ଅଯୋଧ୍ୟା ବିବାଦ ସପ୍ତାହରେ ୫ ଦିନ ଶୁଣାଣି

ମୁସ୍‌ଲିମ ପକ୍ଷର ଯୁକ୍ତି ଖାରଜ

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟ ଅଯୋଧ୍ୟା ମାମଲାରେ ୫ ଦିନ ନିୟମିତ ଶୁଣାଣି କରିବେ ବୋଲି ଆଜି ସ୍ପଷ୍ଟ କରିଦେଇଛନ୍ତି। ନିୟମିତ ଶୁଣାଣିକୁ ବିରୋଧ କରି ମୁସ୍‌ଲିମ ପକ୍ଷ ଉପସ୍ଥାପନ କରିଥିବା ଯୁକ୍ତିକୁ କୋର୍ଟ ଖାରଜ କରିଦେଇଛନ୍ତି। ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଶୁଣାଣି ହେବ ଏବଂ ସମସ୍ତ ପକ୍ଷ ଏଥିପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି। ତେବେ ଶୁଣାଣି ପାଇଁ ଆବଶ୍ୟକ ପ୍ରସ୍ତୁତି ନିମନ୍ତେ ସମୟ ମିଳିପାରୁନାହିଁ ବୋଲି ଦର୍ଶାଇ ମୁସ୍‌ଲିମ୍‌ ପକ୍ଷ ଯୁକ୍ତି ଦର୍ଶାଇଥିଲେ। ତେବେ ଅଯୋଧ୍ୟା ମାମଲାରେଏଭଳି ଯୁକ୍ତି ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ମୁସ୍‌ଲିମ ପକ୍ଷର ଓକିଲ ରାଜୀବ ଧୱନଙ୍କୁ କହିଥିଲେ, ମାମଲାର ନିୟମିତ ଶୁଣାଣି ଚାଲିବ ଏବଂ ପ୍ରତି ସପ୍ତାହରେ ମିଳୁଥିବା ଛୁଟିର ଉପଯୋଗ କରି ପକ୍ଷମାନେ ଏଥିପାଇଁ ପ୍ରସ୍ତୁତ ରହିବାକୁ ହେବ।

ଅଯୋଧ୍ୟା ବିବାଦର ଶୁଣାଣି କରୁଥିବା ଖଣ୍ଡପୀଠରେ ପ୍ରଧାନ ବିଚାରପତିଙ୍କ ବ୍ୟତୀତ ଜଷ୍ଟିସ୍‌ ଏସ୍‌ଏ ବବ୍‌ଡେ, ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‌ ଏସ୍‌. ଅବଦୁଲ ନଜିର ରହିଛନ୍ତି। ଗୁରୁବାର ଶୁଣାଣି ସମୟରେ ବିଭିନ୍ନ ପ୍ରାଚୀନ ଧର୍ମଗ୍ରନ୍ଥ, ଶ୍ଳୋକ ଏବଂ ନଦୀମାନଙ୍କର ପ୍ରସଙ୍ଗ ଉଠିଥିଲା। ଏହା ପୂର୍ବରୁ ଅଦାଲତ ଜମିର ମାଲିକାନା ଦାବି କରୁଥିବା ପକ୍ଷମାନଙ୍କୁ ସେମାନଙ୍କ ଦସ୍ତାବିଜ ଉପସ୍ଥାପନ କରିବାକୁ କହିଥିଲେ।

ସମ୍ବନ୍ଧିତ ଖବର