ପ୍ରସ୍ତାବର ପୁନର୍ବିଚାର କରିବାକୁ କୃଷକମାନଙ୍କୁ କୃଷିମନ୍ତ୍ରୀଙ୍କ ନିବେଦନ, ସରକାର ଖୋଲା ମନରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି

ନୂଆଦିଲ୍ଲୀ : ନୂଆ କୃଷି ଆଇନ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ କୃଷକ ସଂଗଠନଗୁଡ଼ିକ ପ୍ରତ୍ୟାଖ୍ୟାନ କରିବା ପରେ ଆଜି ସରକାର ପୁଣି ଥରେ ସେମାନଙ୍କୁ ପ୍ରସ୍ତାବଗୁଡ଼ିକ ଉପରେ ବିଚାର କରିବାକୁ ଅନୁରୋଧ କରିଛନ୍ତି ।

କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ ସରକାର କୃଷକମାନଙ୍କ ନିକଟକୁ ଏକ ପ୍ରସ୍ତାବ ପଠାଇଥିଲେ । କିନ୍ତୁ ସେମାନେ ସମ୍ପୂର୍ଣ୍ଣ ଆଇନକୁ ରଦ୍ଦ କରିବାକୁ ଦାବି କରୁଛନ୍ତି । ସରକାର କୃଷକମାନଙ୍କ ସହ ଖୋଲା ମନ ନେଇ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ନୂଆ ଆଇନ ଏମଏସପି ଓ ଏମପିଏମସିଗୁଡ଼ିକ ଉପରେ ହସ୍ତକ୍ଷେପ କରେ ନାହିଁ । ସେହିପରି ଏହି ଆଇନ କୃଷକଙ୍କ ଜମିର ସୁରକ୍ଷା କରିବ । ଏହି ଆଇନକୁ ସାରା ଦେଶରେ ସ୍ବାଗତ କରାଯାଉଥିବାବେଳେ କେତେକ କୃଷକ ସଂଗଠନ ଏହାକୁ ବିରୋଧ କରୁଛନ୍ତି । କିନ୍ତୁ ସରକାର ଏହି ମତଭେଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଉଦ୍ୟମ କରୁଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଆଇନ ଦ୍ବାରା ସରକାର କୃଷକମାନଙ୍କୁ ମଣ୍ଡି ରୂପକ ବନ୍ଧନରୁ ମୁକ୍ତ କରିବାକୁ ଉଦ୍ୟମ କରୁଛନ୍ତି ।   ୨୦୦୬ରେ ଆସିଥିବା ସ୍ବାମୀନାଥନ କମିଟି ରିପୋର୍ଟରେ କୃଷକମାନଙ୍କୁ ଦେଢଗୁଣା ଏମଏସପି ଦେବାକୁ ପ୍ରସ୍ତାବ ରଖାଯାଇଥିଲା । କିନ୍ତୁ ଏହାକୁ ତତକାଳୀନ ସରକାର ଲାଗୁ କରୁନଥିଲେ । କେବଳ ମୋଦୀ ସରକାର ଏହାକୁ ଲାଗୁ କରିଥିଲେ ।

ସେହିପରି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ଯେ ଏହି ଆଇନ ଏପିଏମସିଗୁଡ଼ିକୁ ଆଦୌ ପ୍ରଭାବିତ କରିନଥାଏ । କିନ୍ତୁ ଏ ନେଇ ଲୋକମାନଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଉଛି ଯେ ସରକାର କୃଷକମାନଙ୍କଠାରୁ ଫସଲ କିଣିବେ ନାହିଁ । କିନ୍ତୁ ଏହା ସତ ନୁହେଁ ।

ସମ୍ବନ୍ଧିତ ଖବର