ନୂଆଦିଲ୍ଲୀ: ଗୁଜରାଟର ଦୁଇ ସହର ଗାନ୍ଧୀନଗର ଓ ଅହମଦାବାଦରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼୍ଯନ୍ତ୍ରକୁ ପୁଲିସ ପଣ୍ଡ କରିଦେଇଛି। ଉଭୟ ସହରରେ ଥିବା ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରି ଏହି ଆକ୍ରମଣ ଷଡ଼୍ଯନ୍ତ୍ର ହୋଇଥିଲା ଏବଂ ଏ ସଂକ୍ରାନ୍ତ ଫଟୋ ପାକିସ୍ତାନ ଏବଂ ସିରିୟାକୁ ପଠାଯାଇଥିଲା। ଗୁଇନ୍ଦା ରିପୋର୍ଟ ଆଧାର ପୁଲିସ ଏହି ଆକ୍ରମଣ ଯୋଜନାକୁ ପଣ୍ଡ କରିଦେଇଛି। ଇସ୍ଲାମିକ ଷ୍ଟେଟ୍ (ଆଇଏସ୍) ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ଯୋଜନା କରିଥିବା ତଦନ୍ତରୁ ଜଣାପଡ଼ିଛି।
ଦିଲ୍ଲୀ ପୁଲିସ ଗତମାସରେ ଜଣେ ଆଇଏସ୍ ଆତଙ୍କବାଦୀ ଶାହନୱାଜକୁ ଗିରଫ କରିଥିଲା ଏବଂ ଜେରା ସମୟରେ ଭାରତରେ ବଡ଼ ଆତଙ୍କବାଦୀ ଆକ୍ରମଣ ପାଇଁ ଆଇଏସ୍ ଯୋଜନା କରୁଥିବା ସେ କହିଥିଲା। ଏହି ଆକ୍ରମଣ ଷଡ଼୍ଯନ୍ତ୍ରରେ ଆଲିଗଡ଼ ମୁସ୍ଲିମ ବିଶ୍ବବିଦ୍ୟାଳୟର କେତେକ ଛାତ୍ର ସାମିଲ ଥିବା ନେଇ ମଧ୍ୟ ସୁରାକ୍ ମିଳିଛି। ସୂଚନାଯୋଗ୍ୟ, ଇସ୍ଲାମିକ ଷ୍ଟେଟ୍ର ନୂଆ ସଂଗଠନ ହିଜବ୍ ଉତ୍-ତାହିର ଭାରତରେ ସକ୍ରିୟ ହେଉଥିବା ନେଇ ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ କରାଇବା ପରେ ଏନ୍ଆଇଏ ତେଲେଙ୍ଗାନା ଓ ମଧ୍ୟପ୍ରଦେଶରେ ଚଢ଼ଉ କରି ୧୬ ଜଣଙ୍କୁ ଗିରଫ କରିଥିଲା।