ନୂଆଦିଲ୍ଲୀ: କୃଷି ସଂସ୍କାର ଚାଷୀଙ୍କ ପାଇଁ ନୂଆ ସୁଯୋଗ ଆଣିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ୍‌ କୀ ବାତ୍‌’ର ୭୧ତମ ସଂସ୍କରଣରେ କହିଛନ୍ତି। କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ପ୍ରଣୟନ କରିଥିବା ନୂଆ କୃଷି ଆଇନ ଚାଷୀଙ୍କ ପାଇଁ ସୁଯୋଗର ଦ୍ବାର ଖୋଲି ‌ଦେଇଛି। କୃଷି ଆଇନ ଚାଷୀଙ୍କ ଅଧିକାର ସାବ୍ୟସ୍ତ କରିବାରେ ସକ୍ଷମ ‌ହୋଇପାରିବ। ବର୍ଷବର୍ଷ ଧରି ଚାଷୀଙ୍କ ଦୀର୍ଘଦିନର ଦାବି ଓ ସମସ୍ୟାଗୁଡ଼ିକର ସମାଧାନ ହୋଇ ନପାରି ପଡ଼ି ରହିଥିଲା। ତେବେ ନୂଆ କୃଷି ଆଇନ ଚାଷୀଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିବ ଏବଂ ଚାଷୀଙ୍କ ବହୁ ଦିନର ଦାବି ପୂରଣ ହୋଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନୂଆ କୃଷି ଆଇନରେ ଚାଷୀଙ୍କଠାରୁ ଉତ୍ପାଦ କିଣିବାର ୩ ଦିନ ମଧ୍ୟରେ ଟଙ୍କା ପୈଠ କରିବା ବାଧ୍ୟତାମୂଳକ ବୋଲି ଉଲ୍ଲେଖ ରହିଛି। ଯଦି ୩ ଦିନ ମଧ୍ୟରେ ଚାଷୀ ଟଙ୍କା ନ ପାଏ ତେବେ ଚାଷୀ କ୍ରେତାଙ୍କ ବିରୋଧରେ ମାମଲା ରୁଜୁ କରିପାରିବ ବୋଲି ପ୍ରଧାନମନ୍ତ୍ରୀ ‘ମନ୍‌ କୀ ବାତ୍‌’ରେ କହିଛନ୍ତି। କୃଷି କ୍ଷେତ୍ରକୁ ଏକ ନୂଆ ଦିଗ ଦେବାକୁ ସରକାର ଯତ୍ନବାନ ହେଉଛନ୍ତି।

Advertisment

ଆଜି ମନ୍‌ କୀ ବାତ୍‌ରେ ପ୍ରଧାନମନ୍ତ୍ରୀ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ଉତ୍‌ଥାପନ କରିଥିଲେ। ପକ୍ଷୀପ୍ରେମୀ ଡ. ସଲିମ୍‌ ଅଲ୍ଲୀଙ୍କ ୧୨୫ତମ ଜନ୍ମଦିବସ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ନାମ ଉଲ୍ଲେଖ କରିବାକୁ ଭୁଲି ନଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ସଲିମ୍‌ ଅଲ୍ଲୀ ପକ୍ଷୀ ସଂରକ୍ଷଣ ଓ ସୁରକ୍ଷା କ୍ଷେତ୍ରରେ ବ୍ୟାପକ କାର୍ଯ୍ୟ କରିଛନ୍ତି। ସେ ବ୍ୟକ୍ତିଗତ ଭାବେ ସିଲିମ୍‌ଙ୍କର ଜଣେ ବଡ଼ ପ୍ରଶଂସକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୧୦୦ ବର୍ଷ ତଳେ ବାରଣାସୀରୁ ଚୋରି ହୋଇଥିବା ଦେବୀ ଅନ୍ନପୂର୍ଣ୍ଣାଙ୍କ ପଥର ମୂର୍ତ୍ତିକୁ କାନାଡାରୁ ଭାରତକୁ ଫେରାଇ ଅଣାଯାଇପାରିଛି। ଏହା ସବୁ ଭାରତୀୟଙ୍କ ପାଇଁ ଖୁସିର ଖବର। ସମଗ୍ର ବିଶ୍ବରେ ‘ଐତିହ୍ୟ ସପ୍ତାହ’ ପାଳନ ପରିପ୍ରେକ୍ଷୀରେ ଦେବୀ ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ଫେରିବା ଘଟଣା ଏକ ସଂଯୋଗ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ମହାମାରୀ ସମୟରେ ଡିଜିଟାଲ୍‌ ଜ୍ଞାନକୌଶଳ ବଳରେ ଦେଶର ସଂଗ୍ରହାଳୟଗୁଡ଼ିକ ନିଜର ଐତିହ୍ୟରାଜିକୁ ପ୍ରଦର୍ଶନ କରିପାରୁଛନ୍ତି। ଅଜନ୍ତା ଗୁମ୍ଫାର କୀର୍ତ୍ତିରାଜିକୁ ଡିଜିଟାଲ୍‌ ମାଧ୍ୟମରେ ପ୍ରଦର୍ଶନ କରାଯାଇପାରିଛି। ଭାରତୀୟ ସଂସ୍କୃତି ଓ ଶାସ୍ତ୍ର, ଜ୍ଞାନ ସମଗ୍ର ବିଶ୍ବ ପାଇଁ ଆକର୍ଷଣର କେନ୍ଦ୍ର। ଭାରତର ସଂସ୍କୃତିକୁ ଜାଣିବାକୁ ବହୁ ଦେଶରୁ ଲୋକେ ଛୁଟି ଆସୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନୂତନ ଭାବେ ନିର୍ବାଚିତ ହୋଇଥିବା ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଡ. ଗୌରବ ଶର୍ମାଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ଡ. ଶର୍ମା କିଭଳି ସଂସ୍କୃତ ଭାଷାରେ ଶପଥ ପାଠ କରିଥିଲେ ସେକଥା ମନେ ପକାଇ ଦେଇଥିଲେ। ଭାରତୀୟ ସଂସ୍କୃତି ଓ ଭାଷା ବିଦେଶରେ ପ୍ରଚାର ପ୍ରସାର ହେବା ଆମ ପାଇଁ ଗୌରବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ବର୍ତ୍ତମାନ ବିଶ୍ବ କରୋନା ମହାମାରୀ ଭଳି ଏକ ଭୟାନକ ସ୍ଥିତିକୁ ସାମ୍ନା କରୁଛି। ଅତୀତରେ ବିଶ୍ବ ‌ଅନେକ ଉତ୍‌ଥାନ ଓ ପତନ ‌ଦେଖିଛି। ସେମିତି କରୋନା ସହ ଲଢ଼େଇ କରି ମଧ୍ୟ ଆମେ ଜିତିପାରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆସନ୍ତାକାଲି (ନଭେମ୍ବର ୩୦) ଗୁରୁ ନାନକ ଦେବଙ୍କର ୫୫୧ତମ ଜୟନ୍ତୀ ଅବସରରେ ବିଶ୍ବ‘ପ୍ରକାଶ ପର୍ବ’ ପାଳନ କରୁଛି। ସମଗ୍ର ବିଶ୍ବକୁ ଗୁରୁ ନାନକ ପ୍ରଭାବିତ କରିଥିଲେ ବୋଲି ମୋଦୀ କହିଛନ୍ତି।