ନୂଆଦିଲ୍ଲୀ : ୩୬ ଶହ କୋଟି ଟଙ୍କା ବିଶିଷ୍ଟ ଅଗଷ୍ଟା ଓ୍ବେଷ୍ଟଲାଣ୍ଡ୍ ଭିଭିଆଇପି ହେଲିକପ୍ଟର କିଣା ମାମଲାରେ ଏକ ଅତିରିକ୍ତ ଚାର୍ଜସିଟ ଦାଖଲ କରିଛି ସିବିଆଇ । ଏହି ଚାର୍ଜସିଟ ପୂର୍ବତନ ସିଏଜି ଶଶୀକାନ୍ତ ଶର୍ମାଙ୍କ ବିରୋଧରେ ଦାଖଲ ହୋଇଛି ।
ଏହି ଚାର୍ଜସିଟରେ କେତେକ ଅବସରପ୍ରାପ୍ତ ବାୟୁସେନା ଅଧିକାରୀଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ସେମାନେ ହେଲେ ପୂର୍ବତନ ଉପମୁଖ୍ୟ ଟେଷ୍ଟ ପାଇଲଟ୍ ଏସଏ କୁନ୍ତେ, ଓ୍ବିଙ୍ଗ କମାଣ୍ଡର ଥମାସ ମାଥ୍ୟୁ ଓ ଗ୍ରୁପ କ୍ୟାପଟେନ ଏନ.ସନ୍ତୋଷ । ଶଶୀକାନ୍ତ ଶର୍ମା ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ପ୍ରତିରକ୍ଷା ସଚିବ ଥିଲେ । ପରେ ସେ ଦେସର ସିଏଜି ହୋଇଥିଲେ ।
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ପ୍ରଭୃତି ଭିଭିଆଇପିଙ୍କ ପାଇଁ ସୋଭିଏତ ଯୁଗର ଏମଆଇ୮ ଆଇ ଚପର ବଦଳରେ ଏକ ନୂଆ ହେଲିକାପ୍ଟର କ୍ରୟ ପାଇଁ ୧୯୯୯ରେ ଭାରତୀୟ ବାୟୁସେନା ଟେଣ୍ଡର ଆହ୍ବାନ କରିଥିଲା । କିନ୍ତୁ ଏଥିପାଇଁ ଥିବା ବୈଷୟିକ ମାନଦଣ୍ଡକୁ ପୂରଣ କରୁନଥିବାରୁ ଅଗଷ୍ଟା ଓ୍ବେଷ୍ଟଲାଣ୍ଡ କମ୍ପାନି ଏହି ଦୌଡ଼ରେ ନଥିଲା । କିନ୍ତୁ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଏସପି ତ୍ୟାଗୀ ବାୟୁସେନା ମୁଖ୍ୟ ହେବା ପରେ ଏହି ବୈଷୟିକ ମାନଦଣ୍ଡକୁ କିଛିଟା କୋହଳ କରିଥିଲେ । ଏହା ଫଳରେ ଅଗଷ୍ଟା ଏହି ଟେଣ୍ଡର ଦୌଡ଼ରେ ସାମିଲ ହୋଇପାରିଥିଲା । ଷେଷରେ ୨୦୧୦ରେ ୩୬ ଶହ କୋଟି ଟଙ୍କା ମୂଲ୍ୟ ବିନିମୟରେ ୧୨ଟି ଭିଭିଆଇପି ହେଲିକପ୍ଟର ଯୋଗାଇବାକୁ ଅଗଷ୍ଟା ଓ୍ବେଷ୍ଟଲାଣ୍ଡକୁ କଣ୍ଟ୍ରାକ୍ଟ ଦିଆଯାଇଥିଲା । ଏଥିପାଇଁ ମୋଟ ଡିଲ ପରିମାଣର ପ୍ରାୟ ୭ ପ୍ରତିଶତ ଲାଞ୍ଚ ଆକାରରେ ଦିଆଯାଇଥିଲା ବୋଲି ସିବିଆଇ ଅଭିଯୋଗ କରିଛି ।