ଭାରତର କ୍ଷେପଣାସ୍ତ୍ର ପରୀକ୍ଷଣରେ ଚୀନ ଚିନ୍ତିତ ? ନିରୀକ୍ଷଣ ପାଇଁ ଭାରତ ମହାସାଗରକୁ ପଠାଇଲା ଗୁପ୍ତଚର ଜାହାଜ

ନୂଆଦିଲ୍ଲୀ: ଭାରତ ଦ୍ୱାରା ହେବାକୁ ଥିବା ଯୋଜନାବଦ୍ଧ କ୍ଷେପଣାସ୍ତ୍ର ପରୀକ୍ଷଣର କିଛି ଦିନ ପୂର୍ବରୁ ଚୀନ୍‌ ଭାରତ ମହାସାଗରର ଜଳସୀମାକୁ ନିଜର ଆଉ ଏକ ଗୁପ୍ତଚର ଜାହାଜ ପଠାଇଛି। ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦରରେ ଚୀନ୍‌ ସମାନ ଧରଣର ଅନ୍ୟ ଏକ ଗୁପ୍ତଚର ଜାହାଜକୁ ଭାରତର କ୍ଷେପଣାସ୍ତ୍ର ପରୀକ୍ଷା ସାଟେଲାଇଟ (ଉପଗ୍ରହ)ର ଗତିବିଧି ଉପରେ ନଜର ରଖିବା ପାଇଁ ଗତ ତିନି ମାସ ତଳୁ ଲଙ୍ଗର ପକାଇ ରଖିଛି।

ଏହି କ୍ରମରେ ଏବେ ଚୀନ୍‌ର ଅନ୍ୟ ଏକ ଗୁପ୍ତଚର ଜାହାଜ ୟୁଆନ୍‌ ୱାଙ୍ଗ୍‌ ଷଷ୍ଠ ବର୍ତ୍ତମାନ ଭାରତ ମହାସାଗରରେ ପ୍ରବେଶ କରିଛି ଏବଂ ଜାହାଜର ଗତିବିଧିକୁ ଟ୍ରାକ୍‌ କରୁଥିବା ସୂଚନା ମିଳିଛି।  ଏକ ଅନଲାଇନ୍‌  ମେରାଇନ୍‌ ଟ୍ରାଫିକ୍‌ ସେବା ଦ୍ୱାରା ପ୍ରଦତ୍ତ ସୂଚନା ଅନୁଯାୟୀ ଏହି ଜାହାଜଟି ଏବେ ବାଲି ଉପକୂଳରେ ଯାତ୍ରା କରୁଛି। ଚୀନ୍‌ ନୌସେନାର ଗୁପ୍ତଚର ଜାହାଜ ୟୁଆନ୍‌ ୱାଙ୍ଗ୍‌ ଏପରି ଏକ ସମୟରେ ଭାରତ ମହାସାଗର ମଧ୍ୟକୁ ପ୍ରବେଶ କରିଛି, ଯେତେବେଳେ ଭାରତ ଏକ ନିର୍ଦ୍ଦିଷ୍ଟ ତାରିଖ ଏବଂ ସମୟରେ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ଘୋଷଣା କରି ଏକ ‘ନୋଟାମ୍‌’ ବା ନୋଟିସ୍‌ ଜାରି କରିଛି।

ଇଣ୍ଟେଲିଜେନ୍‌ସ ବିଶେଷଜ୍ଞ ଡାମିଏନ୍‌ ସିମୋନ୍‌ଙ୍କ କହିବା ଅନୁଯାୟୀ, ଭାରତର ଏହି ଯୋଜନାବଦ୍ଧ ପରୀକ୍ଷଣ ଆସନ୍ତା ନଭେମ୍ବର ୧୦-୧୧ ମଧ୍ୟରେ ଓଡ଼ିଶା ଉପକୂଳର ଅବଦୁଲ କଲାମ ଦ୍ୱୀପରୁ କରାଯାଇପାରେ। ଭାରତ ପକ୍ଷରୁ ଯେଉଁ କ୍ଷେପଣାସ୍ତ୍ରର ପରୀକ୍ଷଣ ହେବାକୁ ଅଛି, ତାହା ୨,୨୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଗତି କରିପାରେ। ତଦନୁଯାୟୀ, ଶ୍ରୀଲଙ୍କାରୁ ପଶ୍ଚିମ ଏବଂ ଇଣ୍ଡୋନେସିଆରୁ ପୂର୍ବ ମଧ୍ୟରେ ଥିବା ଏକ ଅଞ୍ଚଳକୁ ଏକ ନିଷିଦ୍ଧ ଅଞ୍ଚଳ ଭାବରେ ଅବରୋଧ କରାଯାଇଛି ଯାହା ଉପରେ କ୍ଷେପଣାସ୍ତ୍ର ପରୀକ୍ଷଣ କାର୍ଯ୍ୟ ହେବ ବୋଲି ଆଶା କରାଯାଉଛି।

ବର୍ତ୍ତମାନ, ଚୀନ୍‌ ନୌସେନାର ଗୁପ୍ତଚର ଜାହାଜ ୟୁଆନ୍‌ ୱାଙ୍ଗ୍‌ ଭାରତ ମହାସାଗର ମଧ୍ୟକୁ ପ୍ରବେଶ କରିବା ପରେ ଭାରତର ଚିନ୍ତା ହେଉଛି ଯେ ଚୀନ୍‌ କ୍ଷେପଣାସ୍ତ୍ର ପରୀକ୍ଷଣର ଗତିପଥ, ଗତି, ପରିସର ଏବଂ ଏହାର ସାମର୍ଥ୍ୟ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଯିବା ସହ ପରୀକ୍ଷଣ ହେବାକୁ ଥିବା କ୍ଷେପଣାସ୍ତ୍ରକୁ ଟ୍ରାକ୍‌ କରିବାକୁ ଚେଷ୍ଟା କରିପାରେ। ପୂର୍ବରୁ, ଭାରତ ବାରମ୍ବାର ହ୍ଵିିଲର୍‌ ଦ୍ୱୀପରୁ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ପରୀକ୍ଷଣ କରୁଥିଲା, ଯାହାକି ଏକ କ୍ଷେପଣାସ୍ତ୍ର ପରୀକ୍ଷଣ ପରିସର।

ସମ୍ବନ୍ଧିତ ଖବର