ଅହମ୍ମଦ ପଟେଲ୍‌ କଂଗ୍ରେସର ନୂଆ କୋଷାଧ୍ୟକ୍ଷ:ମୋତିଲାଲ ଭୋରା ସାଧାରଣ ସଂପାଦକ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଏହାର ସଂଗଠନରେ ଆଜି ପରିବର୍ତ୍ତନ ଆଣିଛି। ଦଳର ରାଜ୍ୟସଭା ସାଂସଦ ଅହମ୍ମଦ ପଟେଲ୍‌ଙ୍କୁ ଏଆଇସିସି କୋଷାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ୯୦ ବର୍ଷୀୟ ମୋତିଲାଲ୍‌ ଭୋରାଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି ମିଳିଛି। ଭୋରାଙ୍କୁ ସାଧାରଣ ସଂପାଦକ (ପ୍ରଶାସନ) ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମାଙ୍କୁ କଂଗ୍ରେସର ବିଦେଶ ବ୍ୟାପାର ବିଭାଗ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଏହି ଦାୟିତ୍ୱରେ କରନ ସିଂହ ଥିଲେ। କଂଗ୍ରେସ ପକ୍ଷରୁ ଏ ନେଇ ପ୍ରକାଶିତ ଏକ ବିବୃତିରେ କୁହାଯାଇଛି ଯେ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ କଂଗ୍ରେସର ଦାୟିତ୍ୱ ସମ୍ଭାଳିବା ନିମନ୍ତେ ଲୁଇଜିନୋ ସଲେରିଓଙ୍କୁ ସି ପି ଯୋଶୀଙ୍କ ସ୍ଥାନରେ ନିଯୁକ୍ତ କରାଯାଇଛି। ଆସାମକୁ ଛାଡ଼ି ଅନ୍ୟ ସବୁ ଉତ୍ତରପୂର୍ବ ରାଜ୍ୟରେ ସେ ଦାୟିତ୍ୱ ନିର୍ବାହ କରିବେ। କଂଗ୍ରେସର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସିଡବ୍ଲ୍ୟୁସିରେ ପୂର୍ବତନ ବାଚସ୍ପତି ମୀରା କୁମାରଙ୍କୁ ଜଣେ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ଉଲ୍ଲେଖଯୋଗ୍ୟ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଦ୍ୱାରା ନୂଆ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ଗଠନ ହେବାର ପ୍ରାୟ ମାସେ ପରେ କଂଗ୍ରେସରେ ଏଭଳି ବଡ଼ଧରଣର ସାଂଗଠନିକ ପରିବର୍ତ୍ତନ ଅଣାଯାଇଛି।

ସମ୍ବନ୍ଧିତ ଖବର