ସହାୟତା ପାଇଁ ଅନୁରୋଧ କରୁଛନ୍ତି ନିହତ ତାଲିବାନ-ବିରୋଧୀ ସଂଗ୍ରାମୀଙ୍କ ପୁତ୍ର ଅହମଦ୍ ମାସୌଦ୍

ନୂଆଦିଲ୍ଲୀ: ସେ ବାପାଙ୍କ ପଦାଙ୍କ ଅନୁସରଣ କରିବେ ଏବଂ ତାଲିବାନଙ୍କ ନିକଟରେ ଆତ୍ମସମର୍ପଣ କରିବେ ନାହିଁ ବୋଲି କହିବା ସହ ନିହତ ତାଲିବାନ-ବିରୋଧୀ ସଂଗ୍ରାମୀଙ୍କ ପୁତ୍ର ତଥା ‘ନ୍ୟାସ୍‌ନାଲ୍‌ ରେଜିଷ୍ଟାନ୍ସ୍‌ ଫ୍ରଣ୍ଟ୍‌ ଅଫ୍‌ ଆଫଗାନିସ୍ତାନ’ର ନେତା ଅହମଦ୍ ମାସୌଦ୍ କହିଛନ୍ତି।

ଏହା ‌ବ୍ୟତିରେକେ, ସେ ଫ୍ରାନ୍ସ୍‌, ୟୁରୋପ୍, ଆମେରିକା ଏବଂ ଆରବ ଦେଶମାନଙ୍କୁ ଏ ସଂଗ୍ରାମରେ ତାଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି।

ଏ ସଂକ୍ରାନ୍ତରେ ଫରାସୀ ଦାର୍ଶନିକ ବର୍ଣ୍ଣାଡ୍‌-ହେନ୍‌ରି ଲେଭି କହିଛନ୍ତି, ଫୋନ୍ ଯୋଗ‌େ ମୁଁ ଏଇ ମାତ୍ର ଅହମଦ୍‌ ମାସୌଦ୍‌ଙ୍କ ସହ କଥାବାର୍ତ୍ତା କରିଛି। ସେ ମତେ କହିଲେ ଯେ, ମୁଁ ଅହମଦ୍ ଶାହା ମାସୌଦ୍‌ଙ୍କ ପୁତ୍ର; ଆତ୍ମସମର୍ପଣ ମୋ ପକ୍ଷେ ଗ୍ରହଣୀୟ ନୁହେଁ। ଇଏ ଆରମ୍ଭ ମାତ୍ର। ପ୍ରତିରୋଧ ଆରମ୍ଭ ହେଲା ଜାଣ।

Image Courtesy of News18

ପଞ୍ଜଶିରର ସିଂହ ଭାବେ ସୁପରିଚିତ ଅହମଦ୍ ଶାହ ମାସୌଦ୍‌ଙ୍କ ପୁତ୍ର ହେଉଛନ୍ତି ମାସୌଦ୍। ଏହି ଉପତ୍ୟକାରେ ତାଙ୍କ ଅକ୍ତିଆରରେ ଥିବା ସ୍ଥାନରୁ ସେ ତାଲିବାନମାନଙ୍କୁ ତୀବ୍ର ବିରୋଧ କରୁଥିଲେ। ଦୁର୍ଭାଗ୍ୟକୁ ୯/୧୧ ଅଘଟଣର ମାତ୍ର ଦୁଇ ଦିନ ପୂର୍ବରୁ ଅଲ୍‌କାଏଦାର ମୋରୋକୀୟ ଆତଙ୍କବାଦୀଙ୍କଦ୍ବାରା ସେ ନିହତ ହୋଇଥିଲେ। ୧୯୯୦ ଗୃହ ଯୁଦ୍ଧ ସମୟରେ ମଧ୍ୟ ପଞ୍ଜଶିର ଉପତ୍ୟକା ତାଲିବାନ୍‌ମାନଙ୍କଦ୍ବାରା ବିଜିତ ହୋଇ ନ ଥିଲା। ଏହାର ଏକ ଦଶନ୍ଧି ପୂର୍ବରୁ ସୋଭିଏତ୍‌ ଦେଶ ମଧ୍ୟ ଏହି ଉପତ୍ୟକା ଉପରେ ବିଜୟୀ ହୋଇ ପାରି ନ ଥିଲା।

ଅଗଷ୍ଟ ୧୬ ତାରିଖ ଦିନ ‘ଲେଭି’କୁ ଦେଇଥିବା ପତ୍ରରେ ମାସୌଦ୍ ଲେଖିଛନ୍ତି, ମୋ ପିତା କମାଣ୍ଡର୍‌ ମାସୌଦ୍ ଆମର ଜାତୀୟ ବୀର। ସେ ମୋତେ ଦାୟିତ୍ବଟିଏ ହସ୍ତାନ୍ତର କରିଛନ୍ତି। ସେ ଦାୟିତ୍ବ ହେଉଛି ଆଫଗାନର ସ୍ବାଧୀନତା ପାଇଁ ସଂଗ୍ରାମ। ସେ ସଂଗ୍ରାମ ଏକାନ୍ତ ଭାବେ ମୋର। ମୋର ସଶସ୍ତ୍ର ସହଚର ଏବଂ ମୁଁ ଆତ୍ମବଳି ଦେବାକୁ ପ୍ରସ୍ତୁତ। ଆମେ ମୁକ୍ତ ଆଫଗାନ ପାଇଁ ସଭିଙ୍କୁ ପଞ୍ଜଶିର ବାହିନୀରେ ଯୋଗ ଦେବା ପାଇଁ ଅନୁରୋଧ କରୁଛୁ। ଏହାକୁ ଅଗ୍ରାହ୍ୟ କରୁଥିବା ବ୍ୟକ୍ତିବିଶେଷ ହେଉଛନ୍ତି କ୍ରୀତଦାସ। ସମସ୍ତ ଧର୍ମ ଏବଂ ଜନଜାତିର ଆଫଗାନମାନଙ୍କୁ ମୁଁ କହୁଛି- ଆମ ସହ ମିଶି ସଂଗ୍ରାମ କରନ୍ତୁ।

ସମ୍ବନ୍ଧିତ ଖବର