ଅଗଷ୍ଟା ୱେଷ୍ଟଲାଣ୍ଡ ଦୁର୍ନୀତି: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରତୁଲ ପୁରୀଙ୍କ ପ୍ରସଙ୍ଗରେ ୟୁ ଟର୍ଣ୍ଣ ନେଲା ଇଡି

ନୂଆଦିଲ୍ଲୀ: ଭିଭିଆଇପି ହେଲିକପ୍ଟର ଅଗଷ୍ଟା  ୱେଷ୍ଟଲାଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କ ଭଣଜା ରତୁଲ ପୁରୀଙ୍କୁ ଏହି ଦୁର୍ନୀତିରେ ଛନ୍ଦି ଦେବା ସହ ତାଙ୍କୁ ତଦନ୍ତର ପରିସର ଭୁକ୍ତ କରିଥିଲା।

ଅଭିଯୁକ୍ତ ରତୁଲ ପୁରୀଙ୍କ ବିରୋଧରେ ସଙ୍ଗୀନ୍‌ ଅଭିଯୋଗ ଲଗାଇ ଇଡି ପକ୍ଷରୁ କୁହା ଯାଇଥିଲା ଯେ ଅଗଷ୍ଟା େଓ୍ଵଷ୍ଟଲାଣ୍ଡ ଦୁର୍ନୀତି ସମେତ ମନି ଲଣ୍ଡରିଂ ମାମଲାରେ ସେ ସଂପୃକ୍ତ ଅଛନ୍ତି। ଖାଲି ଏତିକି ନୁହେଁ; ଏହି ଦୁର୍ନୀତି ମାମଲାରେ ସାକ୍ଷୀଙ୍କୁ ହତ୍ୟା କରିବା ଘଟଣାରେ ସଂପୃକ୍ତ ରହିବା ସହ ଏହି ଦୁର୍ନୀତିର ପ୍ରମାଣକୁ ନଷ୍ଟ କରିବା, ମିଥ୍ୟା କାଗଜ ପତ୍ର ଦେଖାଇ ତଦନ୍ତ ପ୍ରକ୍ରିୟାକୁ ବିଭ୍ରାନ୍ତ କରିବା ଏବଂ ତଦନ୍ତ କାଳରେ ତଦନ୍ତ ଅଧିକାରୀମାନଙ୍କୁ ସହଯୋଗ ନ କରିବା ଆଦି ବିଭିନ୍ନ ଅପରାଧରେ ସେ ସଂପୃକ୍ତ ଅଛନ୍ତି। ଏ ପରିପ୍ରେକ୍ଷୀରେ ରତୁଲ ପୁରୀ ନିଜର ଗିରଫଦାରୀକୁ ଏଡ଼ାଇବା ପାଇଁ ଦିଲ୍ଲୀର ଅଦାଲତରେ ଆଗୁଆ ଜାମିନ ଆବେଦନ କରିଥିଲେ।

News18

ତେବେ, ଆଜି ଅଦାଲତରେ ରତୁଲ ପୁରୀଙ୍କ ଆଗୁଆ ଜାମିନର ଶୁଣାଣି ଚାଲିଥିବା ବେଳେ ହଠାତ୍‌ ଏହି ମାମଲାରେ ୟୁ ଟର୍ଣ୍ଣ ନେଇଥିଲା ଇଡି। ଇଡିଙ୍କ ଓକିଲ ଅଦାଲତଙ୍କୁ କହିଥିଲେ ଯେ ଏହି ଦୁର୍ନୀତି ମାମଲାରେ ସାକ୍ଷୀ ଥିବା କେ କେ ଖୋସଲା ପ୍ରଥମେ ତଦନ୍ତକାରୀ ଅଧିକାରୀମାନଙ୍କୁ ଦେଇଥିବା ବୟାନକୁ ପ୍ରତ୍ୟାହାର କରିନେବା ପରେ ଏବେ କେଉଁ ଆଡ଼େ ନିଖୋଜ ହୋଇ ଯାଇଛନ୍ତି। ତାଙ୍କୁ ହତ୍ୟା କରା ଯାଇନାହିଁ। ନିଖୋଜ ସାକ୍ଷୀଙ୍କୁ ପୁଲିସ୍‌ ଖୋଜୁଛି ଓ ତାଙ୍କୁ ଖୁବ୍‌ ଶୀଘ୍ର ଅଦାଲତରେ ହାଜର କରାଯିବ। ତେବେ, ଅଭିଯୁକ୍ତ ରତୁଲ ପୁରୀ ଜଣେ ‘ପ୍ରଭାବଶାଳୀ ବ୍ୟକ୍ତିବିଶେଷ’ ହୋଇଥିବା କାରଣରୁ ସେ ସାକ୍ଷ୍ୟ ପ୍ରମାଣକୁ ନଷ୍ଟ କରି ଦେବାର ଆଶଙ୍କା ରହିଛି। ତେଣୁ, ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିବା ପାଇଁ ଯୁକ୍ତି ବାଢ଼ିଥିଲା ଇଡି। ହେଲେ, ଇଡିର ଏ ପ୍ରକାରର ଆଭିମୁଖ୍ୟ ଦେଖି ଏମାମଲାର ଶୁଣାଣିକୁ ଆସନ୍ତା କାଲିକୁ ସ୍ଥଗିତ ରଖିଛନ୍ତି ଅଦାଲତ।

ସମ୍ବନ୍ଧିତ ଖବର