ନୂଆଦିଲ୍ଲୀ: ପୁଣ୍ୟଶ୍ଲୋକ ରାଜମାତା ଅହିଲ୍ୟାବାଇ ହୋଲକରଙ୍କ ୩୦୦ତମ ଜନ୍ମବାର୍ଷିକୀ ଅବସରରେ ନ୍ୟୁ ଅପର୍ଚ୍ୟୁନିଟି ଫର୍ ଚିଲ୍ଡ୍ରେନ (NOC) ଫାଉଣ୍ଡେସନ ଓ ରୁଟ୍ସ ଅଫ୍ ଓଡ଼ିଶା ଫାଉଣ୍ଡେସନ ଓ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସହଯୋଗରେ ଏକ ଭବ୍ୟ ସ୍ମରଣ ସଭା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ, ସାମାଜିକ କର୍ମୀ, ଓ ସମାଜର ଗଣମାନ୍ୟ ଲୋକ ଯୋଗଦେଇ ରାଜମାତା ଅହିଲ୍ୟାବାଇଙ୍କୁ ଶ୍ରଦ୍ଧାସୁମନ ଜଣାଇଥିଲେ।
ଏହି ଅବସରରେ ରାଜମାତା ଅହିଲ୍ୟାବାଇ ହୋଲକରଙ୍କ ଜୀବନବ୍ୟାପି ସାଧନା ସମ୍ପର୍କିତ ଆଲୋଚନା ହୋଇଥିଲା | ୧୭୨୫ ମସିହାରେ ମହାରାଷ୍ଟ୍ରର ଚୌଣ୍ଡୀ ଗ୍ରାମରେ ଜନ୍ମ ନେଇଥିବା ଅହିଲ୍ୟାବାଇ ଅନେକ ସାମାଜିକ ବାଧାକୁ ଜୟ କରି ମାଲୱାର ଶାସକ ହୋଇଥିଲେ। ତାଙ୍କ ଶାସନକାଳରେ ଦୁର୍ବଳ ବର୍ଗଙ୍କୁ ସହାୟତା, ନାରୀ ସଶକ୍ତିକରଣ ଓ ଦ୍ରୁତ ନ୍ୟାୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। କାଶୀ ବିଶ୍ୱନାଥ ଓ ସୋମନାଥ ପରି ପବିତ୍ର ତୀର୍ଥସ୍ଥଳର ପୁନଃନିର୍ମାଣରେ ତାଙ୍କ ଅମୂଲ୍ୟ ଅବଦାନ ମଧ୍ୟ ସ୍ମରଣ କରାଯାଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଅହିଲ୍ୟାବାଇ ହୋଲକର ଲୋକମାତା ପୁରସ୍କାର ସମାରୋହ ଥିଲା। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଥିବା ବ୍ୟକ୍ତିମାନେ ଏହି ପୁରସ୍କାରରେ ସମ୍ମାନିତ ହୋଇଥିଲେ |
କାର୍ଯ୍ୟକ୍ରମ ସମାପ୍ତିରେ ରୁଟ୍ସ ଅଫ୍ ଓଡ଼ିଶା ଫାଉଣ୍ଡେସନର ପ୍ରମୁଖ, ସୁଧିର କୁମାର ଦାଶ କହିଥିଲେ ଯେ “ଅହିଲ୍ୟାବାଇ ହୋଲକର ଲୋକମାତା ପୁରସ୍କାର” ଯୁବପିଢ଼ୀଙ୍କୁ ସତ୍ୟ, ସେବା ଓ ନ୍ୟାୟର ପଥରେ ଆଗକୁ ନେବାର ଏକ ଉତ୍ତମ ମଞ୍ଚ। ସେ “ଆଇ ଆମ୍ ଅହିଲ୍ୟା” ଅଭିଯାନକୁ ମଧ୍ୟ ପ୍ରଶଂସା କରିଥିଲେ। ଏହି ସ୍ମରଣୀୟ କାର୍ଯ୍ୟକ୍ରମ ମାଧ୍ୟମରେ ଆୟୋଜକମାନେ ସ୍ପଷ୍ଟ କରିଥିଲେ ଯେ ରାଜମାତା ଅହିଲ୍ୟାବାଇ ହୋଲକରଙ୍କ ଆଦର୍ଶ ଆଜି ମଧ୍ୟ ଜୀବନ୍ତ ଅଛି ଏବଂ ଭବିଷ୍ୟତ ପିଢ଼ୀ ପାଇଁ ପଥପ୍ରଦର୍ଶକ ହୋଇ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/12/10/5c974660-da91-42f8-9fd6-a7cde359b6a0-2025-12-10-22-33-33.jpg)