କାନାଡ଼ାର ‘କାନାପୋଟେକ୍ସ’ ସହ ଭାରତୀୟ ସାର କମ୍ପାନିମାନଙ୍କ ବୁଝାମଣା

୧୫ ଲକ୍ଷ ଟନ ପର୍ଯ୍ୟନ୍ତ ପଟାସ ଭାରତକୁ ତିନି ବର୍ଷ ଯୋଗାଇବ

ନୂଆଦିଲ୍ଲୀ: ଦେଶରେ ରାସାୟନିକ ସାରର ଉପଲବ୍ଧତା ବୃଦ୍ଧି ଏବଂ ଏ କ୍ଷେତ୍ରରେ ଦୀର୍ଘକାଳୀନ ଯୋଗାଣ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଭାରତୀୟ ସାର କମ୍ପାନିଗୁଡ଼ିକ ବିଶ୍ୱର ସର୍ବବୃହତ୍ ପଟାସ ଯୋଗାଣକାରୀ ସଂସ୍ଥା କାଡାନାର କାନପୋଟେକ୍ସ କମ୍ପାନି ସହିତ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ମଙ୍ଗଳବାର ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଭାରତୀୟ ସାର କମ୍ପାନି କରମଣ୍ଡଳ ଇଣ୍ଟରନ୍ୟାସନାଲ, ଚମ୍ବଲ ଫର୍ଟିଲାଇଜର ଓ ଇଣ୍ଡିଆନ ପଟାସ ଲିମିଟେଡ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାନାଡାର କାନପୋଟେକ୍ସ ବିଶ୍ୱର ସର୍ବବୃହତ୍ ପଟାସ ରପ୍ତାନିକାରୀ ସଂସ୍ଥା। ଏହା ବାର୍ଷିକ ୧୩୦ ଲକ୍ଷ ମେଟ୍ରିକ ଟନ୍‌ ପଟାସ ଓ ପଟାସ ଜାତୀୟ ସାର ଏବଂ ଅନ୍ୟାନ୍ୟ ଉର୍ବରକ ସାମଗ୍ରୀ ରପ୍ତାନି କରିଥାଏ। ସ୍ୱାକ୍ଷରିତ ଚୁକ୍ତି ଅନୁସାରେ କାନପୋଟେକ୍ସ ଭାରତକୁ ମ୍ୟୁରେଟ ଅଫ୍ ପଟାସ ସାର ଯୋଗାଇବ।

ଏହି ଚୁକ୍ତିକୁ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ମାଣ୍ଡବୀୟ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ ଏହି ଚୁକ୍ତି ଫଳରେ ଭାରତରେ ପଟାସ ସାରର ଅଭାବ ଓ ମୂଲ୍ୟ ଅସ୍ଥିରତାର ଅବସାନ ଘଟିବ ଏବଂ ଚାଷୀକୁଳ ଏହାଦ୍ୱାରା ବିଶେଷଭାବେ ଉପକୃତ ହେବେ। ସେ କହିଛନ୍ତି ଯେ ରାସାୟନିକ ସାର ଓ ଏହାର କଞ୍ଚାମାଲ ପାଇଁ ଭାରତ ବିଦେଶ ବଜାର ଉପରେ ଅଧିକ ନିର୍ଭରଶୀଳ। ତେଣୁ ଭାରତୀୟ କମ୍ପାନିମାନେ ଏହାର ଆମଦାନି ବ୍ୟବସ୍ଥାକୁ ସୁସଂହତ କରିବା ପାଇଁ ସମ୍ବଳବାନ୍ ଦେଶଙ୍କ ସହିତ ଅଂଶୀଦାରୀ ଭିତ୍ତିରେ କାମ କଲେ ଭାରତର କୃଷି ଓ କୃଷକଙ୍କୁ ଲାଭ ମିଳିବ।

ମନ୍ତ୍ରୀ ମାଣ୍ଡବୀୟ ଆହୁରି କହିଛନ୍ତି ଯେ, ବୁଝାମଣାପତ୍ର ଅନୁସାରେ କାନପୋଟେକ୍ସ ସଂସ୍ଥା ଭାରତକୁ ତିନିବର୍ଷ ପାଇଁ ବାର୍ଷିକ ୧୫ଲକ୍ଷ ମେଟ୍ରିକ ଟନ୍ ଲେଖାଏଁ ପଟାସ ଯୋଗାଇବ। ଏହି ପଟାସକୁ ଭାରତୀୟ ସାର ଉତ୍ପାଦନକାରୀ କମ୍ପାନିମାନେ ବ୍ୟବହାର କରିପାରିବେ। ସେମାନେ ଆବଶ୍ୟକ କଞ୍ଚାମାଲ ଓ ଅନ୍ୟାନ୍ୟ ଖଣିଜ ନିୟମିତ ଭାବେ ଚାହିଦା ମୁତାବକ ପାଇଲେ ଦେଶରେ ପଟାସ ସାରର ଅଭାବ ରହିବ ନାହିଁ। ଏହି ଚୁକ୍ତି କାନାଡା-ଭାରତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ନିବିଡ କରିବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର