ବ୍ୟାଙ୍କକୁ ଠକି କିଣିଥିଲେ ହେଲିକପ୍ଟର, ଜବତ କଲା ସିବିଆଇ

ମୁମ୍ବାଇ : ପୁଣେର ରିଅଲ ଇଷ୍ଟେଟ ବ୍ୟବସାୟୀ ଅବିନାଶ ଭୋଁସଲେଙ୍କ ଘରେ ଆଜି ସିବିଆଇ ଚଢଉ କରି ଏକ ଅଗଷ୍ଟା ଓ୍ବେଷ୍ଟଲାଣ୍ଡ ହେଲିକପ୍ଟର ଜବତ କରିଛି । ହେଲିକପ୍ଟରକୁ ଅବିନାଶ ଘର ପରିସରରେ ଏକ ହାଙ୍ଗର ଭିତରେ ରଖାଯାଇଥିଲା ।

୩୪୦୦୦ କୋଟି ଟଙ୍କାର ଡିଏଚଏଫଏଲ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ନିକଟରେ ଅବିନାଶଙ୍କୁ ଗିରଫ କରିଥିଲା । ପୂର୍ବରୁ ତାଙ୍କ ଘରେ ଚଢଉ ବେଳେ ସିବିଆଇ ପ୍ରାୟ ସାଢେ ୫ କୋଟି ଟଙ୍କାର ପେଣ୍ଟିଂ ଓ ଲକଜୁରୀ ଘଣ୍ଟା ମଧ୍ୟ ଜବତ କରିଥିଲା ।

ଦିଓ୍ବାନ ହାଉସିଂ ଫାଇନାନ୍ସ କର୍ପୋରେସନ (ଡିଏଚଏଫଏଲ)ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ କପିଲ ଓ୍ବାଧବନ, ନିର୍ଦ୍ଦେଶକ ଧୀରଜ ଓ୍ବାଧବନ, ବ୍ୟବସାୟୀ ସୁଧାକର ସେଟ୍ଟୀ, ଅବିନାଶ ଭୋଁସଲେ ଓ ଆଉ କିଛି ବ୍ୟକ୍ତି ଏକ ଅପରାଧିକ ଷଡ଼ଯନ୍ତ୍ର କରି ପ୍ରାୟ ୩୪,୬୧୪ କୋଟି ଟଙ୍କାର ବ୍ୟାଙ୍କ ଋଣ ଆଣି ଆତ୍ମସାତ କରିଥିଲେ । ୟୁନିଅନ ବ୍ୟାଙ୍କ ନେତୃତ୍ବରେ ଥିବା ୧୭ଟି ବ୍ୟାଙ୍କକୁ ନେଇ ଗଠିତ ବ୍ୟାଙ୍କିଙ୍ଗ କନସୋର୍ଟିଅମ ଏହି ଋଣ ପ୍ରଦାନ କରିଥିଲା । ପରେ ବ୍ୟାଙ୍କମାନଙ୍କ ଅଭିଯୋଗ କ୍ରମେ ସିବିଆଇ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା ।

 

 

ସମ୍ବନ୍ଧିତ ଖବର