ରାଷ୍ଟ୍ରପତି ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଅହମ୍ମଦାବାଦର ପାନ ଦୋକାନ ସବୁକୁ କରାଗଲା ସିଲ୍‌!

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଦୁଇ ଦିନିଆ (୩୪ ଘଣ୍ଟିଆ) ଭାରତ ଗସ୍ତ କାଳରେ ସଢ଼େ ୩ ଘଣ୍ଟା ଗୁଜୁରାଟର ଅହମ୍ମଦାବାଦରେ ବିତାଇବେ। ରାଷ୍ଟ୍ରପତି ଟ୍ରମ୍ପଙ୍କ ଗସ୍ତସୂଚୀ ଅନୁଯାୟୀ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲେନିଆ ୨୪ ତାରିଖ, ସୋମବାର ମଧ୍ୟାହ୍ନ ୧୨ଟା ସମୟରେ ରାଷ୍ଟ୍ରପତିଙ୍କ ସରକାରୀ ବିମାନ ଏୟାର ଫୋର୍ସ ଓ୍ଵାନରେ ଆସି ଅହମ୍ମଦାବାଦ ବିମାନ ବନ୍ଦରରେ ଅବତରଣ କରିବେ।
ଏହାପରେ ଅହମ୍ମଦାବଦରେ ଦୀର୍ଘ ୨୨ କିମିର ଏକ ରୋଡ୍‌ ସୋ କରିବା ସହ ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେବେ।
ତେବେ, ରାଷ୍ଟ୍ରପତି ଟ୍ରମ୍ପଙ୍କର ଏହି ଗସ୍ତକୁ କେନ୍ଦ୍ରକରି ଗୁଜୁରାଟ ସରକାର ଓ ଅହମ୍ମଦାବାଦ ମହାନଗର ନିଗମ କର୍ତ୍ତୃପକ୍ଷ ଗ୍ରହଣ କରୁଥିବା ବିଭିନ୍ନ କାର୍ଯ୍ୟକ୍ରମ ଏବେ ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ରାଷ୍ଟ୍ରପତି ଟ୍ରମ୍ପଙ୍କର ଗସ୍ତ ପୂର୍ବରୁ ବିମାନ ବନ୍ଦର ନିକଟରେ ରହିଥିବା ସମସ୍ତ ପାନ ଦୋକାନକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। କାଳେ ପାନ ଖାଇ ଲୋକେ ଏେଇତେଣେ ପାନ ଛେପ ପକାଇ ଅପରିଷ୍କାର କରିବେ, ସେଥିପାଇଁ ଏପରି ପଦକ୍ଷେପ ନିଆଯାଇଛି।
ପୂର୍ବରୁ ବସ୍ତିି ଅଞ୍ଚଳକୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦୃଷ୍ଟି ଆଢ଼ୁଆଳରେ ରଖିବା ପାଇଁ ଗୁଜୁରାଟ ସରକାର ୪ କିଲୋମିଟର ଲମ୍ବର ଏକ କଂକ୍ରିଟ ପ୍ରାଚୀର ନିର୍ମାଣ କରିଥିଲେ। କାରଣ ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦୀ ଅହମ୍ମଦାବାଦରେ ରୋଡ ସୋ’ କରିବା କାଳରେ ଏହି ବସ୍ତି ଏକ ପ୍ରତିବନ୍ଧକ ରୂପେ ଉଭା ହୋଇଥିଲା। ଏହାପରେ ପରେ ବି ଅହମ୍ମଦାବାଦ ନିଗମ କର୍ତ୍ତୃପକ୍ଷ ୪୫ ଜଣ ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ନୋଟିସ ଜାରି କରିବା ଘଟଣାକୁ କେନ୍ଦ୍ରକରି ଉତ୍ତେଜନା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର