ଲଣ୍ଡନ: ଏୟାର୍ ଇଣ୍ଡିଆ ଦୁର୍ଘଟଣାଗ୍ରସ୍ତଙ୍କ ଦୁଇ ବ୍ରିଟିସ ପରିବାର ଭୁଲ ମୃତଦେହ ପାଇଥିବା ଅଭିଯୋଗ ହୋଇଛି। ଅହମଦାବାଦର ଏକ ସରକାରୀ ହସ୍ପିଟାଲ ଦ୍ୱାରା ଡିଏନ୍‌ଏ ପରୀକ୍ଷା ପରେ ଚିହ୍ନଟ ହୋଇଥିବା ମୃତଦେହଗୁଡ଼ିକୁ ସିଲ୍ କଫିନରେ ପଠାଯାଇଥିଲା। ଏଥିରେ ଏୟାର୍‌ଲାଇନ୍ସର କୌଣସି ଭୂମିକା ନ ଥିଲା ବୋଲି ଭାରତ କହିଛି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ମୃତଦେହଗୁଡ଼ିକୁ ଚିହ୍ନଟ କରିବା ପାଇଁ ନିର୍ଦ୍ଧାରିତ ନିୟମ ପାଳନ କରାଯାଇଥିଲା ଏବଂ ମୃତକଙ୍କ ମର୍ଯ୍ୟାଦାକୁ ଯଥେଷ୍ଟ ସମ୍ମାନ ଦେଇ ମୃତଦେହ ପଠାଇବା ବ୍ୟବସ୍ଥା  କରାଯାଇଥିଲା। ମୃତକଙ୍କ ପରିବାର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା କିଷ୍ଟୋନ ଲ’ର ଜଣେ ଓକିଲ କହିଛନ୍ତି, ଦୁର୍ଘଟଣାଗ୍ରସ୍ତଙ୍କ ମୃତଦେହକୁ ଭୁଲ ଭାବେ ଚିହ୍ନଟ କରାଯାଇ ବ୍ରିଟେନ୍ ପଠାଯାଇଛି। ଲଣ୍ଡନରେ ମୃତବ୍ୟକ୍ତିଙ୍କ ଡିଏନ୍‌ଏ ପୁନର୍ବାର ଯାଞ୍ଚ କରାଯିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। କଫିନରେ ତାଙ୍କ ମହକିଲଙ୍କ ପରିବାର ସଦସ୍ୟଙ୍କ ମୃତଦେହ ନୁହେଁ ବରଂ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଥିଲା। ଫଳରେ ଗୋଟିଏ ପରିବାରକୁ ଅନ୍ତିମ ସଂସ୍କାର ଯୋଜନା ଛାଡ଼ିବାକୁ ପଡ଼ିଥିଲା ବୋଲି ଓକିଲ କହିଛନ୍ତି। ଅନ୍ୟ ଏକ ପରିବାର ସେମାନଙ୍କ ପରିବାର ସଦସ୍ୟଙ୍କ ମୃତଦେହ ସହିତ ଅନ୍ୟ ଜଣେ ଯାତ୍ରୀଙ୍କ ମୃତଦେହ ଗ୍ରହଣ କରିଥିବା ବେଳେ ଉଭୟ ମୃତଦେହକୁ ଗୋଟିଏ କଫିନରେ ରଖାଯାଇଥିଲା। ଅନ୍ତିମ ସଂସ୍କାର କରିବା ପୂର୍ବରୁ ଦୁଇ ଯାତ୍ରୀଙ୍କ ଶବକୁ ଅଲଗା କରିବାକୁ ପଡ଼ିଥିଲା।  

Advertisment

ଅନ୍ତିମ ସଂସ୍କାର ବାତିଲ
ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରାଯାଇଛି: ଭାରତ ସରକାର

ଗତ ଜୁନ୍ ୧୨ ତାରିଖରେ ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏଆଇ-୧୭୧ ଦୁର୍ଘଟଣାଗ୍ରସ୍ତ ହେବାରୁ ବିମାନରେ ଥିବା ୨୪୧ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ କେବଳ ଜଣେ ଜୀବିତ ଥିଲେ। ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ୫୩ ଜଣ ବ୍ରିଟିସ ନାଗରିକ ଥିଲେ। ଅନେକ ବ୍ରିଟିସ ନାଗରିକଙ୍କ ଅନ୍ତିମ ସଂସ୍କାର ଭାରତରେ ହୋଇଥିବା ବେଳେ ୧୨ ଜଣ ଯାତ୍ରୀଙ୍କ ପାର୍ଥିବ ଶରୀର ବ୍ରିଟେନ ପଠାଯାଇଛି। ତେବେ ଭୁଳ୍ ଶବ ଚିହ୍ନଟ ପ୍ରସଙ୍ଗରେ ବ୍ରିଟେନ ସହ କାମ କରୁଛୁ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି। ସରକାରୀ ଡାକ୍ତରଖାନା ପକ୍ଷରୁ ସିଲ୍ କଫିନରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ଏବଂ ଏଥିରେ ଏୟାର୍ ଇଣ୍ଡିଆର ଅନ୍ୟ କୌଣସି ଭୂମିକା ନ ଥିଲା ବୋଲି ସେ କହିଛନ୍ତି।