ସ୍ବାଧୀନତା ଦିବସ ଆଗରୁ ‘ଲଶ୍କର’ ଓ ‘ଜେଇଏମ୍‌’ ଆକ୍ରମଣ ଆଶଙ୍କା ବିଷୟରେ ଦିଲ୍ଲୀ ପୁଲିସକୁ ସତର୍କ କଲା ଇଣ୍ଟେଲିଜେନ୍‌ସ୍‌ ବ୍ୟୁରୋ

ନୂଆଦିଲ୍ଲୀ: ଅଗଷ୍ଟ ୧୫ ସ୍ବାଧୀନତା ଦିବସ ପୂର୍ବରୁ ‘ଲଶ୍କର୍‌-ଏ-ତୈବା’ (ଏଲ୍‌ଇଟି), ‘ଜୈଶ୍‌-ଏ-ମହମ୍ମଦ୍‌’ (ଜେଇଏମ୍‌) ଏବଂ ଅନ୍ୟାନ୍ୟ ଉଗ୍ରବାଦୀ ସଙ୍ଗଠନମାନର ଆକ୍ରମଣ ଆଶଙ୍କା ଅଛି ବୋଲି ‘ଇଣ୍ଟେଲିଜେନ୍‌ସ୍‌ ବ୍ୟୁରୋ’ (ଆଇବି) ଦିଲ୍ଲୀ ପୁଲିସକୁ ସତର୍କ କରାଇ ଦେଇଛି।

‘ଇଣ୍ଟେଲିଜେନ୍‌ସ୍‌ ବ୍ୟୁରୋ’ର ୧୦ ପୃଷ୍ଠାସମ୍ବଳିତ ରିପୋର୍ଟରେ ଉଲ୍ଲେଖ ଅଛି ଯେ, ‘ଏଲ୍‌ଇଟି’, ‌‘ଜେଇଏମ୍‌’ ଏବଂ ଅନ୍ୟାନ୍ୟ ଉଗ୍ରଦାବୀ ସଙ୍ଗଠନ ତରଫରୁ ବିପଦ ରହିଛି।

ତେଣୁ, ଅଗଷ୍ଟ ୧୫ ସ୍ବାଧୀନତା ଦିବସ ପୂର୍ବରୁ ଲାଲ୍‌ କିଲା ମଧ୍ୟକୁ ପ୍ରବେଶ ନିୟମ କଠୋର କରିବା ଲାଗି ଦିଲ୍ଲୀ ପୁଲିସକୁ ‘ଆଇବି’ ନିର୍ଦେଶ ଦେଇଛି। ଏଥିସହ, ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ଆକ୍ରମଣ ଏବଂ ଉଦୟପୁର ଏବଂ ଅମରାବତୀ ଘଟଣା ଭଳି କେତେକ ଘଟଣା ମଧ୍ୟ ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ସେଥିପାଇ ଜନଗହଳି ସ୍ଥାନଗୁଡ଼ିକରେ ଉଗ୍ରବାଦୀ ସଙ୍ଗଠନ ଓ ସେମାନଙ୍କର କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବାକୁ ‘ଆଇବି’ ଦିଲ୍ଲୀ ପୁଲିସକୁ ନିର୍ଦେଶ ଦେଇଛି।

Image Courtesy of India.com

ପାକିସ୍ତାନର ‘ଜୈଶ୍‌’ ଓ ‘ଲଶ୍କର୍‌’ ଆତଙ୍କବାଦୀମାନଙ୍କୁ ଅର୍ଥ ଓ ଅନ୍ୟାନ୍ୟ ଆବଶ୍ୟକତା ଯୋଗାଇ ଦେଇ ପାକିସ୍ତାନର ‘ଆଇଏସ୍‌ଆଇ’ ଆତଙ୍କବାଦୀ ଆକ୍ରମଣକୁ ପ୍ରୋତ୍ସାହନ ଦେଉଛି। ବଡ଼ ବଡ଼ ନେତା ଓ ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡ଼ିକରେ ଆକ୍ରମଣ କରିବା ଲାଗି ‘ଜେଇଏମ୍‌’ ଓ ‘ଏଲ୍‌ଇଟି’କୁ ନିର୍ଦେଶ ଦିଆଯାଉଛି।

ଆଗକୁ ସ୍ବାଧୀନତା ଦିବସ ଆସୁଥିବା ବେଳେ ଉଗ୍ରବାଦୀ ସଙ୍ଗଠନଗୁଡ଼ିକ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ଲାଗି ଏହି ରିପୋର୍ଟରେ ‘ଆଇବି’ ଦିଲ୍ଲୀ ପୁଲିସ ଓ ଅନ୍ୟାନ୍ୟ ରାଜ୍ୟମାନଙ୍କୁ ନିର୍ଦେଶ ଦେଇଛି। ଜମ୍ମୁ ଓ କଶ୍ମୀରରେ ମଧ୍ୟ ଆଫଗାନ ଆତଙ୍କବାଦୀମାନଙ୍କୁ ଅନ୍ତର୍ଭୁକ୍ତ କରି ‘ଆଇଏସ୍‌ଆଇ’ ଗଠନ କରିଥିବା ‘ଲଶ୍କର୍‌-ଏ-ଖାଲ୍‌ସା’ ନାମରେ ଆତଙ୍କବାଦୀ ସଙ୍ଗଠନ ଭୟାବହ ଆକ୍ରମଣ କରିପାରେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

ସମ୍ବନ୍ଧିତ ଖବର