ମଝି ଆକାଶରେ ଅଚଳ ହେଲା ଇଂଜିନ୍‌; ଜରୁରୀ ଅବତରଣ କଲା ଭିସ୍ତାରା ବିମାନ

ଅହମ୍ମଦାବାଦ୍‌: ଅହମ୍ମଦାବାଦ୍‌ରୁ ଦିଲ୍ଲୀ ଯାଉଥିବା ଭିସ୍ତାରା ଏୟାର ଲାଇନ୍ସର ୟୁକେ ୯୬୬ ବିମାନ ଉଡାଣ କରୁଥିବା ବେଳେ ମଝି ଆକାଶରେ ଇଂଜିନ୍‌ ଅଚଳ ହେବାରୁ ଜରୁରୀ ଅବତରଣ କରିଛି। ଏହି ବିମାନର ବାମ ପଟ ଇଂଜିନ୍‌ ସଠିକ୍‌ ଥିବାବେଳେ ଡ଼ାହାଣ ପଟ ଇଂଜିନ୍‌ ଅଚଳ ହୋଇଯାଇଥିଲା। ଫଳରେ ପାଇଲଟ ସଙ୍ଗେ ସଙ୍ଗେ ଏହାକୁ ଅବତରଣ କରାଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ ,ଶନିବାର ୮.୪୦ ମିନିଟ୍‌ରେ ଏହି ବିମାନଟି ଅହମ୍ମଦାବାଦ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ଅଳ୍ପ କିଛି ସମୟ ଉଡ଼ିବା ପରେ ପାଇଲଟ୍‌ ଏହାର ଡ଼ାହାଣ ଇଂଜିନ୍‌ ଅଚଳ ହେବା ଜାଣିପାରିଥିଲେ। ସେ ସଙ୍ଗେ ସଙ୍ଗେ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ସହ ଯୋଗାଯୋଗ କରି ବିମାନକୁ ଅହମ୍ମଦାବାଦ୍‌ ଫେରାଇ ଆଣିଥିଲେ।

ଏହାପରେ ଭିସ୍ତାରା ଏୟାର ଲାଇନ୍ସର ଆଉ ଏକ ବିମାନ ଦିଲ୍ଲୀରୁ ଅହମ୍ମଦାବାଦ୍‌ ଅଭିମୁଖେ ଯାତ୍ରା କରିଥିଲା। ସେଠାରେ ଅଟକି ରହିଥିବା ଯାତ୍ରୀମାନଙ୍କୁ ଏହା ମଧ୍ୟାହ୍ନ ୧.୩୦ ମିନିଟ୍‌ରେ ଧରି ଦିଲ୍ଲୀ ଅଭିମୁଖେ ଉଡ଼ାଣ କରିଛି। ଏହି ଘଟଣା ପରେ ଟ୍ଵିଟ୍‌ କରି ଭିସ୍ତାରା ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି। ତେବେ ବିମାନର ତ୍ରୁଟି ଯୋଗୁଁ ଅହମ୍ମଦାବାଦ୍‌ ରେ ଅଟକି ରହିଥିବା ଯାତ୍ରୀମାନେ ଟ୍ଵିଟର ଯୋଗେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ କି ଇଣ୍ଡିଗୋ ଏୟାର ଲାଇନ୍ସର ଯେଉଁ ଶ୍ରେଣୀୟ ବିମାନର ଉଡ଼ାଣକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ରଦ୍ଦ କରିଛି, ଭିସ୍ତାରାର ଏହି ବିମାନ ସେହି ଶ୍ରେଣୀୟ ନୁହେଁ ବୋଲି ଏୟାର ଲାଇନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର