ଲଖିସରାଇ/ପାଟନା: ବିହାରରେ ନିର୍ବାଚନ ଋତୁ ଆସିବା ମାତ୍ରେ ବିଜେପିର ୱାସିଂ ମେସିନ୍ ସକ୍ରିୟ ହୋଇଯାଇଛି। ଅପରାଧ ଜଗତର ଅନେକ ବ୍ୟକ୍ତି ବିଜେପିର ୱାସିଂ ମେସିନ୍‌ରେ ଧୋଇ ହେବାକୁ ପ୍ରସ୍ତୁତ ହେବାରେ ଳାଗିଛନ୍ତି । କିଛି ଦଳରେ ଯୋଗ ଦେଇଛନ୍ତି। କେତେକ ଦଳରେ ଯୋଗ ଦେବାକୁ ଚେଷ୍ଟା କରୁଛନ୍ତି। ଆସନ୍ତୁ ଜାଣିବା ଏପରି ପ୍ରସିଦ୍ଧ ଅପରାଧୀ କିଏ ଯେଉଁମାନେ ବିଜେପିର ୱାସିଂ ମେସିନ୍ ରେ ଧୋଇ ହୋଇଛନ୍ତି କିମ୍ବା ଧୋଇବାକୁ ପ୍ରସ୍ତୁତ ଅଛନ୍ତି।

Advertisment

ସମ୍ପ୍ରତି, ଯେଉଁ ବ୍ୟକ୍ତିଙ୍କୁ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲ୍ଲନ ସିଂହ ପରୋକ୍ଷରେ ଲଖିସରାଇର ଆତଙ୍କ ବୋଲି କହିଥିଲେ, ସେ ବିଜେପିରେ ଯୋଗଦେବାକୁ ପ୍ରସ୍ତୁତ ହେଉଛନ୍ତି। ସେ ହେଉଛନ୍ତି ଲଖିସରାଇର ବର୍ତ୍ତମାନର ଆରଜେଡି ବିଧାୟକ ପ୍ରହଲ୍ଲାଦ ଯାଦବ। ପ୍ରହଲ୍ଲାଦ ଯାଦବ ଫ୍ଲୋର ଟେଷ୍ଟ ସମୟରେ ଆରଜେଡି ଛାଡି ଏନଡିଏ ସରକାରଙ୍କୁ ସମର୍ଥନ କରିଥିଲେ।

ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ତାଙ୍କୁ ଆଣିବାକୁ ଚେଷ୍ଟା କରିଥିଲେ। ରାଜନୈତିକ ମହଲରେ ଆଲୋଚନା ହେଉଛି ଯେ, ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ପ୍ରହଲ୍ଲାଦ ଯାଦବଙ୍କୁ ବିଜେପିରେ ସାମିଲ କରିବାକୁ ଏବଂ ସୂର୍ଯ୍ୟଗଡ଼ା ବିଧାନସଭାରୁ ଟିକେଟ୍ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଲଖିସରାଇରେ ଲଲ୍ଲନ ସିଂହ ଏବଂ ବିଜୟ କୁମାର ସିହ୍ନାଙ୍କ ମଧ୍ୟରେ ବିବାଦ ମଧ୍ୟରେ ପ୍ରହଲ୍ଲାଦ ଯାଦବ ଫସି ରହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୟା ଗସ୍ତ ସମୟରେ ଦୁଇଜଣ ଆରଜେଡି ବିଧାୟକଙ୍କୁ ତାଙ୍କ ମଞ୍ଚ ଉପରେ ଠିଆ କରାଇ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଏକ ବଡ଼ ଝଟକା ଦେଇଥିଲେ। ଗୟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଞ୍ଚରେ ଦୁଇଜଣ ଆରଜେଡି ବିଧାୟକଙ୍କୁ ଦେଖିବାକୁ ମିଳିଥିଲା। ସେମାନେ ଥିଲେ ନୱାଡାର ଆରଜେଡି ବିଧାୟକ ବିଭା ଦେବୀ ଏବଂ ରାଜୌଲି ବିଧାୟକ ପ୍ରକାଶ ବୀର। 

ଆରଜେଡି ବିଧାୟକ ବିଭା ଦେବୀ ବାହୁବଳୀ ରାଜବଲ୍ଲଭ ଯାଦବଙ୍କ ପତ୍ନୀ। ରାଜବଲ୍ଲଭ ଯାଦବଙ୍କୁ ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତେବେ ସେ ନିକଟରେ ହାଇକୋର୍ଟଙ୍କ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ବିଭା ଦେବୀ ଖୁବ୍ ଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି ଯେ, ଜେଲରୁ ବାହାରିବା ପରେ, ରାଜବଲ୍ଲଭ ଯାଦବ ନିଜ ପାଇଁ ଏକ ସୁରକ୍ଷିତ ରାଜନୈତିକ ପଥ ତିଆରି କରିବାକୁ ଚେଷ୍ଟା କରୁଛନ୍ତି।

ଉପନିର୍ବାଚନ ସମୟରେ, ଅଗଷ୍ଟ ୨୦୨୪ରେ, ବିହାରର ବାହୁବଳୀ ପୂର୍ବତନ ବିଧାୟକ ସୁନୀଲ ପାଣ୍ଡେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ତାଙ୍କୁ ବିଜେପି ରାଜ୍ୟ ସଭାପତି ଦିଲୀପ ଜୟସୱାଲ ଦଳୀୟ ସଦସ୍ୟତା ପ୍ରଦାନ କରିଥିଲେ।

ତାଙ୍କ ସହିତ ସୁନୀଲ ପାଣ୍ଡେଙ୍କ ପୁଅ ସନ୍ଦୀପ ପାଣ୍ଡେ ମଧ୍ୟ ଦଳୀୟ ସଦସ୍ୟତା ଗ୍ରହଣ କରିଥିଲେ। ସୁନୀଲ ପାଣ୍ଡେଙ୍କ ବିଜେପି ସଦସ୍ୟତାର ମୁଖ୍ୟ କାରଣ ଥିଲା ତରାରୀ ବିଧାନସଭା ପାଇଁ ପ୍ରାର୍ଥୀ ପାଇବା। ସୁନୀଲ ପାଣ୍ଡେ ତାଙ୍କ ପୁଅ ସନ୍ଦୀପ ପାଣ୍ଡେଙ୍କୁ ପ୍ରାର୍ଥୀ କରିଥିଲେ ଏବଂ ବିଜୟୀ ହୋଇ ବିଜେପି ବିଧାୟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରିଥିଲେ।

BJP | Bihar