ଅଗସ୍ତା ୱେଷ୍ଟଲାଣ୍ଡ ହେଲିକପ୍ଟର ଦୁର୍ନୀତି

ସୋନିଆଙ୍କ ନାମ ନେଇଛନ୍ତି ମିସେଲ୍‌: ଇଡି

ନୂଆଦିଲ୍ଲୀ: ଅଗସ୍ତା ୱେଷ୍ଟଲାଣ୍ଡ ହେଲିକପ୍ଟର କ୍ରୟ ଦୁର୍ନୀତି ମାମଲାରେ ଶନିବାର ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରେ ମଧ୍ୟସ୍ଥି ଖ୍ରୀଷ୍ଟିଆନ୍‌ ମିସେଲ୍‌ଙ୍କ ବାବଦରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଜେରା ସମୟରେ ମିସେଲ୍‌ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନାମ ନେଇଥିଲେ। ତେବେ ଅଗସ୍ତା ପରିପ୍ରେକ୍ଷୀରେ କେଉଁ ସ୍ଥିତିକୁ ନେଇ ମିସେଲ୍‌ ସୋନିଆଙ୍କ ନାମ ନେଇଥିଲେ, ତାହା ଇଡି ସ୍ପଷ୍ଟ କରିନାହିଁ। ଏହାବ୍ୟତୀତ ପଚରାଉଚରା ବେଳେ ମିସେଲ୍‌ ‘ଇଟାଲୀ ମହିଳାଙ୍କ ପୁଅ’ଙ୍କ କଥା ଉଠାଇଥିଲେ। ଆଗାମୀ ବର୍ଷରେ ସେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ମଧ୍ୟ ସେ କହିଥିଲେ ବୋଲି ଇଡି ଦାବି କରିଛି। ୩୬୦୦ କୋଟି ଟଙ୍କାର ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲାର ଅନ୍ୟତମ ଅଭିଯୁକ୍ତ ମଧ୍ୟସ୍ଥି ମିସେଲ୍‌ଙ୍କୁ କିଛିଦିନ ତଳେ ଦୁବାଇରୁ ପ୍ରତ୍ୟର୍ପଣ କରି ଅଣାଯାଇଥିଲା। ଆଜି ପଟିଆଲା ହାଉସ୍‌ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ଇଡି ପକ୍ଷରୁ ଏଭଳି ଦାବି କରାଯିବା ପରେ କଂଗ୍ରେସ ଏହାକୁ ସମାଲୋଚନା କରିଛି। ଦଳ କହିଛି ଯେ ମିସେଲ୍‌ଙ୍କ ଉପରେ ସରକାରୀ ଏଜେନ୍ସିଗୁଡ଼ିକ ପ୍ରବଳ ଚାପ ପକାଉଛନ୍ତି। ଯାହା ଘଟିନାହିଁ, ତାହା କୁହାଇବାକୁ ଚେଷ୍ଟା କରାଯାଉଛି। ତେବେ ମିସେଲ୍‌ଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ କୋର୍ଟ ଇଡିକୁ ଅନୁମତି ଦେଇଛନ୍ତି।

ଆଜି କୋର୍ଟରେ ଶୁଣାଣି ବେଳେ ଭିଭିଆଇପି ହେଲିକପ୍ଟର କ୍ରୟ ଚୁକ୍ତିରୁ ରାଷ୍ଟ୍ରାୟତ୍ତ ହାଲ୍‌କୁ ବାଦ୍ ଦିଆଯାଇ କିଭଳି ଟାଟାକୁ ସାମିଲ କରାଗଲା ତାହା ମଧ୍ୟ ମିସେଲ୍‌ କହିଥିବା ଇଡି ଦାବି କରିଥିଲା। ମିସେଲ୍‌ଙ୍କୁ ବର୍ତ୍ତମାନ ତାଙ୍କ ଓକିଲଙ୍କ ସହିତ ସାକ୍ଷାତ ପାଇଁ ଅନୁମତି ନଦେବାକୁ ଇଡି କୋର୍ଟଙ୍କୁ ଅନୁରୋଧ କରିଥିଲା। କାରଣ କୋର୍ଟଙ୍କୁ ସତ ଲୁଚାଇବା ପାଇଁ କ’ଣ କହିବାକୁ ପଡ଼ିବ, ତାହା ତାଙ୍କୁ ବାହାରୁ ଶିଖାଯାଉଛି ବୋଲି ଇଡି ଅଭିଯୋଗ କରିିଥିଲା। ଅନ୍ୟପକ୍ଷରେ ଏହାକୁ ମିସେଲ୍‌ଙ୍କ ଓକିଲ ଏଲ୍‌ଜୋ କେ ଯୋଶେଫ୍‌ ଖଣ୍ଡନ କରିଛନ୍ତି। ତେବେ ଏହି ଯୁକ୍ତି ଶୁଣିବା ପରେ କୋର୍ଟ ମିସେଲ୍‌ଙ୍କୁ ଭେଟିବା ସମୟରେ ନିର୍ଦ୍ଧାରିତ ଦୂରତ୍ବ ରକ୍ଷା କରିବା ଲାଗି ଓକିଲ ଏଲ୍‌ଜୋଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତିଦିନ ସକାଳ ଓ ସନ୍ଧ୍ୟାବେଳେ ୧୫ ମିନିଟ୍‌ ସାକ୍ଷାତ କରିବା ପାଇଁ କୋର୍ଟ ଅନୁମତି ଦେଇଥିଲେ। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆର୍‌ପିଏନ୍‌ ସିଂହ କହିଛନ୍ତି, ଗୋଟିଏ ପରିବାରର ନାମ ନେବା ପାଇଁ ମିସେଲ୍‌ଙ୍କ ଉପରେ ପ୍ରବଳ ଚାପ ପକାଯାଉଛି। ଗୋଟିଏ ପରିବାରକୁ ବଦ୍‌ନାମ କରିବା ପାଇଁ ଚୌକିଦାର ଏଭଳି କାହିଁକି କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜେପିର ସ୍କ୍ରିପ୍‌ଟ ରାଇଟର୍‌ ଏଥିପାଇଁ ଦୀର୍ଘଦିନ ଧରି ବ୍ୟସ୍ତ ରହିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର