ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିର୍ବାଚନ କମିସନ୍ ନିର୍ବାଚନ ଶୀଘ୍ର ତାରିଖ ଘୋଷଣା କରିବେ। ଏହା ପରେ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବ। ତେଣୁ ଏହା ପୂର୍ବରୁ ଆଶାୟୀ ପ୍ରାର୍ଥୀମାନେ ରାଜ୍ୟରେ ଭୋଟରମାନଙ୍କ ପାଇଁ ଟଙ୍କା ଏବଂ ଉପହାର ବର୍ଷା କରୁଛନ୍ତି। ଆକଳନ କରାଯାଉଛି ଯେ ରାଜନେତାମାନେ ପ୍ରତି ନିର୍ବାଚନ ମଣ୍ଡଳୀରେ ୫ରୁ ୩୦ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି। ଲୋକ ମଦ, ଶାଢ଼ି, ପ୍ରେସର କୁକର ଏବଂ ଟିଭି ସେଟ୍ ନେଇ ଖୁସି ହେଉଛନ୍ତି। କିନ୍ତୁ କିଛି ପ୍ରାର୍ଥୀ ଚଳିତ ଥର ଭୋଟରଙ୍କ ଜୀବନ ବୀମା ପ୍ରିମିୟମ୍ ଭରିଥିବା ଜଣାପଡ଼ିଛି। ହୁବୁଳି ଧରୱାଡ଼ରେ କଂଗ୍ରେସ ଟିକେଟ ପାଇଁ ଆଶାୟୀ ଥିବା ନାଗରାଜ ଗୌରୀ ଏକ ସ୍ଥାନୀୟ କୋଚିଂ ସେଣ୍ଟରରେ ଆଇଏଏସ୍, କେଏଏସ୍, ପିଏସ୍ଆଇ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଗ୍ରାଜୁଏଟ୍ଙ୍କୁ ମାଗଣା କୋଚିଂ ଦେଉଛନ୍ତି। ଆର୍ଥିକ ଦୁର୍ବଳ ଶ୍ରେଣୀର ମହିଳାଙ୍କ ପାଇଁ ସେ ମାଗଣା ସିଲେଇ ତାଲିମ ବ୍ୟବସ୍ଥା କରିଛନ୍ତି। ଗୌରୀ କହିଛନ୍ତି, ୨ ବ୍ୟାଚ୍ ପିଲାଙ୍କ କୋଚିଂ ଶେଷ ହୋଇଛି। ତୃତୀୟ ବ୍ୟାଚ୍ ପିଲା ଏବେ କୋଚିଂ ନେଉଛନ୍ତି। ୨୦୦୦ ମହିଳା ସିଲେଇ ତାଲିମ ନେଇଛନ୍ତି। କଂଗ୍ରେସର ଅନ୍ୟ ଜଣେ ପ୍ରାର୍ଥୀ ଦୀପକ ଚିଞ୍ଚୋର କହିଛନ୍ତି, ସେ ମହିଳାଙ୍କ ପାଇଁ ଆତ୍ମ ନିଯୁକ୍ତି ତାଲିମ ଦେଉଛନ୍ତି। କିଛି ପ୍ରାର୍ଥୀ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୋଟ୍ବୁକ୍ ବାଣ୍ଟୁଛନ୍ତି। ଡିନର ସେଟ୍, ପ୍ରେସର କୁକର, ଡିଜିଟାଲ ଘଣ୍ଟା, ସୁନା ମୁଦି, ଶାଢ଼ି , ଏଲ୍ଇଡି ଟିଭି ସେଟ୍ ବାଣ୍ଟିବା ଅତି ସାଧାରଣ ହୋଇଗଲାଣି। କିଛି ପ୍ରାର୍ଥୀ ଧାର୍ମିକ ସ୍ଥଳରେ ଭୋଜନର ବ୍ୟବସ୍ଥା କରୁଛନ୍ତି। ଜଣେ ପୂର୍ବତନ ମନ୍ତ୍ରୀ କହିଛନ୍ତି, ପୂର୍ବରୁ ଭୋଟରମାନେ ଟଙ୍କା ନେବାକୁ ମନା କରୁଥିଲେ। କିନ୍ତୁ ଏବେ ଟଙ୍କା ନନେଲେ ଭୋଟ୍ ଦେଉନାହାନ୍ତି। ୨୦୦୮ ବିଧାନସଭା ନିର୍ବାଚନ ପରେ ଏହି ଟ୍ରେଣ୍ଡ୍ ବଦଳିଛି ବୋଲି କୁହାଯାଉଛି।
ନୂଆଦିଲ୍ଲୀ: ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା କାର୍ଯ୍ୟକାଳ ଆସନ୍ତା ମେ’ ୨୪ରେ ଶେଷ ହେଉଛି। ଏହା ପୂର୍ବରୁ ନିର୍ବାଚନ କମିସନ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର, ନିର୍ବାଚନ କମିସନର ଅନୁପ ଚନ୍ଦ୍ର ପାଣ୍ଡେ ଏବଂ ଅରୁଣ ଗୋଏଲ ଗତ ଗୁରୁବାରଠାରୁ ୩ ଦିନିଆ କର୍ଣ୍ଣାଟକ ଗସ୍ତରେ ରହି ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। କର୍ଣ୍ଣାଟକରେ ମୋଟ୍ ୫.୨୧ କୋଟି ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ ୨.୫୯ କୋଟି ମହିଳା। ୧୬,୯୭୬ ଜଣ ଶତାୟୁ ଭୋଟର ଅଛନ୍ତି ଏବଂ ୧.୧୭ ଲକ୍ଷ ଲୋକ ପ୍ରଥମ ଥର ପାଇଁ ଭୋଟ୍ ଦେବେ। ୧୨.୧୫ ଲକ୍ଷ ଭୋଟରଙ୍କ ବୟସ ୮୦ରୁ ଅଧିକ ଏବଂ ୫.୫୫ ଲକ୍ଷ ଭୋଟର ଭିନ୍ନକ୍ଷମ। ପ୍ରଥମ ଥର ପାଇଁ ରାଜ୍ୟରେ ବୟସ୍କ ଲୋକଙ୍କ ପାଇଁ ଏକ ନୂଆ ସୁବିଧା କରାଯାଇଛି। ରାଜ୍ୟରେ ୮୦ ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକଙ୍କୁ ଆଉ ଭୋଟିଂ ବୁଥ୍ ଯିବାକୁ ପଡ଼ିବନି। ସେମାନେ ଘରେ ରହି ଭୋଟ୍ ଦେଇପାରିବେ। ଭୋଟିଂ ପ୍ରକ୍ରିୟାରେ ଗୋପନୀୟତା ରକ୍ଷା କରାଯିବ ଏବଂ ସମଗ୍ର ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିନସର ରାଜୀବ କୁମାର କହିଛନ୍ତି। ଭିନ୍ନକ୍ଷମ ମାନଙ୍କ ପାଇଁ ଏକ ମୋବାଇଲ ଆପ୍ ‘ସକ୍ଷମ’ ଆରମ୍ଭ କରାଯାଇଛି। ଏହି ଆପ୍ ଦ୍ବାରା ସେମାନେ ଲଗ୍ ଇନ୍ କରି ଭୋଟ୍ ଦେଇପାରିବେ ବୋଲି ସିଇସି କହିଛନ୍ତି।