ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପାଇଁ ୯୭ଟି ହାଲୁକା ଲଢୁଆ ବିମାନ (ଏଲ୍ସିଏ) ତେଜସ୍ ଏମ୍କେ୧ଏ କିଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ଗୁରୁବାର ହିନ୍ଦୁସ୍ତାନ ଏରୋନଟିକ୍ସ (ହାଲ୍) ସହିତ ୬୨,୩୭୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଚୁକ୍ତିନାମା ସ୍ୱାକ୍ଷର କରିଛି। ଏହି ଅର୍ଡରରେ ୬୮ଟି ଯୁଦ୍ଧ ଭାରିଆଣ୍ଟ ଏବଂ ୨୯ଟି ଦୁଇ-ସିଟର୍ ବିମାନ ସହିତ ଆନୁଷଙ୍ଗିକ ଉପକରଣ ରହିଛି। ବିତରଣ ୨୦୨୭-୨୮ରେ ଆରମ୍ଭ ହୋଇ ଛଅ ବର୍ଷ ମଧ୍ୟରେ ଶେଷ ହେବ।
ଏହା ଭାରତର ବିମାନ ଚଳାଚଳ ଇତିହାସରେ ସର୍ବବୃହତ୍ ସ୍ୱଦେଶୀ ବିମାନ ଅର୍ଡର। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧ ବିମାନର ଏକ ଉନ୍ନତ ଭାରିଆଣ୍ଟ ତେଜସ୍ ଏମ୍କେ୧ଏରେ ୬୪ ପ୍ରତିଶତରୁ ଅଧିକ ସ୍ୱଦେଶୀ ସାମଗ୍ରୀ ରହିବ। ଜାନୁଆରି ୨୦୨୧ରେ ସ୍ୱାକ୍ଷରିତ ପୂର୍ବ ଚୁକ୍ତିନାମା ତୁଳନାରେ, ନୂତନ ଚୁକ୍ତିରେ ୬୭ଟି ଅତିରିକ୍ତ ଆଇଟମ୍ ଅନ୍ତର୍ଭୁକ୍ତ ହୋଇଛି, ଯେଉଁଥିରେ ଉନ୍ନତ ଜ୍ଞାନକୌଶଳ ଯେପରିକି ଉତ୍ତମ ଆକ୍ଟିଭ ଇଲେକ୍ଟ୍ରୋନିକ୍ ସ୍କାନଡ୍ ଆରେ (ଏଇଏସ୍ଏ) ରାଡାର୍, ଆତ୍ମସୁରକ୍ଷା ବ୍ୟବସ୍ଥା ଏବଂ ସ୍ୱଦେଶୀ ନିୟନ୍ତ୍ରଣ ସର୍ପେସ୍ ଆକ୍ଚୁଏଟର୍ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୦୫ ଘରୋଇ କମ୍ପାନି ଯୋଗାଣ ଶୃଙ୍ଖଳାରେ ଯୋଗଦାନ କରିବେ। ଉତ୍ପାଦନ ପ୍ରକ୍ରିୟାରେ ବାର୍ଷିକ ପ୍ରାୟ ୧୧,୭୫୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/26/tejas-jet-2025-09-26-02-25-30.jpg)