କୃଷି ବିଲ୍‌ ଏକବିଂଶ ଶତାବ୍ଦୀର ଆବଶ୍ୟକତା: ମୋଦୀ

ନୂଆଦିଲ୍ଲୀ: ସଂସଦରେ ପାରିତ କୃଷିବିଲ୍‌ ବିଲ୍‌ଗୁଡ଼ିକ ହେଉଛି ଏକବିଂଶ ଶତାବ୍ଦୀ ଭାରତର ଆବଶ୍ୟକତା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି। ବିହାରରେ ୯ଟି ଜାତୀୟ ରାଜପଥର ଶିଳାନ୍ୟାସ ଅବସରରେ ସେ ଏପରି ଟିପ୍ପଣୀ କରିବା ସହ ବିରୋଧୀ ଦଳମାନଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି। କୃଷିକ୍ଷେତ୍ର ପାଇଁ ଏପରି ପରିବର୍ତ୍ତନ ଆସିବାରେ କିଛି ଲୋକ ତାହା ଉପରୁ ନିୟନ୍ତ୍ରଣ ହରାଇବା ଆଶଙ୍କାରେ ସର୍ବନିମ୍ନ ସହାୟକ ଦର(ଏମ୍‌ଏସ୍‌ପି) ପରି ପ୍ରସଙ୍ଗମାନ ଉଠାଇ କୃଷକମାନଙ୍କୁ ଏପରି ଅବାଟରେ ଯିବାକୁ ଭ୍ରମିତ କରୁଛନ୍ତି ବୋଲି ମୋଦୀ କହିଛନ୍ତି। ସେହିମାନେ ହିଁ ଏମ୍‌ଏସ୍‌ପି ସଂକ୍ରାନ୍ତ ସ୍ବାମୀନାଥନ କମିଟିର ସୁପାରିସ ଉପରେ ବର୍ଷ ବର୍ଷ ଧରି ବସି ରହିଥିଲେ। ଦୀର୍ଘ ଦିନ ଧରି ଏକ ସଂକୀର୍ଣ୍ଣ ଗୋଷ୍ଠୀ ହିଁ କୃଷକମାନଙ୍କୁ ଶୋଷଣ କରି ଆସୁଥିଲେ। ଚାଷୀଙ୍କ ଉତ୍ପାଦ ବିକ୍ରି କରିବା ପାଇଁ ରହିଥିବା ନୀତିନିୟମକୁ ସେମାନେ ହିଁ ଜାବୁଡ଼ି ଧରିଥିଲେ। ସେଥିରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଥିଲା ଏବଂ ତାଙ୍କ ସରକାର ତାହା କରିଛନ୍ତି ବୋଲି ମୋଦୀ କହିଛନ୍ତି। ଏହି ବିଲ୍‌ରେ ରହିଥିବା ପ୍ରାବଧାନଗୁଡ଼ିକ ଐତିହାସିକ। ଏଭଳି ସଂଶୋଧନ ସତ୍ତ୍ବେ ଯଦି ସରକାରଙ୍କ ଦ୍ବାରା ନିୟନ୍ତ୍ରିତ କୃଷି ବଜାର ଶେଷ ହୋଇଯିବ ବୋଲି ଲୋକେ କହନ୍ତି, ତେବେ ସେମାନେ ସ୍ପଷ୍ଟ ଭାବରେ ମିଛ କହୁଛନ୍ତି ବୋଲି ଧରିନେବାକୁ ହେବ। କୃଷି ମଣ୍ଡିଗୁଡ଼ିକ ହଟିଯିବ ବୋଲି ଆଶଙ୍କା ବ୍ୟକ୍ତ କରୁଥିବା କିଛି କୃଷକମାନଙ୍କୁ ଭରସା ଦେଇ ସେ କହିଥିଲେ ଯେ ଏହି କୃଷି ବିଲ୍‌ଗୁଡ଼ିକ କୌଣସି ମତେ କୃଷି ମଣ୍ଡି ବିରୋଧୀ ନୁହେଁ, ସୁତରାଂ ଆଗରୁ ତାହା ଯେମିତି ଚାଲି ଆସୁଥିଲା, ସେମିତି ବଜାୟ ରହିବ।

ସମ୍ବନ୍ଧିତ ଖବର