ଆଗକୁ ରାଜ୍ୟସଭା ନିର୍ବାଚନ ଥିବା ବେଳେ ବିଧାୟକମାନଙ୍କୁ ହୋଟେଲ୍‌କୁ ପଠାଇଲା କର୍ଣ୍ଣାଟକ ‘ଜେଡି(ଏସ୍‌)’

ବେଙ୍ଗାଲୁରୁ: ଆଗକୁ ରାଜ୍ୟସଭା ନିର୍ବାଚନ ଥିବା ବେଳେ ବିଧାୟକମାନଙ୍କୁ ପ୍ରତିଦ୍ବନ୍ଦ୍ବୀ ଦଳମାନଙ୍କ ପ୍ରଭାବରୁ ଦୂରେଇ ରଖିବା ଲାଗି ‘ଜନତା ଦଳ (ସିକ୍ୟୁଲାର୍‌)’ର କର୍ଣ୍ଣାଟକର ଦଳେ ବିଧାୟକଙ୍କୁ ବେଙ୍ଗାଲୁରୁର ଏକ ହୋଟେଲ୍‌କୁ ସ୍ଥାନାନ୍ତର କରାଯାଇଛି।

ଦଳର ୩୨ଜଣ ବିଧାୟକଙ୍କ ମଧ୍ୟରୁ ୨୦ଜଣଙ୍କୁ ହୋଟେଲ୍‌କୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ ବାକି ୧୨ଜଣଙ୍କୁ ସେଠାକୁ ନେବା ପାଇଁ ଉଦ୍ୟମ ଚାଲିଛି।

କର୍ଣ୍ଣାଟକର ୪ଟି ରାଜ୍ୟସଭା ଆସନ ପାଇଁ ୬ଜଣ ପ୍ରାର୍ଥୀ ଠିଆ ହୋଇଥିବାରୁ ୪ର୍ଥ ଆସନଟି ପାଇଁ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଚାଲିଛି। ରାଜ୍ୟର ୪ଟି ଆସନକୁ ଅକ୍ତିଆର କରିବା ପାଇଁ ବିଜେପି ୩ଜଣ ପ୍ରାର୍ଥୀ, କଂଗ୍ରେସ ୨ଜଣ ପ୍ରାର୍ଥୀ ଏବଂ ଜନତା ଦଳ (ସିକ୍ୟୁଲାର୍‌) ଗୋଟିଏ ପ୍ରାର୍ଥୀ ଠିଆ କରାଇଛନ୍ତି।

ବିଜେପିକୁ ପରାସ୍ତ କରିବା ଲାଗି ଜନତାଦଳ (ସିକ୍ୟୁଲାର୍‌) ଏବଂ କଂଗ୍ରେସ ପଣ କରିଛନ୍ତି। କିନ୍ତୁ, ଉଭୟ ଦଳ ପ୍ରାର୍ଥୀ ଠିଆ କରାଇଥିବାରୁ କ‌ୌଣସି ବୁଝାମଣାରେ ଉପନୀତ ହୋଇନାହାନ୍ତି।

Image Courtesy of Firstpost

‘ଜେଡି(ଏସ୍‌)’ ନେତା ଏଚ୍‌ଡି କୁମାରସ୍ବାମୀ ଗତକାଲି କହିଥିଲେ, ଯଦି କଂଗ୍ରେସ ପ୍ରକୃତରେ ବିଜେପିକୁ ପରାସ୍ତ କରିବାକୁ ଚାହୁଁଥାଏ, ଆମେ ପରସ୍ପରକୁ ଦ୍ବିତୀୟ ପସନ୍ଦର ଭୋଟ୍‌ ଟ୍ରାନ୍‌ସ୍‌ଫର୍‌ କରିବା ପାଇଁ ପ୍ରସ୍ତାବ ଦେଇସାରିଛୁ। ମୁଁ ଆଉ କ’ଣ କରି ପାରିବି? ମୁଁ ମୁକ୍ତ ଭାବେ ଏହି ପ୍ରସ୍ତାବ ଦେଇଛି। କର୍ଣ୍ଣାଟକ ନିମନ୍ତେ ସବୁ କିଛି କରିବା ପାଇଁ ମୁଁ ପ୍ରସ୍ତୁତ।

ତାଙ୍କ ଦଳ ଦ୍ବିତୀୟ ପ୍ରାର୍ଥୀ ମନ୍‌ସୂର୍‌ ଅଲି ଖାଁଙ୍କୁ ଠିଆ କରାଇଛି ବୋଲି କହି କଂଗ୍ରେସ ନେତା ସିଦ୍ଧରମୈୟା ‘ଜେଡି(ଏସ୍‌)’କୁ ତାଙ୍କ ପ୍ରାର୍ଥୀ ପ୍ରତ୍ୟାହାର କରିନେବାକୁ କହିବା ସହ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବା ଲାଗି ତା’ର ବିଧାୟକମାନଙ୍କୁ କହିଛନ୍ତି।

ଏହି ନିର୍ବାଚନରେ ଜିଣିବା ପାଇଁ ଜଣେ ପ୍ରାର୍ଥୀ ୪୫ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ କରନ୍ତି। ବିଧାନସଭାରେ ୧୨୦ଜଣ ବିଧାୟକ ଥିବାରୁ ୨ଟି ଆସନରେ ବିଜେପି ଜିଣବ ବୋଲି ସୁନିଶ୍ଚିତ ‌ହୋଇଯାଇଛି। ୭୦ ଜଣ ବିଧାୟକ ଥାଇ ବିରୋଧୀ ଆସନରେ ବସିଥିବା କଂଗ୍ରେସ ଗୋଟିଏ ଆସନରୁ ବିଜୟ ହାସଲ କରିବ। କେବଳ ୪ର୍ଥ ଆସନଟି ପାଇଁ ଦଳମାନଙ୍କ ମଧ୍ୟରେ ତତ୍ପରତା ଦେଖାଦେଇଛି।

ସମ୍ବନ୍ଧିତ ଖବର