‘ୟୁଏନ୍‌ଏଚ୍‌ଆର୍‌ସି’ରେ ଗୁରୁତ୍ୱପୂର୍ଣ୍ଣ ଭୋଟ୍‌ ପୂର୍ବରୁ ଭାରତର ସମର୍ଥନ ଲୋଡ଼ି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍‌ କଲେ ଶ୍ରୀଲଙ୍କାର ରାଷ୍ଟ୍ରପତି

ନୂଆଦିଲ୍ଲୀ: ‘ଜାତିସଂଘ ମାନବ ଅଧିକାର ପରିଷଦ୍‌’ରେ (ୟୁଏନ୍‌ଏଚ୍‌ଆର୍‌ସି) ଏକ ଗୁରୁତ୍ୱପୂର୍ଣ୍ଣ ଭୋଟ୍‌ ହେବା ଆଗରୁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍‌ କରି ଭାରତର ସମର୍ଥନ ଲୋଡ଼ିଛି। ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବାୟ ରାଜପକ୍ଷେଙ୍କ ମଧ୍ୟରେ ଟେଲିଫୋନ୍‌ ମାଧ୍ୟମରେ ହୋଇଥିବା କଥାବାର୍ତ୍ତାରେ ଏହାଥିଲା ଅନ୍ୟତମ ମୁଖ୍ୟ ପ୍ରସଙ୍ଗ।

‘ଲିବରେସନ୍‌ ଟାଇଗର୍ସ ଅଫ୍‌ ତାମିଲ୍‌ ଇଲାମ୍‌’ (ଏଲ୍‌ଟିଟିଇ) ସହ ଗୃହ ଯୁଦ୍ଧ ବେଳେ ମାନବ ଅଧିକାର ଉଲ୍ଲଂଘନ କରିଛି ବୋଲି ଶ୍ରୀଲଙ୍କା ‘ଜାତିସଂଘ ମାନବ ଅଧିକାର ପରିଷଦ୍‌’ରେ ସମାଲୋଚିତ ହୋଇଛି। ସମ୍ପ୍ରତି ଚାଲିଥିବା ‘ୟୁଏନ୍‌ଏଚ୍‌ଆର୍‌ସି’ର ୪୬ତମ ଅଧିବେଶନ ମାର୍ଚ ୨୩ ପର୍ଯ୍ୟନ୍ତ ଚାଲିବ। ଏଥିରେ ଅନେକ ଥର ଶ୍ରୀଲଙ୍କା ସମ୍ବନ୍ଧୀୟ ପ୍ରସଙ୍ଗ ଉତ୍ଥାପିତ ହୋଇଛି।

Image Courtesy of DNA

‘ମାନବ ଅଧିକାର ପରିଷଦ୍‌’ରେ ମାର୍ଚ ୨୨ ଓ ୨୩ ତାରିଖ ଦିନ ଶ୍ରୀଲଙ୍କା ବିରୋଧରେ ଏକ ଭୋଟ୍‌ ପ୍ରସ୍ତାବନା ଆଗତ କରାଯିବ।

ଗତକାଲି ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ୍‌ ଆଳାପରେ କୋଭିଡ୍‌-୧୯ ସଙ୍କଟ କଥା ମଧ୍ୟ ପଡ଼ିଥିଲା।

ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଉଲ୍ଲେଖ ଅଛି, ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ମଞ୍ଚରେ ଉଭୟ ଦେଶ ମଧ୍ୟରେ ଚାଲିଥିବା ପ୍ରାସଙ୍ଗିକ ଅଗ୍ରଗତି ଏବଂ ସହଯୋଗ ବିଷୟରେ ନେତାମାନେ ସମୀକ୍ଷା କରିଥିଲେ। ବିଭାଗୀୟ ଅଧିକାରୀଙ୍କ ଜରିଆରେ ନିୟମିତ ଯୋଗସୂତ୍ର ବଜାୟ ରଖିବା ଲାଗି ଉଭୟ ପକ୍ଷ ସମ୍ମତ ହୋଇଛନ୍ତି। ଏଥିରେ କୋଭିଡ୍‌-୧୯ ମୁକାବିଲା ସଂକ୍ରାନ୍ତ ଚାଲେଞ୍ଜ୍‌ ପ୍ରସଙ୍ଗ ମଧ୍ୟ ରହିଛି।

ସମ୍ବନ୍ଧିତ ଖବର