମୁକେଶ ଅମ୍ବାନୀଙ୍କ ପରେ ଏବେ ଆଦାନୀ ଗ୍ରୁପ୍ ପ୍ରବେଶ କରିଛି।

ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ମଧ୍ୟରେ ହୋଇଥିବା ଏହି ‘ନୋ ପୋଚିଂ’ ଚୁକ୍ତି ହେତୁ ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ କର୍ମକ୍ଷେତ୍ର ବଦଳାଇବାର ରାସ୍ତା ବନ୍ଦ ହୋଇଯାଇଛି । ରିଲାଏନ୍ସରେ ୩.୮୦ ଲକ୍ଷରୁ ଅଧିକ କର୍ମଚାରୀ ଅଛନ୍ତି। ଆଉ ଚୁକ୍ତି ମୁତାବକ ଆଦାନୀ ଗ୍ରୁପର କର୍ମଚାରୀ ନା ମୁକେଶ ଅମ୍ବାନୀଙ୍କ କୌଣସି କମ୍ପାନୀରେ କାମ କରିପାରିବେ ନା ଅମ୍ବାନୀଙ୍କ କୌଣସି କର୍ମଚାରୀ ଆଦାନୀ ଗ୍ରୁପରେ କାମ କରିପାରିବେ | ମାନବ ସମ୍ବଳକୁ ନିଜ ପାଖରେ ରଖି ବ୍ୟବସାୟ କ୍ଷେତ୍ରରେ ବିନିଯୋଗ କରିବାକୁ ଏହି ଚୁକ୍ତି କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର